ମୁମ୍ବାଇ: ଚଳିତ ଆର୍ଥିକ ବର୍ଷ (୨୦୧୯-୨୦)ର ପ୍ରଥମ ତ୍ରୟମାସ (ଏପ୍ରିଲ୍-ଜୁନ୍)ରେ ଦେଶର ଅଭିବୃଦ୍ଧି ହାର ୫%କୁ ଖସିଯାଇଥିବା ଜାଣିବା ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚକିତ ହୋଇପଡ଼ିଥିଲେ। ଏହି ତଥ୍ୟକୁ ସେ ବିଶ୍ବାସ କରିପାରିନଥିଲେ ବୋଲି କହିଛନ୍ତି। ଏକ ସାକ୍ଷାତକାରରେ ଶକ୍ତିକାନ୍ତ କହିଛନ୍ତି, ଅଭିବୃଦ୍ଧି ୫%କୁ ଖସିଯିବା ବିଷୟକୁ ମୁଁ ବିଶ୍ବାସ କରିପାରିନଥିଲି। ଜିଡିପିରେ ଏଭଳି ବଡ଼ ଧରଣର ହ୍ରାସ ମୋତେ ଚକିତ କରିଥିଲା। ଜିଡିପି ଅଭିବୃଦ୍ଧିକୁ ନେଇ ଆମେ ଯେଉଁ ପୂର୍ବାନୁମାନ କରିଥିଲୁ ତାହା କିଭଳି ଏତେ ଭୁଲ ହୋଇଗଲା ବୋଲି ଭାବିଥିଲୁ। କେଉଁଠି ଭୁଲ୍ ରହିଗଲା ତାହା ଜାଣିବା ଲାଗି ଜିଡିପି ତଥ୍ୟର ସମୀକ୍ଷା କରିଥିଲୁ ବୋଲି ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୫.୮% ହେବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲା ଯାହା ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଛି। ଯେତେବେଳେ ଅଭିବୃଦ୍ଧି ୫% ସ୍ତରକୁ ଖସିଗଲା ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଚିନ୍ତିତ ହୋଇପଡ଼ିଥିଲେ। ଜିଡିପି ପୂର୍ବାନୁମାନର ହିସାବ କରିବା ବେଳେ କେଉଁ ଠାରେ ତ୍ରୁଟି ବିଚ୍ୟୁତି ରହିଲା ତାହା ଜାଣିବା ଲାଗି ଜିଡିପି ହିସାବର ପୁନଃ ସମୀକ୍ଷା କରିବାକୁ ପଡ଼ିଥିଲା। ଶକ୍ତିକାନ୍ତ କହିଛନ୍ତି, ଆମେ ଏବେ ଜିଡିପି ଉପରେ ତୀକ୍ଷ୍ଣ ନଜର ରଖିଛୁ। ମୁଦ୍ରାସ୍ଫୀତିକୁ ନେଇ ଆମେ ଯେଉଁ ଆକଳନ କରିଥିଲୁ ତାହା ଠିକ୍ଠାକ୍ ରହିଛି। କିନ୍ତୁ ଜିଡିପି ଆକଳନରେ ହୋଇଥିବା ତ୍ରୁଟିକୁ ଆମେ ସୁଧାରିବାକୁ ଚାହୁଛୁ। ଏହି ଆକଳନକୁ ଆମେ ସମ୍ପୂର୍ଣ୍ଣ ସଠିକ୍ କରିବାକୁ ଚେଷ୍ଟା କରୁଛୁ ବୋଲି ଶକ୍ତିକାନ୍ତ କହିଛନ୍ତି। ମାନ୍ଦାବସ୍ଥା ଉପରେ ମନ୍ତବ୍ୟ ଦେଇ ସେ କହିଛନ୍ତି, ଏହା କେତେ ଦିନ ରହିବ ତାହା କହିହେବ ନାହିଁ। ଆମକୁ ଜୁଲାଇ-ସେପ୍ଟେମ୍ବରର ତଥ୍ୟକୁ ଅପେକ୍ଷା କରିବାକୁ ପଡ଼ିବ। ଏହା ପରେ ମାନ୍ଦାବସ୍ଥା କେତେ ଦିନ ରହିବ ତାହାର ଆକଳନ କରାଯାଇପାରିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଅର୍ଥନୈତିକ ଅଭିବୃଦ୍ଧିକୁ ବଢ଼ାଇବା ଲାଗି ରିଜର୍ଭ ବ୍ୟାଙ୍କ ଦ୍ବାରା ଯାହା ହୋଇପାରିବ ସେହି ସବୁ ପଦକ୍ଷେପ ଶକ୍ତିକାନ୍ତ ନେଇସାରିଲେଣି। ରେପୋ ହାରରେ ୧.୧୦% ପର୍ଯ୍ୟନ୍ତ ହ୍ରାସ କରିସାରିଲେଣି। ଋଣ ଯେଭଳି ଲୋକମାନଙ୍କ ପାଖରେ ସୁବିଧାରେ ପହଞ୍ଚିପାରିବ ସେଥିପାଇଁ ମଧ୍ୟ ସେ ଉଦ୍ୟମ କରୁଛନ୍ତି। ରେପୋ ହାର ସହିତ ଋଣ ସୁଧ ହାରଗୁଡ଼ିକୁ ଯୋଡ଼ିବାକୁ ବ୍ୟାଙ୍କଗୁଡ଼ିକୁ କହି ସଫଳତା ହାସଲ କରିଛନ୍ତି। ଅନେକ ବ୍ୟାଙ୍କ ସେମାନଙ୍କ ସୁଧ ହାରକୁ ରେପୋ ସହ ଯୋଡ଼ିଛନ୍ତି।