ନୂଆଦିଲ୍ଲୀ: ଖଣିଜ ରୟାଲ୍ଟିକୁ ନେଇ ଜୁଲାଇ ୨୫ରେ ସୁପ୍ରିମ୍କୋର୍ଟ ଦେଇଥିବା ରାୟକୁ ନେଇ ବିବାଦ ଦେଖାଦେଇଛି। ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକ ସେହି ରାୟ ପିଛିଲା ଭାବେ ଲାଗୁ ହେଉ ବୋଲି ଦାବି କରିଛନ୍ତି। କିନ୍ତୁ ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ବିଜେପି ଶାସିତ ରାଜ୍ୟ ତାହା ଚାହୁନାହାନ୍ତି। ଓଡ଼ିଶା ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ରାୟକୁ ପିଛିଲା ଭାବେ ଲାଗୁ କରାଯିବ ନା ନାହିଁ, ସେ ସମ୍ପର୍କିତ ରାୟକୁ ସୁପ୍ରିମ୍କୋର୍ଟ ସଂରକ୍ଷିତ ରଖିଛନ୍ତି।
୧୯୮୯ ପରଠାରୁ ଖଣିଜ ଉପରେ ଲାଗୁ ହୋଇଥିବା ରୟାଲ୍ଟି କେନ୍ଦ୍ର ଫେରାଉ ବୋଲି କିଛି ରାଜ୍ୟଗୁଡ଼ିକ ଦାବି କରିଛନ୍ତି। ବୁଧବାର ସୁପ୍ରିମ୍କୋର୍ଟରେ ଏ ସମ୍ପର୍କିତ ଶୁଣାଣି ବେଳେ କେନ୍ଦ୍ର ସରକାର କହିଛନ୍ତି ଯେ ରାୟକୁ ପିଛିଲା ଭାବେ ଲାଗୁ କଲେ ତାହାର ବଡ଼ ଧରଣର ପ୍ରଭାବ ପଡ଼ିବ। କେନ୍ଦ୍ରର ସେହି ମତକୁ ଖଣି କମ୍ପାନିଗୁଡ଼ିକ ମଧ୍ୟ ସମର୍ଥନ କରିଛନ୍ତି। ଏହି ମାମଲାରେ ସମ୍ବିଧାନ ପୀଠ ଆଜି କେନ୍ଦ୍ର, ରାଜ୍ୟ ଓ ଖଣି କମ୍ପାନିଗୁଡ଼ିକର ପକ୍ଷକୁ ଶୁଣିଥିଲେ। କେନ୍ଦ୍ରର ପକ୍ଷ ଉପସ୍ଥାପନ କରି ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଛନ୍ତି ଯେ ରାୟକୁ ପିଛିଲା ଭାବେ ଲାଗୁ କଲେ ଦରଦାମ୍ ଉପରେ ତାହାର ପ୍ରଭାବ ପଡ଼ିବ। ଶେଷରେ ସାଧାରଣ ଜନତାଙ୍କୁ ବୋଝ ଉଠାଇବାକୁ ପଡ଼ିବ। କାରଣ ପ୍ରାୟ ସବୁ ପ୍ରକାର ଶିଳ୍ପ ଖଣିଜ ଉପରେ ନିର୍ଭରଶୀଳ ବୋଲି ସେ କହିଛନ୍ତି। ଜୁଲାଇ ୨୫ ରାୟକୁ ଆହୁରି ସ୍ପଷ୍ଟ କରିବାକୁ ସେ ସମ୍ବିଧାନ ପୀଠଙ୍କୁ ନିବେଦନ କରିଛନ୍ତି।
ଚଳିତ ମାସ ୨୫ରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ୯ ଜଣିଆ ବିଚାରପତିଙ୍କ ସମ୍ବିଧାନ ପୀଠ ୮:୧ ସଂଖ୍ୟାଗରିଷ୍ଠତା ଆଧାରରେ ଏକ ଐତିହାସିକ ରାୟ ଶୁଣାଇ କହିଥିଲେ ଯେ ଖଣିଜ ଉପରେ ଟିକସ ଲଗାଇବାର ଅଧିକାର ରାଜ୍ୟଗୁଡ଼ିକର ରହିଛି। ଖଣିଜ ଉପରେ ଦିଆଯାଉଥିବା ରୟାଲ୍ଟି ଏକ ଟିକସ ନୁହେଁ। କିନ୍ତୁ ବିଚାରପତି ବି ଭି ନାଗରତ୍ନା ବିରୋଧୀ ମତ ଦେଇଥିଲେ। ରୟାଲ୍ଟି ଲଗାଇବାର ଅଧିକାର କେନ୍ଦ୍ରର ବୋଲି ସେ କହିଥିଲେ।