ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସିକୁ ନିୟନ୍ତ୍ରଣ କରିବା ଲାଗି ରହିଥିବା ପ୍ରସ୍ତାବ ଉପରେ ଜି୨୦ ରାଷ୍ଟ୍ରଗୁଡ଼ିକ ରାଜି ହୋଇଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏହି ଡିଜିଟାଲ୍ ମୁଦ୍ରାକୁ ନିୟନ୍ତ୍ରଣରେ ରଖିବା ଲାଗି ବିଶ୍ବବ୍ୟାପୀ ସବୁ ଦେଶର ସମନ୍ବୟରେ ଆଇନ ପ୍ରସ୍ତୁତ ହେବାର ଆବଶ୍ୟକତାକୁ ମଧ୍ୟ ସେମାନେ ଭଲ ଭାବେ ବୁଝିଛନ୍ତି। କ୍ରିପ୍ଟୋକରେନ୍ସିକୁ କୌଣସି କେନ୍ଦ୍ରୀୟ ବ୍ୟାଙ୍କ ସମର୍ଥନ କରୁନାହାନ୍ତି। ତେଣୁ ଏହା ଆର୍ଥିକ ଅସ୍ଥିରତା ସୃଷ୍ଟି କରିପାରେ ବୋଲି ନିର୍ମଳା କହିଛନ୍ତି।
ସପ୍ତାହବ୍ୟାପୀ ଆମେରିକା ଗସ୍ତରେ ଥିବା ଅର୍ଥମନ୍ତ୍ରୀ ସୀତାରମଣ ଗତକାଲି ଜି୨୦ ସଦସ୍ୟମାନଙ୍କୁ ଭେଟି ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଟ୍କଏନ୍ ଭଳି କ୍ରିପ୍ଟୋକୁ ନିୟନ୍ତ୍ରଣରେ ରଖିବା ଲାଗି ବିଶ୍ବବ୍ୟାପୀ ଏକପ୍ରକାର ଆଇନ ରହିବା ଦରକାର ବୋଲି ଭାରତ ସବୁ ବେଳେ କହୁଛି। ଭାରତର ସେହି ପ୍ରସ୍ତାବ ଉପରେ ଜି୨୦ ରାଷ୍ଟ୍ରଗୁଡ଼ିକ ମଧ୍ୟ ସହମତ ହୋଇଥିବା ଖୁସିର ବିଷୟରେ ବୋଲି ନିର୍ମଳା କହିଛନ୍ତି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଓ ବିଶ୍ବବ୍ୟାଙ୍କର ମିଳିତ ବୈଠକରେ ଯୋଗ ଦେବାକୁ ଯାଇଥିବା ନିର୍ମଳା ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଜି୨୦ର ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କୁ ନେଇ ଆୟୋଜନ କରାଯାଇଥିବା ଏକ ବୈଠକରେ ଯୋଗ ଦେଇଥିଲେ। କ୍ରିପ୍ଟୋକୁ ନେଇ ଏକ ସିନ୍ଥେସିସ୍ ପେପର ପ୍ରସ୍ତୁତ କରାଯିବ। ଆସନ୍ତା ସେପ୍ଟେମ୍ବର ଓ ଅକ୍ଟୋବର ସୁଦ୍ଧା ତାହା ଉପରେ ଆଲୋଚନା କରି ଏକ ରୂପରେଖ ପ୍ରସ୍ତୁତ କରାଯିବ। ସେହି ରୂପରେଖ ଆଧାରରେ କ୍ରିପ୍ଟୋକୁ ନିୟନ୍ତ୍ରଣ କରିବା ଲାଗି ଜି୨୦ ରାଷ୍ଟ୍ରଗୁଡ଼ିକ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ଭାରତରେ କ୍ରିପ୍ଟୋକରେନ୍ସିକୁ ଆଇନଗତ ମାନ୍ୟତା ଦିଆଯାଇନାହିଁ। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧୀନରେ ନାହିଁ। କ୍ରିପ୍ଟୋର କିଛି ମୂଲ୍ୟ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ବାରମ୍ବାର ଦୋହରାଉଛନ୍ତି। କ୍ରିପ୍ଟୋ କାରବାରରେ ଅର୍ଥ ହାନିର ବିପଦ ରହିଛି। ତେଣୁ ଜଗିରଖି କାରବାର କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଶକ୍ତିକାନ୍ତଙ୍କ ମତରେ ଯେହେତୁ କ୍ରିପ୍ଟୋ କୌଣସି ବ୍ୟବସ୍ଥାର ନିୟନ୍ତ୍ରଣରେ ନାହିଁ ତେଣୁ ତାହାକୁ ଆତଙ୍କବାଦୀ କାର୍ଯ୍ୟକଳାପ, ଟିକସ ଠକେଇ, ଡ୍ରଗ୍ସ କାରବାର ଆଦିରେ ବ୍ୟାପକ ବ୍ୟବହାର କରାଯିବାର ଆଶଙ୍କା ରହିଛି।