ଭୁବନେଶ୍ବର: ଚଣ୍ଡିଖୋଲଠାରେ ଏକ ପାଇପ୍ଲାଇନ୍ ପାର୍କ ସ୍ଥାପନ କରିବାର ଯୋଜନା ରହିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଜାତୀୟ ଅବକ୍ଷୟ ନିୟନ୍ତ୍ରଣ ସମ୍ମିଳନୀକୁ ଉଦ୍ଘାଟନ କରି ସେ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ସେ କହିଲେ, ପାଇପ୍ ଜରିଆରେ ଗ୍ୟାସ୍ ଯୋଗାଣ ପାଇଁ ପାଇପ୍ଲାଇନ୍ ବିଛାଇବାରେ ଦେଶରେ ୭୦ ହଜାର କୋଟି ଟଙ୍କା ନିବେଶ କରାଯିବ। ସେଥି ମଧ୍ୟରୁ ୪୫୦୦ କୋଟି ଟଙ୍କା ଓଡ଼ିଶାରେ ନିବେଶ ହେବ ଓ ରାଜ୍ୟରେ ୧୭୦୦ କିଲୋମିଟର ପାଇପ୍ଲାଇନ୍ ବିଛାହେବ। ଧାମରାରୁ ବାଂଲାଦେଶ ଓ ବାଲାଂଦେଶ ଦେଇ ମିଆଁମାରକୁ ପାଇପ୍ଲାଇନ୍ ଜରିଆରେ ଯୋଡ଼ିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ପାରାଦୀପ-ହାଇଦ୍ରାବାଦ, ପାରାଦୀପ-ଧାମରା-ହଲଦିଆ ଓ ସୋମନାଥପୁର-ହଳଦିଆ ପାଇପ୍ଲାଇନ୍ର ନିର୍ମାଣ କାର୍ଯ୍ୟ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି। ପାରାଦୀପ, ଧାମରା ଓ ଗୋପାଳପୁରରେ ବନ୍ଦର ଭିତ୍ତିକ ଶିଳ୍ପର ବିକାଶ ପାଇଁ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ତେଣୁ ଏହି ସବୁ ସ୍ଥାନରେ ପୁଞ୍ଜିନିବେଶ ପରିମାଣ ବଢ଼ାଇବାକୁ ସେ ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି। ପାରାଦୀପରେ ପାଇପ୍ଲାଇନ୍ କୋଟିଂ ଓ ହୁସ୍ ଉତ୍ପାଦନ ପାଇଁ କେତେକ ନିବେଶକ ଆଗ୍ରହ ପ୍ରକାଶ କରିଥିବା ସେ କହିଛନ୍ତି। ପାରାଦୀପ ତୈଳ ବିଶୋଧନାଗାରର କ୍ଷମତା ବଢ଼ାଇବାକୁ ସରକାର ଯୋଜନା ରଖିଛନ୍ତି ଏବଂ ଏହି ପ୍ରକଳ୍ପରୁ ଚଳିତ ମାସରେ ପଲିପ୍ରୋପିଲିନ୍ ଉତ୍ପାଦନ ଆରମ୍ଭ ହେବ ବୋଲି ସେ କହିଛନ୍ତି। ପଶ୍ଚିମ ଭାରତ ଭଳି ପୂର୍ବ ଭାରତକୁ ବିକଶିତ କରିବାକୁ ହେଲେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧିର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଭାରତୀୟ ଜାତୀୟ ଅବକ୍ଷୟ ନିୟନ୍ତ୍ରଣ ପରିଷଦ କରାଇକୁଡି, ସିଏସ୍ଆଇଆର୍, ଭାରତୀୟ ତୈଳ ନିଗମର ପାଇପ୍ଲାଇନ ଡିଭିଜନ ଏବଂ ଦକ୍ଷିଣ-ପୂର୍ବ କ୍ଷେତ୍ରୀୟ ପାଇପ ଲାଇନ୍ ସଂସ୍ଥା ଭୁବନେଶ୍ୱରର ମିଳିତ ସହଯୋଗରେ ଏହି ତିନିଦିନିଆ ସମ୍ମିଳନୀ ଆୟୋଜନ କରାଯାଇଛି। ଶିଳ୍ପ ସଂସ୍ଥାରେ ବ୍ୟବହାର ହୋଇଥିବା ଧାତବ ସାମଗ୍ରୀର ଅବକ୍ଷୟର କିଭଳି ମୁକାବିଲା କରାଯିବ ସେ ନେଇ ଏହି ସମ୍ମିଳନୀରେ ଆଲୋଚନା ହେବ। ଏହି ଅବସରରେ ଆଇଓସିଏଲ୍ର ଅଧ୍ୟକ୍ଷ ସଞ୍ଜୀବ ସିଂହ, ନିର୍ଦେଶକ-ପାଇପ୍ଲାଇନ୍ ଏସ୍ କେ ସିଂହ, ଇଡି ଏ କେ ତିୱାରୀ, ପାରାଦୀପ ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରାୟ ଓ ସିଏସ୍ଆଇଆର୍ର ନିର୍ଦେଶିକା ଡକ୍ଟର ବି ଚନ୍ଦ୍ରଶେଖରନ୍ ଉପସ୍ଥିତ ଥିଲେ।
ଗ୍ୟାସ୍ ପାଇପ୍ଲାଇନ୍ରେ ନିବେଶ ହେବ ୭୦ ହଜାର କୋଟି
ଜାତୀୟ ଅବକ୍ଷୟ ନିୟନ୍ତ୍ରଣ ସମ୍ମିଳନୀ ଆରମ୍ଭ
/sambad/media/post_attachments/wp-content/uploads/2018/12/Untitled-4-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)