ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସର ଅର୍ଥନୈତିକ ଅଭିବୃଦ୍ଧି ୪.୫ ପ୍ରତିଶତକୁ ହ୍ରାସ ପାଇଛି। ଏହି ରିପୋର୍ଟ ଆସିବା ପରଦିନ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ କହିଛନ୍ତି, ଅତୀତରେ ଅର୍ଥନୀତିରେ ଢାଞ୍ଚାଗତ ସଂସ୍କାର ଆଣିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଆଗାମୀ ଦିନରେ ମଧ୍ୟ ଅର୍ଥନୀତିର ଆବଶ୍ୟକତାକୁ ଦେଖି ପଦକ୍ଷେପ ବା ହସ୍ତକ୍ଷେପ ଜାରି ରହିବ ବୋଲି ଅର୍ଥମନ୍ତ୍ରୀ ଏକ ଟ୍ବିଟ୍‌ରେ କହିଛନ୍ତି। ଅର୍ଥମନ୍ତ୍ରୀଙ୍କ ଏହି ମନ୍ତବ୍ୟରୁ ଆଗାମୀ ଦିନରେ ସରକାର ଅର୍ଥନୀତି ପାଇଁ ପୁଣି ପ୍ୟାକେଜ ଆଣିପାରନ୍ତି ବୋଲି ସଙ୍କେତ ମିଳୁଛି।

Advertisment

ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ୬ ମାସ ପୂରଣ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଟ୍ବିଟ୍ କରିଛନ୍ତି। ଗତ ୬ ମାସ ମଧ୍ୟରେ ଉଲ୍ଲେଖନୀୟ ସଂସ୍କାର ପଦକ୍ଷେପ ନିଆଯାଇଛି ବୋଲି ମୋଦୀ କହିଛନ୍ତି। ଆମେ ଅନେକ ଗୁଡ଼ିଏ ନିଷ୍ପତ୍ତି ନେଇଛୁ ଯାହାକି ବିକାଶକୁ ଆଗକୁ ବଢ଼ାଇଛି, ସାମାଜିକ ସଶକ୍ତୀକରଣକୁ ତ୍ବରାନ୍ବିତ କରିଛୁ ଏବଂ ଭାରତର ଏକତାକୁ ମଜଭୁତ କରିଛି। ଆଗାମୀ ଦିନରେ ଆମେ ଅଧିକ କିଛି କରିବାକୁ ଅଭିଳାଷ ରଖିଛୁ। ଏହା ହେଲେ ଆମେ ଏକ ସମୃଦ୍ଧ ଏବଂ ପ୍ରଗତିଶୀଳ ଭାରତ ଗଠନ କରିପାରିବା ବୋଲି ମୋଦୀ କହିଛନ୍ତି। ଏଥିସହିତ ଭାରତୀୟ ଅର୍ଥନୀତି ୨୦୨୪ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ଦିଗରେ ଆଗକୁ ବଢ଼ୁଛି ବୋଲି ମୋଦୀ କହିଛନ୍ତି। ଅର୍ଥମନ୍ତ୍ରୀ ଅତୀତରେ ବ୍ୟାଙ୍କ ଏବଂ ରିଅଲ ଇଷ୍ଟେଟ ଶିଳ୍ପ ପାଇଁ ପ୍ୟାକେଜ ଘୋଷଣା କରିବା ସହିତ ‌କର୍ପୋରେଟ୍ ଟିକସ ହାରକୁ ହ୍ରାସ ଭଳି ଉଲ୍ଲେଖନୀୟ ପଦକ୍ଷେପ ଘୋଷଣା କରିଛନ୍ତି। ଏହା ସତ୍ତ୍ବେ ଅର୍ଥନୀତିରେ ଏପର୍ଯ୍ୟନ୍ତ ସୁଧାର ଆସିପାରୁନାହିଁ।

ତୃତୀୟ ତ୍ରୟମାସ ଜିଡିପି ଆହୁରି କମିବ: ଚିଦମ୍ବରମ୍
ନୂଅଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ପୂର୍ବ ଆକଳନ ଅନୁଯାୟୀ ୪.୫ ପ୍ରତିଶତକୁ କମିଛି। ତେବେ ତୃତୀୟ ତ୍ରୟମାସରେ ଦେଶର ବିକାଶ ହାର ୪.୫ ପ୍ରତିଶତରୁ ଅଧିକ ରହିବ ନାହିଁ। ଏପରିକି ଏହା କମିଯିବାର ସମସ୍ତ ସମ୍ଭାବନା ରହିଛି ବୋଲି ତିହାର ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ ସତର୍କ କରାଇ ଦେଇଛନ୍ତି।

‘ବିକାଶ ଉପରେ ରିଜର୍ଭ ବ୍ୟାଙ୍କ ଧ୍ୟାନ ଦେବା ଆବଶ୍ୟକ’
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ବିକାଶ ହାର ୪.୫ ପ୍ରତିଶତକୁ ହ୍ରାସ ପାଇବା ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇଡିଏଫସି ଆସେଟ ମ୍ୟାନେଜମେଣ୍ଟ କମ୍ପାନିର ଅର୍ଥନୀତିଜ୍ଞ ଶ୍ରୀଜିଥ୍ ବାଲସୁବ୍ରମଣ୍ୟନ। ସେ କହିଛନ୍ତି, ଗ୍ରାହକଙ୍କ ଚାହିଦା, ଋଣ ଯୋଗାଣ ଏବଂ ରିସ୍କ ନେବାର କ୍ଷମତା ଆଦି ଦୁର୍ବଳ ଥିବାରୁ ଅର୍ଥନୀତିରେ ସୁଧାର ଏବେ ଦେଖାଯାଉନାହିଁ। ତେଣୁ ରିଜର୍ଭ ବ୍ୟାଙ୍କ ଆର୍ଥିକ ବିକାଶକୁ ଉପରକୁ ନେବା ଉପରେ ଅଧିକ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ପରିବାରର ସଞ୍ଚୟ ସେତେଟା ଭଲ ନଥିବାରୁ ସରକାରଙ୍କ ପକ୍ଷରୁ ଘୋଷିତ ‌ବିତ୍ତୀୟ ପଦକ୍ଷେପର ସୁଫଳ ମିଳୁନାହିଁ ବୋଲି ସୁବ୍ରମଣ୍ୟନ ମତ ଦେଇଛନ୍ତି।