ଗୋପାଳପୁରରେ ହେବ ପୋଷାକ କାରଖାନା

ନିବେଶ ହେବ ୧୭୭ କୋଟି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ଏକ ପୋଷାକ କାରଖାନା ପ୍ରତିଷ୍ଠା କରାଯିବ। କେରଳର କଂପାନି କାଇଟେକ୍ସ ଗାର୍ମେଣ୍ଟ୍‌ସ୍‌ ଲିମିଟେଡ୍‌ ପକ୍ଷରୁ ଏହି କାରଖାନା ପ୍ରତିଷ୍ଠା କରିବା ପାଇଁ ୧୭୭ କୋଟି ଟଙ୍କା ନିବେଶ କରାଯିବ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୫୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗୋ-ସ୍ୱିଫ୍ଟରେ ଏହା ହେଉଛି ୩୦୦ତମ ନିବେଶ ପ୍ରସ୍ତାବ। ନିବେଶକମାନଙ୍କୁ ଏକ ସିଙ୍ଗଲ୍‌ ଓ୍ଵିଣ୍ଡୋ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ୨୦୧୭ ନଭେମ୍ବରରେ ଗୋ-ସ୍ୱିଫ୍ଟ ଆରମ୍ଭ କରାଯାଇଥିଲା। ଏହା ପରଠାରୁ ଆଠ ମାସ ଭିତରେ ଏହା ଜରିଆରେ ମୋଟ ୧୮,୨୦୮ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ସବୁ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ୨୯ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗୋ-ସ୍ୱିଫ୍ଟରେ ସରକାର ଖାଦ୍ୟ ପ୍ରକ୍ରିୟାକରଣ, ସିଫୁଡ୍‌, ଆଲୁମିନିୟମ୍‌, ପୋଷାକ, ସିମେଣ୍ଟ୍‌ ଓ ପର୍ଯ୍ୟଟନ କ୍ଷେତ୍ର ଆଦି ପାଇଁ ନିବେଶ ପ୍ରସ୍ତାବ ହାସଲ କରିଛନ୍ତି। ଏହା କାର୍ଯ୍ୟକାରୀ ହେବା ପରେ ନିବେଶ ପ୍ରସ୍ତାବ ଆଗମନରେ ୨୦% ବୃଦ୍ଧି ହୋଇଥିବା ସରକାର ଦାବି କରିଛନ୍ତି।

ଏ ସମ୍ପର୍କରେ ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ, ଖୁବ୍‌ କମ୍‌ ସମୟ ଭିତରେ ଆମେ ୩୦୦ତମ ପ୍ରସ୍ତାବ ହାସଲ କରିଥିବାରୁ ବହୁତ ଖୁସି। ଆବେଦନ ଓ ମଞ୍ଜୁରି ପ୍ରକ୍ରିୟାକୁ ସହଜ କରାଯିବା ପରେ ଅନେକ ନିବେଶକ ରାଜ୍ୟରେ ପୁଞ୍ଜିନିବେଶ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ଏହି ସବୁ ପ୍ରସ୍ତାବକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଅତୀତରେ ଗୋ-ସ୍ୱିଫ୍ଟ ପ୍ଲାଟ୍‌ଫର୍ମ ଜରିଆରେ ମନପସନ୍ଦ ବେଭରେଜେସ୍‌, ଆଇଟିସି ଫୁଡସ୍‌, ଅପାର୍‌ ଇଣ୍ଡଷ୍ଟ୍ରିଜ୍‌, ମାଲାନି ଫୋମ୍ସ, ବେଦାନ୍ତ, ଲାଲ୍‌ଚାନ୍ଦ ରିସୋର୍ଟସ୍‌, ଜେଏସ୍‌ଡବ୍‌ଲ୍ୟୁ ସିମେଣ୍ଟ୍‌, ଗୋକୁଲ୍‌ ଆଗ୍ରୋ ଓ ଜିନ୍ଦଲ ଆଲୁମିନିୟମ୍‌ ଭଳି କଂପାନିର ନିବେଶ ପ୍ରସ୍ତାବ ଆସିଛି। ଉଲ୍ଲେଖଯୋଗ୍ୟ, ୨୦୨୫ ସୁଦ୍ଧା ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିବା ଓ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର