ନୂଆଦିଲ୍ଲୀ: ଡ୍ରିମ୍୧୧, ୱିଞ୍ଜୋ, ଗେମ୍ସକ୍ରାଫ୍ଟ ଆଦି ଲୋକପ୍ରିୟ ଗେମ୍ ଆଗକୁ ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଯେକୌଣସି ପ୍ରକାରରେ ହେଉ, ଟଙ୍କା ଲାଗୁଥିବା ଅନ୍ଲାଇନ୍ ଗେମ୍ ନିଷିଦ୍ଧ ହେବ। ବୁଧବାର ଲୋକସଭାରେ ପାରିତ ଅନ୍ଲାଇ୍ନ ଗେମିଂର ପ୍ରସାର ଓ ନିୟନ୍ତ୍ରଣ ବିଲ୍ ୨୦୨୫ରେ ସେଭଳି କଠୋର ବ୍ୟବସ୍ଥା ରହିଛି। ବିଲ୍ରେ ଟଙ୍କା ଲାଗୁଥିବା ବା ରିଅଲ୍ ମନି ଗେମ୍କୁ ନିଷିଦ୍ଧ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସଂକ୍ଷୀପ୍ତ ବକ୍ତବ୍ୟ ପରେ ବିରୋଧୀଙ୍କ ହଟଗୋଳ ମଧ୍ୟରେ ବାଚନିକ ଭୋଟ୍ରେ ଏହି ବିଲ୍ ପାରିତ ହୋଇଛି।
ବର୍ଷକୁ ୪୫ କୋଟି ଲୋକ ହରାଉଛନ୍ତି ୨୦,୦୦୦ କୋଟି
୨ ଲକ୍ଷ ଜୀବିକା ପ୍ରତି ବିପଦ: ଗେମିଂ ଶିଳ୍ପ
ଅନ୍ଲାଇନ୍ ଗେମିଂ ବିଲ୍ ଲୋକସଭାରେ ପାରିତ
ଆଗକୁ ଏହି ବିଲ୍କୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ଏହି ବିଲ୍ରେ ‘ଅନ୍ଲାଇନ୍ ମନି ଗେମ୍’ର ନିର୍ଦ୍ଦିଷ୍ଟ ସଂଜ୍ଞା ନିର୍ଧାରଣ କରାଯାଇଛି। ଯେଉଁ ଗେମ୍ ପାଇଁ ପ୍ରବେଶ ଶୁଳ୍କ କିମ୍ବା ଯେକୌଣସି ପ୍ରକାର ରାଶି ଜମା କରିବାକୁ ପଡ଼ୁଥିବ, ତାହାକୁ ରିଅଲ୍ ମନି ଗେମ୍ ବିଚାର କରାଯିବ। ସେଥିରେ ଆଉ ଦକ୍ଷତାକୁ ବିଚାରକୁ ନିଆଯିବ ନାହିଁ। ସେଭଳି ଗେମ୍ ପ୍ରଦାନ କରୁଥିବା, ସେଥିରେ ସହଯୋଗ କରୁଥିବା ଏବଂ ତାହାର ପ୍ରସାର କରୁଥିବା ସଂସ୍ଥା ଓ ଲୋକମାନଙ୍କୁ ନିଷିଦ୍ଧ କରାଯିବ। ସେଭଳି ଗେମ୍ର ବିଜ୍ଞାପନ ଉପରେ କଟକଣା ଲଗାଇବା ଏବଂ କମ୍ପାନିମାନଙ୍କ ପେମେଣ୍ଟର ପ୍ରକ୍ରିୟାକରଣ ନ କରିବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯିବ। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ।
ଏହି କଠୋର ବିଲ୍କୁ ଗେମିଂ କ୍ଷେତ୍ରର ସଂଘଗୁଡ଼ିକ କଡ଼ା ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି ଯେ ଏହା ଲାଗୁ ହେଲେ ୪୦୦ରୁ ଅଧିକ କମ୍ପାନି ବନ୍ଦ ହୋଇଯିବ ଓ ସେଥିରେ କାମ କରୁଥିବା ୨ ଲକ୍ଷ ପାଖାପାଖି ଲୋକ ବେରୋଜଗାର ହୋଇପଡ଼ିବେ। ଏହି କ୍ଷେତ୍ର ବର୍ଷକୁ ୨୦ ହଜାର କୋଟି ଟଙ୍କାର ଜିଏସ୍ଟି ଦେଉଥିବା ସଂଘଗୁଡ଼ିକ କହିଛନ୍ତି। ଟଙ୍କା ଲଗାଯାଉଥିବା ଗେମ୍ରେ ବର୍ଷକୁ ଦେଶର ୪୫ କୋଟି ଲୋକ ୨୦ ହଜାର କୋଟି ଟଙ୍କା ହରାଉଥିବା ଜଣାପଡ଼ିବା ପରେ ଏହି କଠୋର ନିୟମ କଠୋର କରିବାକୁ ସରକାର ଚାହିଥିଲେ। ସାଢ଼େ ତିନି ବର୍ଷ ମାନସମନ୍ଥନରୁ ଏହି ବିଲ୍ ପ୍ରସ୍ତୁତ କରାଯାଇଛି। ନୂଆ ନିୟମରେ ଅନ୍ଲାଇନ୍ ଗେମିଂ କେନ୍ଦ୍ର ସରକାରଙ୍କ ଦାୟିତ୍ବ ହୋଇରହିବ। କିନ୍ତୁ ଜୁଆ ଓ ବେଟିଂ ରାଜ୍ୟ ବ୍ୟାପାର ହୋଇରହିବ।