ଇଲେକ୍ଟ୍ରିକ ଗାଡ଼ିରେ ନିଆଁ, ଆଗୁଆ ପଦକ୍ଷେପ ନେବାକୁ ନିର୍ମାତାମାନଙ୍କୁ ଗଡ଼କରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ତେଲ ଦର ବୃଦ୍ଧି ପାଇଚାଲିଥିବା ପରିପ୍ରେକ୍ଷୀରେ ଇଲେକ୍ଟ୍ରିକ ଗାଡ଼ିଗୁଡ଼ିକର ଚାହିଦା ବଢିଚାଲିଛି । ତେବେ ଇଲେକ୍ଟ୍ରିକ ଗାଡ଼ିଗୁଡ଼ିକରେ ନିଆଁ ଲାଗିଯାଉଥିବାରୁ ସେଗୁଡ଼ିକର ସୁରକ୍ଷା ନେଇ ଚିନ୍ତା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ଗାଡ଼ି ନିର୍ମାତାମାନେ ଆଗୁଆ ପଦକ୍ଷେପ ନିଅନ୍ତୁ ବୋଲି କେନ୍ଦ୍ରର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ସମ୍ମିଳନୀ ରାଇସିନା ଡାଇଲଗରେ ଯୋଗ ଦେଇ ସେ କହିଛନ୍ତି ଯେ ଇଲେକ୍ଟ୍ରିକ ଗାଡ଼ି ନିର୍ମାତାମାନେ ଆଗୁଆ ପଦକ୍ଷେପ ନେଇ ତ୍ରୁଟିଯୁକ୍ତ ଗାଡ଼ିଗୁଡ଼ିକୁ ପ୍ରତ୍ୟାହାର କରିବା ସହ ସେଗୁଡ଼ିକୁ ସଜାଡ଼ିବା ଆବଶ୍ୟକ । ତେବେ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଗ୍ରୀଷ୍ମଋତୁ ଯୋଗୁଁ ତାପମାତ୍ରା ବଢିବା ସହ ଇଭି ବ୍ୟାଟେରିଗୁଡ଼ିକରେ ସମସ୍ୟା ଦେଖାଯାଉଥାଇପାରେ ।

ସେ କହିଛନ୍ତି ଯେ ଦେଶରେ ଏବେ ଇଭି ଗାଡ଼ିଗୁଡ଼ିକ ପ୍ରଚଳନ ଆରମ୍ଭ ହୋଇଛି । ଏଣୁ ଆରମ୍ଭରୁ ବିଭିନ୍ନ କଟକଣା ଲଗାଇ ସରକାର ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚାହୁଁନାହାନ୍ତି । କିନ୍ତୁ ସୁରକ୍ଷା ଦିଗଟି ମଧ୍ୟ ଗୁରୁତ୍ବପୂର୍ଣ୍ଣ ଓ ଆମକୁ ଏହା ଉପରେ ପ୍ରାଥମିକତା ଦେବାକୁ ପଡ଼ିବ ଯେପରିକି ଏହାଯୋଗୁଁ ଲୋକମାନେ ମତ୍ୟୁବରଣ ନକରନ୍ତି ।

ସୂଚନାଯୋଗ୍ୟ ଯେ, ଇଲେକ୍ଟ୍ରିକ୍ ଗାଡ଼ି (ଇଭି) ଗୁଡ଼ିକରେ ହଠାତ ନିଆଁ ଲାଗିବା ଘଟଣା ବଢିଚାଲିଛି । ଏହାଯୋଗୁଁ ଜୀବନହାନୀ ମଧ୍ୟ ହେଉଛି ।

ସମ୍ବନ୍ଧିତ ଖବର