କମ୍ପାନିରେ ଅଂଶଧନ ବଢ଼ାଇଲେ ଗୌତମ ଆଦାନି: ପ୍ରମୋଟର ଗ୍ରୁପ୍‌ର ଅଂଶଧନ ୭୩.୯୫%କୁ ବୃଦ୍ଧି

ନୂଆଦିଲ୍ଲୀ: ଆଦାନି ଗ୍ରୁପର ପ୍ରମୋଟର ଗୌତମ ଆଦାନି ଗ୍ରୁପର ଫ୍ଲାଗସିପ୍ କମ୍ପାନି ଆଦାନି ଏଣ୍ଟରପ୍ରାଇଜେସ୍‌ରେ ନିଜର ଅଂଶଧନ ବୃଦ୍ଧି କରିଛନ୍ତି। ଗୌତମ ଆଦାନି ସେପ୍ଟେମ୍ବର ୨୦୨୩ରୁ ଖୋଲା ବଜାରରୁ ଆଦାନି ଏଣ୍ଟରପ୍ରାଇଜେସ୍‌ର ୨% ରୁ ଅଧିକ ଅଂଶଧନ କିଣିଛନ୍ତି। ଆଦାନି ଏଣ୍ଟରପ୍ରାଇଜେସ୍ ଶୁକ୍ରବାର (ଜୁନ୍ ୧୪) ଷ୍ଟକ ଏକ୍ସଚେଞ୍ଜ ଫାଇଲିଂରେ ଏହି ସୂଚନା ଦେଇଛି। କମ୍ପାନି କହିଛି ଯେ ଆଦାନି ଗ୍ରୁପ୍ ଏବଂ ଏହାର ସହ ଜଡିତ କମ୍ପାନିଗୁଡିକର ପ୍ରମୋଟରମାନେ ଖୋଲା ବଜାର ମାଧ୍ୟମରେ ଆଦାନି ଏଣ୍ଟରପ୍ରାଇଜେସ୍‌ର ସେୟାର କିଣିଛନ୍ତି।

ଏହି ଅଧିଗ୍ରହଣ ପୂର୍ବରୁ କମ୍ପାନିରେ ମୋଟ ଭୋଟିଂ ପୁଞ୍ଜି ବା ମତଦାନ ଅଧିକାର ଥିବା ପ୍ରମୋଟର ଗ୍ରୁପର ଅଂଶ ୭୧.୯୫% ଥିଲା, ଯାହା ଖୋଲା ବଜାରରେ କ୍ରୟ ପରେ ୨.୦୨% ବୃଦ୍ଧି ପାଇ ୭୩.୯୫% ହୋଇଛି । ଗତ କିଛିଟି କାରବାର ଦିବସରେ ଉଲ୍ଲେଖନୀୟ ବୃଦ୍ଧି ପାଇବା ପରେ ଜୁନ୍ ୪ରେ ଆଦାନି ଗ୍ରୁପ୍ କଂପାନିଗୁଡ଼ିକର ସେୟାର ୨୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଆଦାନି ଏଣ୍ଟରପ୍ରାଇଜେସ୍‌ର ସେୟାରରେ ୧୨% ବୃଦ୍ଧି ଘଟିଛି। ଜାନୁଆରି ୨୦୨୩ରେ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ପରେ ଗ୍ରୁପ୍ କଂପାନିଗୁଡ଼ିକର ସେୟାରରେ ବ୍ୟାପକ ହ୍ରାସ ଘଟିଥିଲା। ତେବେ ୨୦୨୪ ମେ’ ବେଳକୁ କଂପାନିଗୁଡ଼ିକ ଏହି ହ୍ରାସରୁ ସମ୍ପୂର୍ଣ୍ଣ ମୁକୁଳି ସାରିଥିଲେ। ଆଜି କଂପାନିର ସେୟାର ୧.୩୭% ବୃଦ୍ଧି ପାଇ ୩,୨୬୯ ଟଙ୍କାରେ ବନ୍ଦ ହୋଇଛି। କଂପାନିର ବଜାରପୁଞ୍ଜି ମଧ୍ୟ ୩.୭୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତ ଏକ ମାସ ମଧ୍ୟରେ କମ୍ପାନିର ଷ୍ଟକ ୭% ରୁ ଅଧିକ ବୃଦ୍ଧି ପାଇଛି । ସେହିପରି ଗତ ୬ ମାସ ମଧ୍ୟରେ ଏହାର ଷ୍ଟକ ୯% ବୃଦ୍ଧି ପାଇଛି। ଗତ ଏକ ବର୍ଷ ମଧ୍ୟରେ ଏହା ନିବେଶକମାନଙ୍କୁ ୩୩.୦୪% ରିଟର୍ଣ୍ଣ ଦେଇଛି।

ସମ୍ବନ୍ଧିତ ଖବର