ଭୁବନେଶ୍ବର: ରିଟେଲ୍ ଓ ଯୋଗାଣ ଶୃଙ୍ଖଳ ସମାଧାନ ପ୍ରଦାନ କରୁଥିବା ସଂସ୍ଥା ‘ଲଜାଇଲ୍’ର ଗ୍ଲୋବାଲ୍ ଡେଭେଲପ୍ମେଣ୍ଟ ସେଣ୍ଟର ଭୁବନେଶ୍ବରରେ ଆରମ୍ଭ ହୋଇଥିବା ସମ୍ପର୍କରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି। ଓଡ଼ିଶାକୁ ଏକ ଫିନ୍ଟେକ୍ ହବ୍ରେ ପରିଣତ କରିବା ଦିଗରେ ସରକାର କାମ କରୁଛନ୍ତି। ରାଜ୍ୟରେ ନିବେଶ କରିବାକୁ ସେ ନିବେଶକମାନଙ୍କୁ ଆହ୍ବାନ ଦେଇଥିଲେ।। ଆଗାମୀ ଦିନରେ ଲଜାଇଲ୍ ଭୁବନେଶ୍ବରରେ ଏକ ନିଜସ୍ବ କେନ୍ଦ୍ର ସ୍ଥାପନ କରିବ। ସେଥିପାଇଁ ରାଜ୍ୟ ସରକାର ଜମି ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେବ। ଭୁବନେଶ୍ବରକୁ ଗ୍ଲୋବାଲ୍ କାପାବିଲିଟି ସେଣ୍ଟର (ଜିସିସି) ଓ ଫିନ୍ଟେକ୍ ହବ୍ରେ ପରିଣତ କରିବା ଲାଗି ରାଜ୍ୟ ସରକାର ରଖିଥିବା ଲକ୍ଷ୍ୟ ପୂରଣ କରିବା ଲାଗି ଖୁବ୍ଶୀଘ୍ର ନୂଆ ନୀତି ଘୋଷଣା ହେବ। ଆସନ୍ତା ଏକ ମାସ ଭିତରେ ଓଡ଼ିଶା ଜିସିସି ଓ ଫିନ୍ଟେକ୍ ନୀତି ଘୋଷଣା କରାଯିବ ବୋଲି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ଏହି ଅବସରରେ ସୂଚନା ଦେଇଛନ୍ତି। ସେ କହିଥିଲେ ଯେ ଶିଳ୍ପ ଅଂଶୀଦାରମାନଙ୍କ ମତାମତକୁ ନଜରରେ ରଖି ସରକାର ଆଇଟି ଓ ସେମିକଣ୍ଡକ୍ଟର ନୀତିରେ ପରିବର୍ତ୍ତନ କରିଛନ୍ତି।
ନୀତି ସହିତ ଆସିବ ପରିଚାଳନା ମାର୍ଗଦର୍ଶିକା
ଭୁବନେଶ୍ବରରେ ‘ଲଜାଇଲ୍’ ସ୍ଥାପନ କରିବ ନିଜସ୍ବ କ୍ୟାମ୍ପସ୍
ପୂର୍ବରୁ ନୀତି ଘୋଷଣା ହେବାର ଦୁଇ ବର୍ଷ ପରେ ପରିଚାଳନା ମାର୍ଗଦର୍ଶିକା ଜାରି କରାଯାଉଥିଲା। କିନ୍ତୁ ଆଗାମୀ ଦିନରେ ନୀତି ସହିତ ପରିଚାଳନା ମାର୍ଗଦର୍ଶିକା ଜାରି କରାଯିବ। ଫଳରେ ନୀତି ଘୋଷଣା ହେବା ଦିନଠାରୁ ତାହା କାର୍ଯ୍ୟକାରୀ ହୋଇପାରିବ ବୋଲି ସେ କହିଥିଲେ। ସିଲିକନ୍ କାର୍ବାଇଡ୍ ଡିଭାଇସ୍ ଓ ଇଲେକ୍ଟ୍ରୋନିକ୍ସ ଉପାଦାନ ଉତ୍ପାଦନ କ୍ଷେତ୍ରରେ ରାଜ୍ୟକୁ ୩ଟି ନିବେଶ ପ୍ରସ୍ତାବ ଆସିଥିବା ସେ ସୂଚନା ଦେଇଛନ୍ତି। ସେଥିରୁ ଦୁଇ ପ୍ରକଳ୍ପ ଭାରତୀୟ ସେମିକଣ୍ଡକ୍ଟର ମିସନ୍ରୁ ପାଣ୍ଠି ପାଇବାକୁ ଯାଉଛନ୍ତି। ଇଲେକ୍ଟ୍ରୋନିକ୍ସ ଉପାଦାନକୁ ନେଇ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ନୀତି ଘୋଷଣା କରିଛନ୍ତି। ସେହି ଆଧାରରେ ରାଜ୍ୟ ସରକାର ଏକ ଟପ୍-ଅପ୍ ସ୍କିମ୍ ଆଣିବେ। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ସେଥିରେ ଆକର୍ଷଣୀୟ ପ୍ରୋତ୍ସାହନ ସୁବିଧା ରହିବ ବୋଲି ଶ୍ରୀ ଦେବ କହିଥିଲେ। ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସ୍ବତନ୍ତ୍ର ସଚିବ ମାନସ ପଣ୍ଡା ଓ ଲଜାଇଲ୍ର ପ୍ରତିଷ୍ଠାତା ଓ ସିଇଓ ପୂର୍ଣ୍ଣ ମିଶ୍ର ଉପସ୍ଥିତ ଥିଲେ।