ନୂଆଦିଲ୍ଲୀ: ବଜେଟ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତରେ ମୋଦୀ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଜୀବନ ବୀମା ଓ ସ୍ବାସ୍ଥ୍ୟ ବୀମା ପ୍ରମିୟମ୍ ଉପରୁ ଜିଏସ୍ଟି ହଟାଇବାକୁ ନିବେଦନ କରିଛନ୍ତି। ଏନେଇ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖିଛନ୍ତି। ଅଗ୍ରାଧିକାର ଭିତ୍ତିରେ ଜିଏସ୍ଟି ହଟାଇବାକୁ ସେ ନିବେଦନ କରିଛନ୍ତି। ଉଭୟ ଜୀବନ ବୀମା ଓ ସ୍ବାସ୍ଥ୍ୟ ବୀମା ପ୍ରିମିୟମ୍ ଉପରେ ୧୮ ପ୍ରତିଶତ ଜିଏସ୍ଟି ଲଗାଯାଇଛି। ଜୀବନ ବୀମା ପ୍ରିମିୟମ୍ ଉପରେ ଜିଏସ୍ଟି ଲଗାଇବା ଜୀବନର ଅନିଶ୍ଚିତତା ଉପରେ ଟିକସ ଲଗାଇବା ଭଳି ବୋଲି ଗଡ଼କରୀ କହିଛନ୍ତି। ନିଜ ପରିବାରକୁ ଅନିଶ୍ଚିତତାର ବିପଦରୁ କିଛିଟା ସୁରକ୍ଷା ପ୍ରଦାନ କରିବା ଲାଗି ଜଣେ ବ୍ୟକ୍ତି ବୀମା ପଲିସି କ୍ରୟ କରୁଥିବା ବେଳେ ତାହା ଉପରେ ଟିକସ ଲଗାଇବା ଅନୁଚିତ। ସେହିପରି, ଜୀବନ ବୀମା ପ୍ରିମିୟମ୍ ଉପରେ ଲଗାଯାଇଥିବା ୧୮ ପ୍ରତିଶତ ଜିଏସ୍ଟି ମଧ୍ୟ ଏହି କ୍ଷେତ୍ରର ଅଭିବୃଦ୍ଧିରେ ବାଧକ ସାଜିଛି ବୋଲି ସେ କହିଛନ୍ତି।
ଭାରତୀୟ ଜୀବନ ବୀମା ନିଗମ କର୍ମଚାରୀ ସଂଘର ନାଗପୁର ଡିଭିଜନ ପକ୍ଷରୁ ମିଳିଥିବା ଏକ ସ୍ମାରକପତ୍ର ଆଧାରରେ ଗଡ଼କରୀ ଏହି ଚିଠି ଲେଖିଛନ୍ତି। ଜୀବନ ବୀମା ମାଧ୍ୟମରେ ସଞ୍ଚୟ ପ୍ରତି ଭିନ୍ନ ଆଚରଣ ପ୍ରଦର୍ଶନ କରାଯାଉଥିବା, ସ୍ବାସ୍ଥ୍ୟ ବୀମା ପ୍ରିମିୟମ୍କୁ ଆୟକର ହିସାବ ବେଳେ କାଟିବା ସୁବିଧାକୁ ପୁନର୍ବାର ଲାଗୁ କରିବା ଏବଂ ସରକାରୀ ବୀମା କମ୍ପାନିକୁ ସୁଦୃଢ଼ କରିବା ଆଦି ବିଷୟ ଉପରେ ମଧ୍ୟ ଜୋର ଦେବାକୁ ସେ ଚିଠିରେ ଅର୍ଥମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।