ଜୁଲାଇ-ସେପ୍ଟେମ୍ବରରେ ଜିଡିପି ଅଭିବୃଦ୍ଧି ୮.୪%

ନୂଆଦିଲ୍ଲୀ : କେନ୍ଦ୍ର ସରକାର ମଙ୍ଗଳବାର ଦିନ ୨୦୨୧ର ଜୁଲାଇ-ସେପ୍ଟେମ୍ବର ତିନି ମାସ ଲାଗି ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ତଥ୍ୟ ଜାରି କରିଛନ୍ତି। ଏହି ସମୟରେ ଜିଡିପି ଅଭିବୃଦ୍ଧି ୮.୪% ରହିଛି। ଏପ୍ରିଲ୍‌-ଜୁନ୍ ତିନି ମାସର ୨୦.୧% ଅଭିବୃଦ୍ଧି ତୁଳନାରେ ଏହା ଯଥେଷ୍ଟ କମ୍ ରହିଛି। କିନ୍ତୁ ଯଦି ୨୦୨୦ର ଜୁଲାଇ-‌ସେପ୍ଟେମ୍ବର ତିନି ମାସର ଅଭିବୃଦ୍ଧି ଯାହା ୭.୪% ହ୍ରାସ ପାଇଥିଲା, ତାହା ସହିତ ତୁଳନା କରାଯିବ ତେବେ ଅର୍ଥନୀତି ଭଲ ସ୍ଥିତିରେ ରହିଛି ବୋଲି କୁହାଯାଇପାରିବ। ଟଙ୍କା ହିସାବରେ ଜିଡିପିର ମୂଲ୍ୟ ୩୫.୭୩ ଲକ୍ଷ କୋଟି ଟଙ୍କା ରହିଛି। ଗତବର୍ଷ ଏହି ସମୟରେ ତାହା ୩୨.୯୭ ଲକ୍ଷ କୋଟି ଟଙ୍କା ଥିଲା ବୋଲି କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।

କୋଭିଡ୍‌ ମହାମାରୀର ଦ୍ବିତୀୟ ଲହର ପରେ କଟକଣାଗୁଡ଼ିକୁ କୋହଳ କରାଯିବାରୁ ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ ହୋଇଥିଲା। ଏହାର ପ୍ରଭାବରେ ଚଳିତ ଆର୍ଥିକ ବର୍ଷରେ ଭାରତ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ବୋଲି ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ ସୁବ୍ରମଣିଅନ୍ କହିଛନ୍ତି। ୨୦୨୧-୨୨ର ପ୍ରଥମ ଛଅ ମାସରେ ଅଭିବୃଦ୍ଧି ୧୩.୭% ରହିଛି। ଯଦି ପରବର୍ତ୍ତୀ ୬ ମାସରେ ଅଭିବୃଦ୍ଧି ୬%ରୁ ଅଧିକ ରହିବ ତେବେ ସାରା ବର୍ଷର ଅଭିବୃଦ୍ଧି ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଞ୍ଚିପାରିବ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ, ଅକ୍ଟୋବର ମାସରେ ଦେଶର ଆଠଟି ପ୍ରମୁଖ କ୍ଷେତ୍ରର ଅଭିବୃଦ୍ଧି ୭.୫% ରହିଥିବା ଘୋଷଣା କରାଯାଇଛି। କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍, ରିଫାଇନାରି ଉତ୍ପାଦ ସାର, ଇସ୍ପାତ, ସିମେଣ୍ଟ ଓ ବିଦ୍ୟୁତ ଭଳି ଆଠଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ୨୦୨୦ ଅକ୍ଟୋବରରେ ୦.୫% ହ୍ରାସ ପାଇଥିଲା।

କେଉଁ କ୍ଷେତ୍ରର ପ୍ରଦର୍ଶନ କିଭଳି
କ୍ଷେତ୍ର                   ଅଭିବୃଦ୍ଧି
କୃଷି, ଜଙ୍ଗଲ, ମତ୍ସ୍ୟ  ୪.୫%
ଖଣି ଓ ଖନନ  ୧୫.୪%
ମାନୁଫାକ୍‌ଚରିଂ ୫.୫%
ବିଦ୍ୟୁତ, ଗ୍ୟାସ, ଜଳ ଯୋଗାଣ ୮.୯%
ନିର୍ମାଣ ୭.୫%
ବାଣିଜ୍ୟ, ହୋଟେଲ୍‌, ପରିବହନ, ଯୋଗାଯୋଗ, ପ୍ରସାରଣ ୮.୨%
ଆର୍ଥିକ, ରିଅଲ ଇଷ୍ଟେଟ୍, ପେସାଦାର ସେବା ୭.୮%

ସମ୍ବନ୍ଧିତ ଖବର