ନୂଆଦିଲ୍ଲୀ: ଦେଶରେ ଗ୍ରିନ୍ ହାଇଡ୍ରୋଜେନ୍ ଟ୍ରକ୍ ଚଳାଚଳ ନେଇ ସରକାର ଯୋଜନା କରିଛନ୍ତି। ଏଥିପାଇଁ ଦେଶର ବିଭିନ୍ନ ଅଞ୍ଚଳରେ ଜାତୀୟ ରାଜପଥଗୁଡ଼ିକର ୧୦ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ଯାନ ଚଳାଚଳ ଜନିତ ପ୍ରଦୂଷଣ ହ୍ରାସ ପାଇଁ ଏହା କରାଯିବ ବୋଲି ମଙ୍ଗଳବାର କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି। ଚିହ୍ନଟ ହୋଇଥିବା ୧୦ଟି ରାସ୍ତା ମଧ୍ୟରେ ଭୁବନେଶ୍ବର-ପୁରୀ-କୋଣାର୍କ ରହିଛି। ଅନ୍ୟ ରାସ୍ତାଗୁଡ଼ିକ ମଧ୍ୟରେ ଗ୍ରେଟର ନୋଏଡା-ଦିଲ୍ଲୀ-ଆଗ୍ରା, ଅହମଦାବାଦ-ଭଦୋଦରା-ସୁରଟ, ସହିବାବାଦ-ଫରିଦାବାଦ-ଦିଲ୍ଲୀ, ଜାମସେଦପୁର-କଳିଙ୍ଗନଗର, ତିରୁଅନନ୍ତପୁରମ-କୋଚି ଏବଂ ଜାମନଗର-ଅହମଦାବାଦ ରହିଛି।
ଏସବୁ ରାସ୍ତାରେ ହାଇଡ୍ରୋଜେନ୍ ଫିଲିଂ ଷ୍ଟେସନ ରହିବ। ଇଣ୍ଡିଆନ୍ ଅଏଲ୍ ଏବଂ ରିଲାଏନ୍ସ ପେଟ୍ରୋଲିୟମ ପକ୍ଷରୁ ଏଗୁଡ଼ିକ ସ୍ଥାପନ କରାଯିବ। ହାଇଡ୍ରୋଜେନରେ ଚଳାଚଳ କରିବାକୁ ଥିବା ଟ୍ରକ ନିର୍ମାଣ କାର୍ଯ୍ୟ ଟାଟା ମୋଟର୍ସ, ଅଶୋକ ଲେଲ୍ୟାଣ୍ଡ୍ ଏବଂ ଭଲଭୋ ଆରମ୍ଭ କରିସାରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଭାରତ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ବିଶ୍ବର ତୃତୀୟ ବୃହତ୍ ଏବଂ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବା ପାଇଁ ଭାରତକୁ ଏହାର ଭିତ୍ତିଭୂମି ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ହେବ। ଗ୍ରିନ୍ ହାଇଡ୍ରୋଜେନ୍ର ଏକ ରପ୍ତାନିକାରୀ ରାଷ୍ଟ୍ର ହେବା ପାଇଁ ଭାରତ ନିକଟରେ ଯଥେଷ୍ଟ କ୍ଷମତା ରହିଛି। ଏଥିସହିତ ଭାରତର ମାଲ ପରିବହନ ବାବଦ ଖର୍ଚ୍ଚ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏକ ଅଙ୍କ ବିଶିଷ୍ଟ ସଂଖ୍ୟାକୁ କମିବ ବୋଲି ମନ୍ତ୍ରୀ କହିଛନ୍ତି।
ଆଇଆଇଟି ବାଙ୍ଗାଲୋର, ଆଇଆଇଟି ଚେନ୍ନାଇ ଏବଂ ଆଇଆଇଟି କାନପୁର ପକ୍ଷରୁ ଏକ ଅନୁଧ୍ୟାନ କରାଯାଇଥିଲା। ସେଥିରୁ ଜଣାଯାଇଛି ଯେ ଭାରତରେ ସଡ଼କ ପରିବହନ ଖର୍ଚ୍ଚ ୬ ପ୍ରତିଶତ ହ୍ରାସ ପାଇଛି। ପୂର୍ବରୁ ମାଲ ପରିବହନ ଖର୍ଚ୍ଚ ପ୍ରାୟ ୧୪ରୁ ୧୬ ପ୍ରତିଶତ ରହୁଥିଲା। ଚୀନରେ ଏହା ୮ ପ୍ରତିଶତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପୀୟ ସଂଘରେ ୧୨ ପ୍ରତିଶତ ରହିଛି। ଆସନ୍ତା ୫ ବର୍ଷ ମଧ୍ୟରେ ଭାରତର ଅଟୋମୋବାଇଲ ଶିଳ୍ପକୁ ୧ ନମ୍ବର ସ୍ଥାନରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/03/hydrogen-2025-09-03-05-21-26.jpg)