ଦ୍ୱିତୀୟ ତିନିମାସରେ ଆର୍ଥିକ ଅଭିବୃଦ୍ଧି ୬.୩%କୁ ବୃଦ୍ଧି, ସରକାର ଆଶ୍ୱସ୍ତ

ନୂଆଦିଲ୍ଲୀ : ସରକାରଙ୍କ ପାଇଁ ଖୁସି ଖବର । ଚଳିତ ଆର୍ଥିକ ବର୍ଷର ୨ୟ ତିନିମାସ ଅର୍ଥାତ ଜୁଲାଇ-ସେପ୍ଟେମ୍ବରରେ ଦେଶର ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧିରେ ଉନ୍ନତି ଆସିଛି । ଏହି ତିନିମାସରେ ଜିଡିପି ଅଭିବୃଦ୍ଧି ୬.୩ ପ୍ରତିଶତ ରହିଛି, ଯାହାକି ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସ ଅର୍ଥାତ୍‌ ଏପ୍ରିଲ-ଜୁନରେ ୫.୭ ପ୍ରତିଶତ ଥିଲା ବୋଲି କେନ୍ଦ୍ରୀୟ ପରିସଂଖ୍ୟାନ ଅଫିସ ପକ୍ଷରୁ ଗୁରୁବାର ଦିନ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ।

ଗୋଟିଏ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗୋଟିଏ ଦେଶରେ ଉତ୍ପାଦିତ ମୋଟ ଉତ୍ପାଦ ଓ ସେବାର ସମଷ୍ଟିକୁ ଜିଡିପି କୁହାଯାଏ । ଗୋଟିଏ ଦେଶର ଜିଡିପି ଅଭିବୃଦ୍ଧି ଉକ୍ତ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଦର୍ଶାଏ । ୨ୟ ତିନିମାସରେ ଦେଶର ଜିଡିପି ବା ଅର୍ଥନୈତିକ ଅଭିବୃଦ୍ଧି ବଢ଼ିବା ଦ୍ୱାରା ସରକାର ଆଶ୍ୱସ୍ତ ହୋଇଛନ୍ତି । ଦେଶର ଅଭିବୃଦ୍ଧି ଧିମା ହେବାକୁ ନେଇ ମୋଦି ସରକାର ଅନେକ ଆଡୁ ସମାଲୋଚନାର ଶିକାର ହୋଇଆସୁଥିଲେ । ବିମୁଦ୍ରାୟନ ଓ ଜିଏସଟି ଲାଗୁ ହେବା ପରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପ୍ରଭାବିତ ହୋଇଛି ବୋଲି ବିରୋଧୀ ଦଳ ଓ କେତେକ ବିଶ୍ଳେଷକ କହୁଛନ୍ତି ।

୨ୟ ତିନିମାସରେ ଜିଡିପି ଅଭିବୃଦ୍ଧିକୁ ଅନେକ ମହଲରୁ ବେଶ ଗୁରୁତ୍ୱ ଦିଆଯାଉଛି । କାରଣ ଗତ ଜୁଲାଇ୧ରେ ସାରା ଦେଶରେ ଜିଏସଟି ବ୍ୟବସ୍ଥା ଲାଗୁ ହେବା ପରେ ଏହା ହେଉଛି ପ୍ରଥମ ଜିଡିପି ତଥ୍ୟ ।

ସମ୍ବନ୍ଧିତ ଖବର