ଭୁବନେଶ୍ବର: ଦେଶର ବିଶିଷ୍ଟ ଶିଳ୍ପପତି ତଥା ଆଦାନୀ ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନୀ ନିକଟରେ ପୁରୀ ରଥଯାତ୍ରାରେ ସପରିବାର ଯୋଗଦେଇ ଫେରିଯାଇଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଡାକ ଶୁଣି ପୁରୀ ଦୌଡ଼ି ଆସିଥିବା ଆଦାନୀଙ୍କ ଏହି ଯାତ୍ରା ତାଙ୍କ ଆଧ୍ୟାତ୍ମିକ ପ୍ରତିବଦ୍ଧତାର ଏକ ଅଂଶ। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହା କୁମ୍ଭମେଳାରେ ସଫେଇ ଅଭିଯାନରେ ଯୋଗଦେବାଠାରୁ ଆରମ୍ଭ କରି ପୁରୀରେ ରଥ ଟାଣିବା ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ପରୋପକାରଠାରୁ ଆଗକୁ ବଢ଼ି ‘ସେବା ଭାବ’ରେ ପ୍ରତିଫଳିତ ହୋଇଛି। ‘ସେବା ହିଁ ସାଧନା’କୁ ଜୀବନର ମନ୍ତ୍ର କରିଥିବା ଗୌତମ ଚଳିତ ବର୍ଷ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଯୋଗଦେଇଥିଲେ। ତାଙ୍କ ସହ ପତ୍ନୀ ତଥା ଆଦାନୀ ଫାଉଣ୍ଡେସନର ଅଧ୍ୟକ୍ଷା ଡ. ପ୍ରୀତି ଆଦାନୀ ଏବଂ ବଡ଼ ପୁଅ ତଥା ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍ର ପରିଚାଳନା ନିର୍ଦ୍ଦେଶକ କରନ ଆଦାନୀ ପୁରୀ ଆସିଥିଲେ। ଦଇତାପତିଙ୍କୁ ସହଯୋଗଠାରୁ ଆରମ୍ଭ କରି ସଫେଇ ଅଭିଯାନରେ ସାମିଲ ହେବା ଏବଂ ଭକ୍ତଙ୍କୁ ମେଡିକାଲ୍ ସହାୟତା ଯୋଗାଇ ଦେବା ପର୍ଯ୍ୟନ୍ତ ତାଙ୍କ ସେବା କାର୍ଯ୍ୟ ବେଶ୍ ବ୍ୟାପକ ଥିଲା।
ଚଳିତ ବର୍ଷ ରଥଯାତ୍ରାରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ୪୦ ଲକ୍ଷ ଭୋଜନ ଓ ପାନୀୟ ମାଗଣାରେ ବଣ୍ଟନ କରାଯାଉଛି। ଏଥି ସହିତ ପୁରୀ ବେଳାଭୂମି ଲାଇଫ୍ଗାର୍ଡ ମହାସଂଘକୁ ଲାଇଫ୍ଗାର୍ଡ ପ୍ରଦାନ କରିବା, ସ୍ବେଚ୍ଛାସେବୀମାନଙ୍କୁ ଟି-ସାର୍ଟ, ମୁନିସିପାଲିଟି କର୍ମୀଙ୍କୁ ଫ୍ଲୋରୋସେଣ୍ଟ୍ ସୁରକ୍ଷା ଭେଷ୍ଟ୍, ଅଧିକାରୀମାନଙ୍କୁ ରେନ୍କୋଟ୍, ଜ୍ୟାକେଟ୍, ଟୋପି ଓ ଛତା ଆଦି ପ୍ରଦାନ କରାଯାଇଛି। ଆଦାନୀ ଗ୍ରୁପ୍, ପୁରୀ ଜିଲ୍ଲା ପ୍ରଶାସନ, ଇସ୍କନ୍ ଓ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ସହଯୋଗରେ ରଥଯାତ୍ରାରେ ସେବା କାର୍ଯ୍ୟ କରାଯାଉଛି।
ଆଦାନୀ ଗ୍ରୁପ୍ର ଦାତବ୍ୟ ଶାଖା ଆଦାନୀ ଫାଉଣ୍ଡେସନ୍ ପକ୍ଷରୁ ଓଡ଼ିଶାରେ ଶିକ୍ଷା, ସ୍ବାସ୍ଥ୍ୟ ସେବା, ଜୀବନଜୀବିକା ସଶକ୍ତୀକରଣ, ଆଦିବାସୀମାନଙ୍କ ଉନ୍ନତି, ଗୋଷ୍ଠୀ ଭିତ୍ତିଭୂମି ନିର୍ମାଣ, ନିରନ୍ତର ବିକାଶ, ବିପର୍ଯ୍ୟୟ ରିଲିଫ୍ ଓ ପ୍ରଯୁକ୍ତି ଭଳି କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରାଯାଇଥିବା ସହ ଅନେକ ପ୍ରକଳ୍ପ ହାତକୁ ନିଆଯାଇଛି। ବାରିପଦାରେ ଆଦାନୀ-କିସ୍ ଆବାସିକ ସ୍କୁଲ୍ ସମେତ ରାଜ୍ୟରେ ବିଭିନ୍ନ ସ୍କୁଲ୍କୁ ଫାଉଣ୍ଡେସନ ପରିଚାଳନା କରୁଛି। ଭଦ୍ରକରେ ଆଦାନୀ ଡିଏଭି ପବ୍ଲିକ୍ ସ୍କୁଲ୍ ଅନ୍ତର୍ଜାତୀୟ ମାନର ଶିକ୍ଷାଦାନରେ ସହଯୋଗ କରୁଛି। ଗୋପାଳପୁରରେ ଫାଉଣ୍ଡେସନ୍ ସ୍ବାସ୍ଥ୍ୟ ଶିବିର ଆୟୋଜନ କରୁଛି। ବାତ୍ୟା ଫନି ସମୟରେ ମଧ୍ୟ ଫାଉଣ୍ଡେସନ୍ ସହଯୋଗ କରିଥିଲା। ଧାମରା ଓ ରାୟଗଡ଼ାରେ ଏହା ଆଦିବାସୀ କଲ୍ୟାଣ ଦିଗରେ କାମ କରୁଛି। ଯୁବବର୍ଗଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପ୍ରଦାନ କରିବା ସହ ଏହା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ର ପ୍ରସାର କରୁଛି। ପାନୀୟ ଜଳ, ପରିମଳ, ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା, ସ୍କୁଲ୍ ଓ ଗୋଷ୍ଠୀ କେନ୍ଦ୍ର ନବୀକରଣ, ବୃକ୍ଷରୋପଣ, ପୋଖରୀ ପୁନରୁଦ୍ଧାର, ବର୍ଷା ଜଳ ସଂରକ୍ଷଣ ଭଳି ଅନେକ ପଦକ୍ଷେପ ଫାଉଣ୍ଡେସନ ଗ୍ରହଣ କରିଛି।