ଡିସେମ୍ବର ଗ୍ୟାସ୍‌ ଦରବୃଦ୍ଧିକୁ ଟାଳିଦେଲେ

ନୂଆଦିଲ୍ଲୀ: ସବ୍‌ସିଡିରେ ଗ୍ରାହକଙ୍କୁ ଯୋଗାଇ ଦିଆଯାଉଥିବା ଏଲ୍‌ପିଜିର ଦରବୃଦ୍ଧିକୁ ଡିସେମ୍ବରରେ ସରକାରୀ ତେଲ କମ୍ପାନି ଗୁଡ଼ିକ ଟାଳି ଦେଇଛନ୍ତି। ଗୁଜରାଟ ନିର୍ବାଚନ ପାଇଁ କମ୍ପାନି ଗୁଡ଼ିକ ଗ୍ୟାସର ଏହି ମାସିକ ଦର ସଂଶୋଧନକୁ ଏଡ଼ାଇ ଯାଇଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରାୟତ୍ତ ତେଲ କମ୍ପାନି ଗୁଡ଼ିକ ୨୦୧୮ ମାର୍ଚ ପରେ ଆଉ ରନ୍ଧନ ଗ୍ୟାସ୍‌ରେ ସବ୍‌ସିଡି ଦେବେ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗତବର୍ଷ ଜୁଲାଇରୁ ପ୍ରତିମାସ ପହିଲାରେ ଏଲ୍‌ପିଜି ଦର ବୃଦ୍ଧି ଘଟୁଛି। ଫଳରେ ଗତ ୧୭ ମାସ ମଧ୍ୟରେ ୧୯ଟି କିସ୍ତିରେ ରନ୍ଧନ ଗ୍ୟାସ ଦର ୭୬ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। କିନ୍ତୁ ଚଳିତମାସରେ କମ୍ପାନି ଗୁଡ଼ିକ ଏହି ମୂଲ୍ୟ ବୃଦ୍ଧି କରିନାହାନ୍ତି। ଚଳିତମାସରେ ଏଲ୍‌ପିଜି ଦର ବୃଦ୍ଧି କରାଯାଇ ନଥିବା ବିଷୟକୁ ମଧ୍ୟ ଏକ ତେଲ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ସ୍ୱୀକାର କରିଛନ୍ତି। ତେବେ ଏହି ନିଷ୍ପତ୍ତି ନେବାର କାରଣ କ’ଣ ତାହା ସେ କହିପାରିବେ ନାହିଁ ବୋଲି କହିଛନ୍ତି। ଡିସେମ୍ବରରେ ଦର ସଂଶୋଧନ ନକରିବାକୁ ସରକାର ନିର୍ଦେଶ ଦେଇଥିଲେ କି ବୋଲି ହୋଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଅଧିକାରୀଜଣକ ମନା କରିଦେଇଛନ୍ତି। ଏକ ସରକାରୀ ତେଲ କମ୍ପାନିର ବିଜ୍ଞପ୍ତି ଅନୁଯାୟୀ, ଏଲ୍‌ପିଜିର ଦରବୃଦ୍ଧି ଶେଷଥର ପାଇଁ ଗତ ନଭେମ୍ବର ୧ତାରିଖରେ ହୋଇଥିଲା। ସିଲିଣ୍ଡର ପିଛା ଦର ୪ ଟଙ୍କା ୫୦ ପଇସା ବଢ଼ାଯାଇ ୪୯୫ ଟଙ୍କା ୬୯ ପଇସାରେ ରଖାଯାଇଥିଲା। ସରକାର ସବ୍‌ସିଡିରେ ପ୍ରଦାନ କରୁଥିବା ଏଲ୍‌ପିଜି ଦର ଚଳିତମାସରେ ବୃଦ୍ଧି କରି ନଥିଲେ ମଧ୍ୟ ଅଣ ସବ୍‌ସିଡି ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫ ଟଙ୍କା ବୃଦ୍ଧି କରିଛନ୍ତି।

ସମ୍ବନ୍ଧିତ ଖବର