ଅଳ୍ପ ସମୟ ପାଇଁ ବିଶ୍ବର ନଂ୨ ଧନୀ ହେଲେ ଗୌତମ୍ ଅଦାନୀ, ପୁଣି ନଂ୩କୁ ଖସିଲେ

ନୂଆଦିଲ୍ଲୀ : ଭାରତୀୟ ଶିଳ୍ପପତି ତଥା ଅଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଅଦାନୀ ଶୁକ୍ରବାରଦିନ ଅଳ୍ପ ସମୟ ପାଇଁ ବିଶ୍ବର ୨ ନମ୍ବର ଧନୀ ବ୍ୟକ୍ତିରେ ପରିଣତ ହୋଇଥିଲେ । ତେବେ କିଛି ସମୟ ପରେ ସେ ପୁଣି ୩ ନମ୍ବର ସ୍ଥାନକୁ ଖସିଆସିଥିଲେ ।

ଫୋର୍ବସ ରିଅଲ ଟାଇମ ବିଲିଅନେର୍ ତାଲିକାର ଦୁଇନମ୍ବର ସ୍ଥାନ ପାଇଁ ଫ୍ରାନ୍ସର ବର୍ନାଡ୍ ଆର୍ନଲଟ୍ ଓ ଭାରତର ଗୌତମ ଅଦାନୀଙ୍କ ମଧ୍ୟରେ କଡା ପ୍ରତିଦ୍ବନ୍ଦିତା ହୋଇଥିଲା । ଗୌତମ କିଛି ସମୟ ପାଇଁ ଆର୍ନଲଟଙ୍କୁ କାଟି ୨ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଥିଲେ । କିନ୍ତୁ ପରେ ପୁଣି ଆର୍ନଲଟ୍ ୨ ନମ୍ବର ସ୍ଥାନ ଅଧିକାର କରିଥିଲେ । ସର୍ବଶେଷ ସୂଚନା ଅନୁସାରେ, ଗୌତମଙ୍କ ମୋଟ ସଂପତ୍ତିର ପରିମାଣ ୧୫୪.୯ ବିଲିୟନ ଡଲାର ଥିବାବେଳେ ଆର୍ନଲଟଙ୍କ ମୋଟ ସଂପତ୍ତିର ପରିମାଣ ୧୫୫.୬ ବିଲିୟନ ଡଲାର ରହିଛି ।

ତେବେ ବ୍ଲୁମ୍ବର୍ଗ ବିଲିୟନେର ଇଣ୍ଡେକ୍ସ ଅନୁସାରେ ଗୌତମ ୩ ନମ୍ବର ସ୍ଥାନରେ ଥିବାବେଳେ ଆର୍ନଲଟ ୪ର୍ଥ ସ୍ଥାନରେ ରହିଛନ୍ତି । ଏପରିକି ଗୌତମ ଓ ୨ ନମ୍ବର ସ୍ଥାନରେ ଥିବା ଆମାଜନ ମୁଖ୍ୟ ଜେଫ ବେଜୋସଙ୍କ ସଂପତ୍ତି ମଧ୍ୟରେ ମାତ୍ର ୧ ବିଲିୟନ ଡଲାରର ଫରକ ରହିଛି ।

ଗତ ଏକ ବର୍ଷ ହେଲା ଗୌତମ ଅଦାନୀଙ୍କ ସଂପତ୍ତି ମୂଲ୍ୟ ଦ୍ରୁତ ଗତିରେ ବଢୁଥିବା ଦେଖାଯାଇଛି । ଗୋଟିଏ ବର୍ଷରେ ତାଙ୍କର ମୋଟ ସଂପତ୍ତି ପରିମାଣରେ ୭୦ ବିଲିୟନ ଡଲାର ଯୋଗ ହୋଇଛି ।

 

 

 

ସମ୍ବନ୍ଧିତ ଖବର