ମୁମ୍ବାଇ: ‘ଆଦାନୀ ଗ୍ରୁପ୍‌’ ଉପରେ ‘ୟୁ.ଏସ୍‌. ସର୍ଟ-ସେଲର୍‌ ‘ହିଣ୍ଡେନ୍‌ବର୍ଗ’ର ରିପୋର୍ଟ ଯୋଗୁଁ ଉପୁଜିଥିବା ସମସ୍ୟାଗୁଡ଼ିକୁ ପରୀକ୍ଷା କରିବା ଲାଗି ବିଶେଷଜ୍ଞ କମିଟି ଗଠନ କରିବା ଲାଗି ସୁପ୍ରିମ୍‌ କୋର୍ଟ ଦେଇଥିବା ରାୟକୁ ଆଜି କୋଟିପତି ଗ‌ୌତମ ଆଦାନି ସ୍ବାଗତ କରିଛନ୍ତି।

Advertisment

ଟୁଇଟ୍‌ କରି ଗୌତମ ଆଦାନୀ ଲେଖିଛନ୍ତି: ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ଆଦେଶକୁ ଆଦାନୀ ଗ୍ରୁପ୍‌ ସ୍ବାଗତ କରୁଛି। ଠିକଣା ସମୟରେ ଏହା ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବ। ସତ୍ୟର ବିଜୟୀ ହେବ।

ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି ଅଭୟ ମନୋହର ସାପ୍ରେଙ୍କ ନେତୃତ୍ବରେ ଗଠନ କରାଯିବାକୁ ଥିବା ଏହି କମିଟିରେ ବ‌ିଶିଷ୍ଟ ବ୍ୟାଙ୍କର୍‌ କେ.ଭି. କାମାଥ୍‌ ଏବଂ ଓ. ପି. ଭଟ୍ଟ, ‘ଇମ୍ଫୋସିସ୍‌’ର ସହ-ସଂସ୍ଥାପକ ନନ୍ଦନ ନିଲେକାନି, ଅବସରପ୍ରାପ୍ତ ବିଚାରପତି ଜେ. ପି. ଦେଓଧର ଏବଂ ଆଡ୍‌ଭୋକେଟ୍‌ ସୋମଶେଖର ସୁନ୍ଦରେସନଙ୍କୁ ସାମିଲ କରାଯିବ।

publive-image Image Courtesy of The Financial Express

ଏହି ମାମଲାରେ ରାୟ ଦେବା ବେଳେ ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହି‌ଛନ୍ତି, ବଜାର ନିୟନ୍ତ୍ରକ ‘ସେବି’ ଚଳାଇଥିବା ତା’ର ତଦନ୍ତ ଦୁଇ ମାସ ମଧ୍ୟରେ ଶେଷ କରି ‘ଷ୍ଟାଟସ୍‌ ରିପୋର୍ଟ’ ଦାଖଲ କରିବ।

ବିଶେଷଜ୍ଞମାନଙ୍କର ଏହି କମିଟି ଆଦାନୀ ବିବାଦର ତଦନ୍ତ କରିବା ସହିତ ବୈଧାନିକ ଢାଞ୍ଚାକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ପଦକ୍ଷେପ ଉପରେ ମତାମତ ଦେବ।

ସୂଚନାଯୋଗ୍ୟ, ନିବେଶକମାନଙ୍କୁ ସୁରକ୍ଷିତ ରଖିବା ଲାଗି ‘ରେଗୁଲେଟରି ମେକାନିଜମ୍‌’ ବ୍ୟବସ୍ଥା କରିବା ଲାଗି ଦାଏର୍‌ କରାଯାଇଥିବା ପିଟିସନ୍‌ଗୁଡ଼ିକର ଶୁଣାଣି କରିବା ସମୟରେ ସୁପ୍ରିମ୍‌ କୋର୍ଟ କମିଟି ଗଠନ ଲାଗି ଆଦେଶ‌ ଦେଇଛନ୍ତି।

ଏହାଛଡ଼ା, ନିୟମ ଉଲ୍ଲଂଘନ ଅଥବା ‘ସେୟାର୍‌’ ମୂଲ୍ୟରେ କିଛି ଜାଲିଆତି ହୋଇଛି କି, ନାହିଁ – ତଦନ୍ତ କରିବା ଲାଗି ମଧ୍ୟ ସୁପ୍ରିମ୍‌ କ‌ୋର୍ଟ ‘ସେବି’କୁ ନିର୍ଦେଶ ଦେଇଛନ୍ତି।