୪ର୍ଥ ତିନିମାସରେ ଧୀମା ହେଲା ଭାରତର ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ : ୨୦୨୧-୨୨ ଆର୍ଥିକ ବର୍ଷର ୪ର୍ଥ ତିନିମାସ ଅର୍ଥାତ ଜାନୁଆରି-ମାର୍ଚ୍ଚରେ ଭାରତର ଜିଡିପି ଅଭିବୃଦ୍ଧି ୪.୧ ପ୍ରତିଶତକୁ ଧୀମା ହୋଇଯାଇଛି ବୋଲି ମଙ୍ଗଳବାର ପ୍ରକାଶିତ ସରକାରୀ ରିପୋର୍ଟରୁ ଜଣାପଡ଼ିଛି ।

କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ୨୦୨୧-୨୨ରେ ଦେଶର ଜିଡିପି ଅଭିବୃଦ୍ଧି ୮.୭ ପ୍ରତିଶତ ରହିଛି । ଯାହାକି ବିଶ୍ବର ପ୍ରମୁଖ ଅର୍ଥନୀତିଗୁଡ଼ିକ ମଧ୍ୟରେ ଦ୍ରୁତତମ ବୋଲି ଅନୁମାନ କରାଯାଉଛି ।

୨୦୨୧-୨୨ରେ ଦେଶର ଜିଡିପି ଅଭିବୃଦ୍ଧି ୮.୯ ପ୍ରତିଶତ ରହିବ ବୋଲି ପୂର୍ବରୁ ମନ୍ତ୍ରାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । କିନ୍ତୁ ୪ର୍ଥ ତିନିମାସରେ ଅଭିବୃଦ୍ଧି ଧୀମା ହେବା ଫଳରେ ତାହା ୮.୭ ପ୍ରତିଶତକୁ ଖସିଆସିଛି।

୨୦୨୧-୨୨ର ୩ୟ ତିନିମାସରେ ଜିଡିପି ଅଭିବୃଦ୍ଧି ୫.୪ ପ୍ରତିଶତ ଥିବାବେଳେ ୨ୟ ତିନିମାସରେ ୮.୫ ପ୍ରତିଶତ ଓ ୨ମ ତିନିମାସରେ ୨୦.୩ ପ୍ରତିଶତ ଥିଲା । ଏହି ତିନିମାସରେ ଖଣି, ଉତ୍ପାଦନ ଉଦ୍ୟୋଗର ଅଭିବୃଦ୍ଧି ହ୍ରାସ ପାଇଛି । ଦେଶର ସବୁଠାରୁ ଅଧିକ ଲୋକଙ୍କୁ ନିଯୁକ୍ତି ଯୋଗାଉଥିବା କୃଷି କ୍ଷେତ୍ରର ଅଭିବୃଦ୍ଧି ମଧ୍ୟ ଧୀମା ହୋଇଯାଇଛି । ସାର ଓ ଅନ୍ୟ କେତେକ ସାମଗ୍ରୀର ଦର ବୃଦ୍ଧି ଓ ଅର୍ଥନୀତି ଖୋଲିବା ପରେ ଗ୍ରାମାଞ୍ଚଳରୁ ମାନବ ସମ୍ବଳ ପୁଣି ସହରକୁ ଯିବା ଦ୍ବାରା କୃଷି କ୍ଷେତ୍ର ପ୍ରଭାବିତ ହୋଇଛି ।

ଗୋଟିଏ ଦେଶରେ ଉତ୍ପାଦିତ ମୋଟ ଉତ୍ପାଦ ଓ ସେବାର ସାମଗ୍ରିକ ବଜାର ମୂଲ୍ୟକୁ ମୋଟ ଘରୋଇ ଉତ୍ପାଦ ବା ଜିଡିପି କୁହାଯାଏ ।

ସମ୍ବନ୍ଧିତ ଖବର