ଖୁବଶୀଘ୍ର ଜେଫ୍ ବେଜୋସଙ୍କୁ ଟପି ବିଶ୍ବର ନଂ୨ ଧନୀ ବ୍ୟକ୍ତି ହେବେ ଗୌତମ ଅଦାନୀ !

ନୂଆଦିଲ୍ଲୀ : ଭାରତୀୟ ଶିଳ୍ପପତି ଗୌତମ ଅଦାନୀଙ୍କ ସଂପତ୍ତି ଦ୍ରୁତ ଗତିରେ ବଢିଚାଲିଛି । ଏପରିକି ସେ ଖୁବଶୀଘ୍ର  ଆମାଜନ ମୁଖ୍ୟ ଜେଫ୍ ବେଜୋସଙ୍କୁ ଅତିକ୍ରମ କରି ବିଶ୍ବର ଧନୀ ତାଲିକାରେ ୨ନମ୍ବର ସ୍ଥାନକୁ ଉନ୍ନୀତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ବ୍ଲୁମ୍ବର୍ଗ ବିଲିୟନେର୍ ଇଣ୍ଡେକ୍ସ ଅନୁସାରେ ନଂ୨ ସ୍ଥାନରେ ଥିବା ଜେଫ ବେଜୋସଙ୍କ ମୋଟ ସଂପତ୍ତିର ପରିମାଣ ୧୫୦ ବିଲିୟନ ଡଲାର ଥିବାବେଳେ ଗୌତମଙ୍କ ମୋଟ ସଂପତ୍ତିର ପରିମାଣ ୧୪୭ ବିଲିୟନ ଡଲାର ରହିଛି । ଅର୍ଥାତ ଦୁଇଜଣଙ୍କ ସଂପତ୍ତି ମଧ୍ୟରେ ୩ ବିଲିୟନ ଡଲାରର ବ୍ୟବଧାନ ରହିଛି ।

ତେବେ ଦୁହିଁଙ୍କ ମଧ୍ୟରେ ବ୍ୟବଧାନ କମିବାର ଏକ ବଡ଼ କାରଣ ହେଉଛି ଗତ ପ୍ରାୟ ଏକ ସପ୍ତାହରେ ଜେଫ ବେଜୋସଙ୍କ ସଂପତ୍ତି କମିଚାଲିଛି । ଏପରିକି ସେ ଗୋଟିଏ ଦିନରେ ୯.୮ ବିଲିୟନ ଡଲାର ( ପ୍ରାୟ ୮୦ ହଜାର କୋଟି ଟଙ୍କା) ହରାଇଛନ୍ତି । ଗତ ସପ୍ତାହରେ ଦୁହିଁଙ୍କ ସଂପତ୍ତି ମଧ୍ୟରେ ବ୍ୟବଧାନ ୭ ବିଲିୟନ ଡଲାର ଥିଲା ।

ଆମେରିକାରେ ମୁଦ୍ରାସ୍ପୀତି ବଢିଥିବା ସଂପର୍କରେ ରିପୋର୍ଟ ଆସିବା ପରେ ଆମେରିକୀୟ ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ ଦେଖାଦେଇଛି । ଏହି କାରଣରୁ ବିଶ୍ବ ନଂ୧ ଧନୀ ଏଲନ ମସ୍କ ଓ ନଂ୨ ଜେଫ ବୋଜୋସଙ୍କ ସଂପତ୍ତିରେ ଦ୍ରୁତ ହ୍ରାସ ଦେଖାଦେଇଛି ।

ଅନ୍ୟପକ୍ଷରେ ଗତ ଏକ ବର୍ଷ ହେଲା ଗୌତମ ଅଦାନୀଙ୍କ ସଂପତ୍ତି ମୂଲ୍ୟ ଦ୍ରୁତ ଗତିରେ ବଢୁଥିବା ଦେଖାଯାଇଛି । ଗୋଟିଏ ବର୍ଷରେ ତାଙ୍କର ମୋଟ ସଂପତ୍ତି ପରିମାଣରେ ୭୦ ବିଲିୟନ ଡଲାର ଯୋଗ ହୋଇଛି ।

 

ସମ୍ବନ୍ଧିତ ଖବର