ଜିଏସ୍‌ଟିରେ ସାମିଲ ହୋଇପାରେ ପେଟ୍ରୋଲ୍: କେନ୍ଦ୍ର ଆଣିବ ପ୍ରସ୍ତାବ

ଜିଏସ୍‌ଟି ‌ପରିଷଦ ବୈଠକରେ ହେବ ଆଲୋଚନା

ନୂଆଦିଲ୍ଲୀ: ପେଟ୍ରୋଲ୍‌ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଂଗ୍ରହ କରୁଥିବା ଟିକସ ବହୁ ଦିନ ଧରି ଚର୍ଚ୍ଚାର ବିଷୟ ହୋଇ ରହିଛି। ଏବେ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଥିବା ଏକ ଲିଟର ପେଟ୍ରୋଲ୍‌ରୁ ୬୦ ଟଙ୍କାର ଟିକସ ଆଦାୟ କରାଯାଉଛି। କେନ୍ଦ୍ର ସରକାର ୩୩ ଟଙ୍କା ଓ ବଳକା ରାଜ୍ୟ ସରକାର ସଂଗ୍ରହ କରୁଛନ୍ତି। ‌ରାଜସ୍ବ ହରାଇବା ଆଶଙ୍କା ଥିବାରୁ ଉଭୟ ପକ୍ଷ ଟିକସ କମ୍ କରିବାକୁ ରାଜି ହେଉନାହାନ୍ତି। ଏଭଳି ପରିସ୍ଥିତିରେ ପେଟ୍ରୋଲିୟମ୍ ସାମଗ୍ରୀକୁ ଜିଏସ୍‌ଟି ପରିସରରେ ସାମିଲ କରିବା ଲାଗି ଆନୁଷ୍ଠାନିକ ପ୍ରସ୍ତାବ ଦେବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଚଳିତ ମାସ ୧୭ରେ ଲକ୍ଷ୍ନୌରେ ଅନୁଷ୍ଠିତ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଏନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

ଏବେ ପେଟ୍ରୋଲ୍‌ ଉପରୁ ୬୦% ଭଳି ଉଚ୍ଚ ହରରେ ଟିକସ ସଂଗ୍ରହ କରାଯାଉଛି। ମାତ୍ର ଜିଏସ୍‌ଟିରେ ତାହା ସାମିଲ ହେଲେ ସର୍ବାଧିକ ୨୮% ଟିକସ ଲଗାଯାଇପାରିବ। ପୁଣି ପରିଷଦ ବୈଠକରେ ଆଲୋଚନା ଆଧାରରେ ତାହା ଉପରେ ୫%, ୧୨%, ୧୮% କିମ୍ବା ୨୮% ମଧ୍ୟରୁ ‌ଯେକୌଣସି ଗୋଟିଏ ସ୍ଲାବ୍ ଲଗାଯାଇପାରେ। ଯଦି ୨୮%ରୁ କମ୍ ହାରର ଟିକସ ଲଗାଯିବ ତେବେ ପେ‌ଟ୍ରୋଲ୍ ଦାମ୍ ଆହୁରି ଶସ୍ତା ହେବ। କିନ୍ତୁ ଏହି ପ୍ରସ୍ତାବ ଉପରେ ରାଜ୍ୟଗୁଡ଼ିକ କିଭଳି ପ୍ରତିକ୍ରିୟା ପ୍ରକାଶ କରିବେ ତାହା ଦେଖିବାକୁ ବାକି ରହିଛି। କାରଣ ମଦ ଏବଂ ପେଟ୍ରୋଲିୟମ୍ ସାମଗ୍ରୀରୁ ରାଜ୍ୟଗୁଡ଼ିକ ଯାହା କିଛି ଟିକସ ସଂଗ୍ରହ କରୁଛନ୍ତି। ଅନ୍ୟଥା ପାଣ୍ଠି ପାଇଁ ସେମାନଙ୍କୁ କେନ୍ଦ୍ରର ଟିକସ ଭାଗ ଉପରେ ନିର୍ଭର କରିବାକୁ ପଡ଼ୁଛି। କେନ୍ଦ୍ର ସରକାର ସେସ୍‌ ଓ ସରଚାର୍ଜ ଲଗାଇ ମଧ୍ୟ ବିପୁଳ ‌ଆୟ କରୁଛନ୍ତି ଓ ସେହି ଟଙ୍କା ରାଜ୍ୟଗୁଡ଼ିକ ସହ ଭାଗବଣ୍ଟା କରିବାକୁ ପଡ଼ୁନାହିଁ। ଏଭଳି ପରିସ୍ଥିତିରେ ନିଜର ଶେଷ କିଛି ରାଜସ୍ବ ଉତ୍ସ ହରାଇବାକୁ ରାଜ୍ୟଗୁଡ଼ିକ ‌ରାଜି ହେବେ ନା ନାହିଁ ତାହା ଜିଏସ୍‌ଟି ପରିଷଦ ବୈଠକରେ ହେବାକୁ ଥିବା ଆଲୋଚନାରୁ ଜଣାପଡ଼ିବ।
ପେଟ୍ରୋଲ୍ ଓ ଡିଜେଲ୍‌କୁ ଜିଏସ୍‌ଟିରେ ସାମିଲ କରିବା ଉପରେ ବିଚାର କରିବାକୁ କୋର୍ଟ ମଧ୍ୟ କହିଛନ୍ତି। ତେଣୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଏନେଇ ଆନୁଷ୍ଠାନିକ ଆଲୋଚନା ହେବ। ତେବେ ଏବିଷୟରେ ଅର୍ଥ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। କୌଣସି ପ୍ରସ୍ତାବ ଅନୁମୋଦିତ ହେବାକୁ ହେଲେ ଜିଏସ୍‌ଟି ପରିଷଦର ତିନି ଚତୁର୍ଥାଂଶ ସଦସ୍ୟଙ୍କ ମଞ୍ଜୁରି ଦରକାର।

ଜିଏସ୍‌ଟି ପରିଷଦରେ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ପ୍ରତିନିଧି ସଦସ୍ୟ ରହିଛନ୍ତି। ସହମତି ଭିତ୍ତିରେ ସବୁ କିଛି ନିଷ୍ପତ୍ତି ଗ୍ରହଣ କରାଯାଉଛି। ତେଲ ଉପରେ ଚଢ଼ା ଟିକସ ଲାଗୁ କରାଯାଇଥିବାରୁ ‌ତାହା ଦେଶର ଦରଦାମ୍ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ଅନ୍ୟ ବିଶେଷଜ୍ଞମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ତୈଳ ଦରବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ରିଜର୍ଭ ବ୍ୟାଙ୍କ ପାଇଁ କଷ୍ଟକର ହେଉଛି। ରେଟିଂ ଏଜେନ୍ସିଗୁଡ଼ିକ ମଧ୍ୟ ତେଲ ଉପରୁ ଟିକସ କମ୍ କରିବା ଲାଗି ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଆଗାମୀ ଜିଏସ୍‌ଟି ପରିଷଦ ବୈଠକରେ କେବଳ ତୈଳ ନୁହେଁ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଲୁହା, ତମ୍ବା ଏବଂ କିଛି ଖଣିଜ ପଦାର୍ଥ ଉପରେ ୧୮% ଓ ଅକ୍ଷୟ ଶକ୍ତି ଉପକରଣ ଉପରେ ୧୨% ଜିଏସ୍‌ଟି ଲଗାଇବା ପ୍ରସ୍ତାବ ଉପରେ ଆଲୋଚନା ହେବ। ଏହା ବ୍ୟତୀତ, ୨୦୨୨ ଜୁନ୍ ପରେ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦିଆଯିବ ନା ନାହିଁ ସେ ଉପରେ ମଧ୍ୟ ଆଲୋଚନା ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର