ଗ୍ୟାଲପ୍ ଇଣ୍ଟରନାସନାଲ୍ ସର୍ଭେ: ପାକିସ୍ତାନୀଙ୍କ ପାଇଁ କଶ୍ମୀର ନୁହେଁ, ମୁଦ୍ରାସ୍ଫୀତି ବଡ଼ ସମସ୍ୟା

ଇସଲାମାବାଦ: ପାକିସ୍ତାନର ନାଗରିକମାନଙ୍କ ପାଇଁ ଭାରତ ସରକାର ଜମ୍ମୁ କଶ୍ମୀରରୁ ଉଚ୍ଛେଦ କରିଥିବା ଧାରା ୩୭୦ ବଡ଼ ସମସ୍ୟା ନୁହେଁ। ସେମାନଙ୍କ ପାଇଁ ସେମାନଙ୍କ ଦେଶର ଉଚ୍ଚ ମୁଦ୍ରାସ୍ଫୀତି ବଡ଼ ସମସ୍ୟା ବୋଲି ଏକ ସର୍ଭେରୁ ଜଣାଯାଇଛି। କେବଳ ମୁଦ୍ରାସ୍ଫୀତି ନୁହେଁ, ବଢ଼ୁଥିବା ବେକାରି ସମସ୍ୟା ମଧ୍ୟ ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ୪ଟି ପ୍ରଦେଶରେ ଗ୍ୟାଲପ୍ ଇଣ୍ଟରନ୍ୟାସନାଲ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ଗ୍ୟାଲପ୍ ଆଣ୍ଡ ଗିଲାନି ପାକିସ୍ତାନ ପକ୍ଷରୁ ଗତ ମଙ୍ଗଳବାର ଏହି ସର୍ଭେ ପ୍ରକାଶ କରାଯାଇଛି। ଏଥିରେ ୫୩ ପ୍ରତିଶତ ପାକିସ୍ତାନବାସୀ ସହମତ ହୋଇଛନ୍ତି ଯେ ସେମାନଙ୍କ ପାଇଁ ଦେଶର ଅର୍ଥନୀତି, ବିଶେଷକରି ମୁଦ୍ରାସ୍ଫୀତି ବଡ଼ ସମସ୍ୟା। ମୁଦ୍ରାସ୍ଫୀତି ପଛକୁ ବେକାରି ଏକ ବଡ଼ ସମସ୍ୟା ବୋଲି ସର୍ଭେରେ ଅଂଶଗ୍ରହଣ କରିଥିବା ୨୩ ପ୍ରତିଶତ ପାକିସ୍ତାନବାସୀ ମତ ଦେଇଛନ୍ତି। ସେହିଭଳି ଦୁର୍ନୀତି ଏବଂ ଜଳ ସଙ୍କଟ ବଡ଼ ସମସ୍ୟା ବୋଲି ୪ ପ୍ରତିଶତ ‌ଲେଖାଏଁ ପାକିସ୍ତାନବାସୀ ମତ ଦେଇଛନ୍ତି। କଶ୍ମୀରରୁ ଭାରତ ସରକାର ଧାରା ୩୭୦ ଉଚ୍ଛେଦକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବା ପାଇଁ ପାକିସ୍ତାନ ସରକାର ଯଥାସମ୍ଭବ ଉଦ୍ୟମ ଚଳାଇଥିବାବେଳେ କେବଳ ୮ ପ୍ରତିଶତ ପାକିସ୍ତାନବାସୀ ଏହି ପ୍ରସଙ୍ଗକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଏଥିସହିତ ରାଜନୈତିକ ଅସ୍ଥିରତା, କ୍ଷମତା ସଙ୍କଟ, ଡେଙ୍ଗୁ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ପାକିସ୍ତାନବାସୀ ଚିନ୍ତିତ ଅଛନ୍ତି। ସର୍ଭେରେ ବାଲୁଚିସ୍ତାନ, ଖାଇବର ପଙ୍ଖତୁନ୍‌ଖ୍ବା, ପଞ୍ଜାବ ଏବଂ ସିନ୍ଧ ପ୍ରଦେଶର ନାଗରିକମାନେ ଭାଗ ନେଇଥିଲେ। ପାକିସ୍ତାନ ଅର୍ଥନୀତି ଗତ କିଛିବର୍ଷ ହେଲା ସଂଘର୍ଷମୟ ପରିସ୍ଥିତି ଦେଇ ଗତି କରୁଛି। ଦେଶ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ବୋଲି ‌ଗତ ଜୁଲାଇରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ସତର୍କ କରାଇ ଦେଇଥିଲା। ଅର୍ଥନୀତିରେ ବଡ଼ ଧରଣର ସଂସ୍କାର ଆବଶ୍ୟକ ବୋଲି ମଧ୍ୟ ମତ ଦେଇଥିଲା। ପାକିସ୍ତାନର ମୁଦ୍ରାଭଣ୍ଡାରରେ ୮ ବିଲିଅନ ଡଲାରରୁ କମ୍ ଅର୍ଥ ରହିଛି। ଏହା କେବଳ ପାକିସ୍ତାନ ପାଇଁ ଦେଢ଼ମାସର ଆମଦାନି ବିଲ୍ ପୈଠ କରିବାରେ‌ ସମର୍ଥ ହେବ। ପାକିସ୍ତାନକୁ ଆଇଏମ୍‌ଏଫ୍‌ ୬ ବିଲିଅନ ଡଲାରର ଆର୍ଥିକ ପ୍ୟାକେଜ ପ୍ରଦାନ ନେଇ ମଧ୍ୟ ରାଜିନାମା ହୋଇଛି। ଆଇଏମ୍‌ଏଫ୍‌ ବ୍ୟତୀତ କତାର, ଚୀନ, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସଠାରୁ ପାକିସ୍ତାନ ପ୍ୟାକେଜ ସଂଗ୍ରହ କରିଛି।

ସମ୍ବନ୍ଧିତ ଖବର