ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଭାରତୀୟ ଅର୍ଥନୀତିର ପ୍ରତିଟି କ୍ଷେତ୍ରକୁ ପ୍ରଭାବିତ କରିବା ଆରମ୍ଭ କଲାଣି। ସାଧାରଣ ଖାଉଟିଙ୍କ ଠାରୁ ଆରମ୍ଭ କରି ପୁଞ୍ଜି ବଜାରର ନିବେଶକ ଓ ଆମଦାନିକାରୀ କେହି ଆଦି ସମସ୍ତେ ଯୁଦ୍ଧ ଦ୍ବାରା ସୃଷ୍ଟି ହୋଇଥିବା ଅର୍ଥନୈତିକ ଚାପକୁ ସହୁଛନ୍ତି। ପୁଞ୍ଜି ବଜାର ଠାରୁ ଆରମ୍ଭ କରି ମୁଦ୍ରା ବିନିମୟ ବଜାର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଆଜି ଏହାର ସ୍ପଷ୍ଟ ପ୍ରତିଫଳନ ଦେଖିବାକୁ ମିଳିଛି। ଷ୍ଟକ ବଜାର କାରବାର ଅସ୍ଥିର ହୋଇପଡ଼ିଥିବା ବେଳେ ସୁନା ମହଙ୍ଗା ହୋଇଯାଇଛି। ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୩୦ ଡଲାରରୁ ଅଧିକ ହୋଇଥିବା ବେଳେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି।
ଆଜି ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୩୯ ଡଲାରରୁ ଅଧିକ ହୋଇଯାଇଛି। ୨୦୦୮ ପରେ ପ୍ରଥମ ଥର ଲାଗି ଅଶୋଧିତ ତୈଳ ଦରକୁ ଏଭଳି ଉଚ୍ଚ ସ୍ତରରେ ଦେଖିବାକୁ ମିଳୁଛି। ଆଜି ଏକ ସମୟରେ ବେଣ୍ଟ୍ କ୍ରୁଡ୍ ମୂଲ୍ୟ ୧୩୯.୧୩ ଡଲାର ଓ ୱେଷ୍ଟ ଟେକ୍ସାସ୍ ଇଣ୍ଡେକ୍ସ ଦାମ୍ ୧୩୦.୫୦ ଡଲାର ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଥିଲା। ଲେହମ୍ୟାନ୍ ବ୍ରଦର୍ସ ବ୍ୟାଙ୍କର ପତନ ପରେ ସାରା ବିଶ୍ବରେ ଦେଖାଦେଇଥିବା ମାନ୍ଦାବସ୍ଥା ପ୍ରଭାବରେ ୨୦୦୮ରେ ଅଶୋଧିତ ତେଲ ଦାମ୍ ଏହାର ସର୍ବୋଚ୍ଚ ସ୍ତର ୧୪୭.୫୦ ଡଲାରରେ ପହଞ୍ଚିଥିଲା। ନିଜ ଆବଶ୍ୟକତାର ୮୨% ତେଲ ଆମଦାନି କରୁଥିବା ଭାରତ ତୈଳ ଦରବୃଦ୍ଧିକୁ ନେଇ ବେଶ ଚିନ୍ତିତ ହୋଇପଡ଼ିଛି। ଗତବର୍ଷ ନଭେମ୍ବରରୁ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ିନଥିଲେ ମଧ୍ୟ ଏବେବି ୧୦୦ ଟଙ୍କାରୁ ଅଧିକ ଦାମ୍ରେ ପେଟ୍ରୋଲ୍ ବିକ୍ରି ହେଉଛି। ୨୦୨୧ ନଭେମ୍ବରରେ ଅଶୋଧିତ ତୈଳ ଦର ୮୨ ଡଲାର ପାଖାପାଖି ଥିଲା। ଇତି ମଧ୍ୟରେ ସେଥିରେ ୪୮ ଡଲାରର ବୃଦ୍ଧି ହେଲାଣି। ତେଲ କଂପାନିଗୁଡ଼ିକ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରିରେ ଏବେ ପ୍ରାୟ ୧୫ ଟଙ୍କା କ୍ଷତି ସହୁଛନ୍ତି। ତେଣୁ ଖୁବଶୀଘ୍ର ତେଲ ଦର ୧୫ ଟଙ୍କା ବଢ଼ିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କଲେଣି। ବିଭିନ୍ନ ରାଜ୍ୟରେ ଚାଲିଥିବା ନିର୍ବାଚନ ଶେଷ ହୋଇଥିବାରୁ ଚଳିତ ସପ୍ତାହରୁ ଯେକୌଣସି ଦିନ ପେଟ୍ରୋଲ୍ ଓ ଡିଜେଲ୍ ଦରରେ ବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଅନୁମାନ କରାଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ହ୍ରାସ ନକଲେ ଗ୍ରାହକଙ୍କୁ ପେଟ୍ରୋଲ୍ ଓ ଡିଜେଲ୍ କିଣିବା ଲାଗି ପକେଟ୍ରୁ ଅଧିକ ଟଙ୍କା ବାହାର କରିବାକୁ ପଡ଼ିବ।
ଆଜି ବମ୍ବେ ଷ୍ଟକ ବଜାରର ସୂଚକାଙ୍କ ସେନ୍ସେକ୍ସ ୧୪୯୧ ପଏଣ୍ଟ୍ ହ୍ରାସ ପାଇ ୫୨,୮୪୨ ପଏଣ୍ଟ୍ରେ ବନ୍ଦ ହୋଇଛି। ଏଥିପାଇଁ ନିବେଶକମାନେ ପ୍ରାୟ ୫.୪୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଗତ ଚାରିଟି କାରବାର ଦିନରେ ସେନ୍ସେକ୍ସ ୩,୪୦୪ ପଏଣ୍ଟ୍ ହ୍ରାସ ପାଇଥିବା ବେଳେ ନିବେଶକମାନେ ୧୧.୨୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଆଜି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ର ସୂଚକାଙ୍କ ନିଫ୍ଟି ମଧ୍ୟ ୩୮୨ ପଏଣ୍ଟ୍ ହ୍ରାସ ପାଇ ୧୫,୮୬୩ ପଏଣ୍ଟ୍ରେ ବନ୍ଦ ହୋଇଛି। ୟୁକ୍ରେନ୍ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ କେବେ ହେବ ତାହା ଆକଳନ କରାଯାଇପାରୁନଥିବା ବେଳେ ଅଶୋଧିତ ତୈଳ ଦାମ୍ ପ୍ରତିଦିନ ବଢ଼ୁଥିବାରୁ ନିବେଶକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଯେଉଁ କ୍ଷେତ୍ରରୁ ରିଟର୍ଣ୍ଣ ମିଳିବାର କମ୍ ସମ୍ଭାବନା ରହିଛି କିମ୍ବା ନିବେଶ ରାଶି ବୁଡ଼ିଯିବାର ଆଶଙ୍କା ରହିଛି ସେହି କ୍ଷେତ୍ରରେ ଥିବା କଂପାନିଗୁଡ଼ିକର ସେୟାରକୁ ନିବେଶକମାନେ କମ୍ ଦାମ୍ରେ ବିକ୍ରି କରୁଛନ୍ତି। କେବଳ ଭାରତ ନୁହେଁ ବିଶ୍ବର ବିଭିନ୍ନ ଦେଶରେ ଏହି ଧାରା ଜାରି ରହିଛି।
ଭାରତ ପାଇଁ ଅନ୍ୟତମ ଚିନ୍ତାର ବିଷୟ ହେଉଛି ଆମେରିକୀୟ ଡଲାର ତୁଳନାରେ ଟଙ୍କା ପ୍ରତିଦିନ ଦୁର୍ବଳ ହେବାରେ ଲାଗିଛି। ସୋମବାର ଏକ ଡଲାର କିଣିବା ଲାଗି ଭାରତୀୟ ମୁଦ୍ରାରେ ୭୭ ଟଙ୍କା ୧ ପଇସା ଗଣିବାକୁ ପଡ଼ିଛି। ଟଙ୍କାର ଏଭଳି ଦୁର୍ବଳ ସ୍ଥିତି ଆମଦାନିକାରୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଯେତେ ସବୁ ସାମଗ୍ରୀ ଆମଦାନି କରାଯାଉଛି ସେଥିପାଇଁ ପୂର୍ବାପେକ୍ଷା ଅଧିକ ଟଙ୍କା ଗଣିବାକୁ ହେବ। ଫଳରେ ଆମଦାନି ହୋଇ ଆସୁଥିବା ସାମଗ୍ରୀ ଅଧିକ ଦାମ୍ରେ ବଜାରରେ ବିକ୍ରି ହେବ। ଡଲାର ଚାହିଦା ବଢ଼ିଲେ ଗଚ୍ଛିତ ମୁଦ୍ରା ଭଣ୍ଡାରରେ ଥିବା ଡଲାର ବାହାର କରି ବଜାରରେ ବିକ୍ରି କରିବାକୁ ପଡ଼ିବ। ଟଙ୍କାକୁ ସବଳ କରିବା ଲାଗି ରିଜର୍ଭ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇପାରେ। ଶେଷ ଥର ଲାଗି ୨୦୨୧ ଡିସେମ୍ବର ୧୫ରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୬ ଟଙ୍କା ୧୭ ପଇସା ଭଳି ଦୁର୍ବଳ ସ୍ତରକୁ ଚାଲିଯାଇଥିଲା। ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ ପରଠାରୁ ସୁନା ଓ ରୁପା ମଧ୍ୟ ମହଙ୍ଗା ହେବାରେ ଲାଗିଛି। ଆଜି ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୫୦୦ ଟଙ୍କା ବୃଦ୍ଧି ପାଇ ୫୩ ହଜାର ଟଙ୍କାରୁ ଅଧିକ ହୋଇଯାଇଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୨୦୦୦ ଡଲାରରୁ ଅଧିକ ହୋଇଛି। ରୁପାର କିଲୋ ପିଛା ଦାମ୍ ୨୦୦୦ ଟଙ୍କା ବୃଦ୍ଧି ପାଇ ୭୦ ହଜାର ଟଙ୍କାରୁ ଅଧିକ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/gold-and-oil.jpg)