ଗର୍ଗ ଭିଆର୍‌ଏସ୍‌ ନେବେ, ଗତକାଲି ଅର୍ଥରୁ ଶକ୍ତି ମନ୍ତ୍ରଣାଳୟକୁ ବଦଳି କରାଯାଇଛି

ଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ ଭଳି ହାଇ ପ୍ରୋଫାଇଲ୍‌ ମନ୍ତ୍ରଣାଳୟରୁ ଶକ୍ତି ମନ୍ତ୍ରଣାଳୟକୁ ବଦଳି ହେବା ପରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ସୁଭାଷ ଗର୍ଗ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ନେବାକୁ ଆବେଦନ କରିଛନ୍ତି। ଗତକାଲି ତାଙ୍କୁ ଶକ୍ତି ସଚିବ ଭାବେ ବଦଳି କରାଯାଇଥିଲା। ଭିଆର୍‌ଏସ୍‌ ବିଷୟରେ ସେ ଏକ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଅର୍ଥ ମନ୍ତ୍ରଣାଳୟ ତୁଳନାରେ ଶକ୍ତି ମନ୍ତ୍ରଣାଳୟର ଗୁରୁତ୍ବ କମ୍ ଥିବାରୁ ଗର୍ଗ ଅସନ୍ତୁଷ୍ଟ ହୋଇ ଏଭଳି ପଦକ୍ଷେପ ନେଇଥାଇପାରନ୍ତି ବୋଲି ଚର୍ଚା ହେଉଛି। ଅର୍ଥ ମନ୍ତ୍ରଣାଳୟରେ ଗର୍ଗ ସବୁଠୁ ବରିଷ୍ଠ ଥିଲେ, ସେଥିପାଇଁ ତାଙ୍କୁ ଅର୍ଥ ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା। ସେ ସରକାରଙ୍କ ବିତ୍ତୀୟ ନୀତି ଠାରୁ ଆରମ୍ଭ କରି ରିଜର୍ଭ ବ୍ୟାଙ୍କ ମାମଲା ଏବଂ ବଜେଟ୍ ପ୍ରସ୍ତୁତି ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବଜେଟ୍‌କୁ ସଂସଦରେ ଅନୁମୋଦନ ମିଳିବାର ଗୋଟିଏ ଦିନ ପରେ ଗର୍ଗଙ୍କୁ ବଦଳି କରାଯାଇଛି। ଗର୍ଗଙ୍କ ସ୍ଥାନରେ ଅର୍ଥ ମନ୍ତ୍ରଣାଳୟରେ ଗୁଜରାଟ କ୍ୟାଡର ଆଇଏଏସ୍‌ ଅଧିକାରୀ ଅତନୁ ଚକ୍ରବର୍ତୀଙ୍କୁ ନିଯୁକ୍ତ କରାଯାଇଛି। ଆଜି ସକାଳେ ଗର୍ଗ ଅର୍ଥ ମନ୍ତ୍ରଣାଳୟକୁ ଆସିଥିଲେ। ଅପରାହ୍ନ ପର୍ଯ୍ୟନ୍ତ ରହିବା ପରେ କାର୍ଯ୍ୟାଳୟରୁ ଚାଲିଯାଇଥିଲେ। ଗର୍ଗ କେବେ ଭିଆର୍‌ଏସ୍‌ ପାଇଁ ଆବେଦନ କରିଥିଲେ ତାହା ଜଣାପଡ଼ିନାହିଁ। ଭିଆର୍‌ଏସ୍‌ ପାଇଁ ଆବେଦନ କରିନଥିଲେ ୨୦୨୦ ଅକ୍ଟୋବରରେ ସେ ଅବସର ଗ୍ରହଣ କରିଥାନ୍ତେ।

୧୯୮୩ ବ୍ୟାଚ୍‌ର ରାଜସ୍ଥାନ କ୍ୟାଡର ଆଇଏଏସ୍‌ ଅଧିକାରୀ ଶ୍ରୀ ଗର୍ଗ ୨୦୧୪ରେ କେନ୍ଦ୍ରକୁ ଆସିଥିଲେ। ତାଙ୍କୁ ବିଶ୍ବବ୍ୟାଙ୍କର ଇଡି ଭାବେ ନିଯୁକ୍ତ କରାଯାଇଥିଲା ଏବଂ ସେ ସେହି ପଦରେ ୨୦୧୭ ପର୍ଯ୍ୟନ୍ତ କାମ କରିଥିଲେ। ୨୦୧୭ ଜୁନ୍‌ରେ ତାଙ୍କୁ ଅର୍ଥନୈତିକ ବ୍ୟାପାର ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ୨୦୧୯ ମାର୍ଚରେ ତାଙ୍କୁ ବିତ୍ତ ସଚିବ ଭା‌ବେ ଅବସ୍ଥାପିତ କରାଯାଇଥିଲା। ଅର୍ଥ ମନ୍ତ୍ରଣାଳୟରେ ମୋଟ ୫ ଜଣ ସଚିବଙ୍କୁ ନିଯୁକ୍ତି ଦିଆଯାଇଛି।

ବିଳମ୍ବ ହେବ ଜାଲାନ୍ କମିଟି ରିପୋର୍ଟ
ସୁଭାଷ ଗର୍ଗ ଭିଆର୍‌ଏସ୍‌ ପାଇଁ ଆବେଦନ କରିଥିବାରୁ ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଥିବା ବଳକା ଟଙ୍କାରେ ସରକାରଙ୍କ ଭାଗ ଜାଣିବା ପାଇଁ ଗଠନ କରାଯାଇଥିବା କମିଟିର ରିପୋର୍ଟ ମିଳିବା ଆହୁରି ବିଳମ୍ବ ହେବ ବୋଲି ଅନୁମାନ କରାଯାଉଛି। କମିଟିର ଶେଷ ବୈଠକରେ ରିପୋର୍ଟକୁ ଚୂଡ଼ାନ୍ତ ରୂପ ଦିଆଯାଇଥିଲା। କିନ୍ତୁ‌ ସେଥିରେ ସଦସ୍ୟମାନେ ସ୍ବାକ୍ଷର କରିନଥିଲେ। କମିଟିର ସୁପାରିସ୍‌କୁ ନେଇ ଏକମାତ୍ର ସଦସ୍ୟ ଭାବେ ଗର୍ଗ ଆପତ୍ତି ଉଠାଇଥିଲେ। ରିଜର୍ଭ ବ୍ୟାଙ୍କ ଭଣ୍ଡାରରୁ ଅଧିକ ଟଙ୍କା ଦିଆଯାଉ ବୋଲି ସେ ଦାବି କରିଥିଲେ। ଯେହେତୁ ପୂର୍ବ ବୈଠକରେ ଗର୍ଗ ଆପତ୍ତି ଉଠାଇଥିଲେ, ତେଣୁ ପୁଣି ଥରେ ଜାଲାନ କମିଟି ଅର୍ଥ ମନ୍ତ୍ରଣାଳୟର ମତ ନେଇପାରେ ବୋଲି କୁହାଯାଉଛି। ଏହା ହେଲେ କମିଟିର ରିପୋର୍ଟ ମିଳିବା ଆହୁରି ବିଳମ୍ବ ହେବ।

ସମ୍ବନ୍ଧିତ ଖବର