ଜିଡିପି ଅଭିବୃଦ୍ଧି ୬.୩% ବଢ଼ିଲା ବିକାଶର ଗତି

ନୂଆଦିଲ୍ଲୀ, : ବିମୁଦ୍ରାକରଣ ଏବଂ ଜିଏସ୍‌୍‌ଟି ପ୍ରଭାବରେ ଧିମା ହୋଇଯାଇଥିବା ଦେଶର ଅର୍ଥନୀତିର ଗତି ବଢ଼ିବା ଆରମ୍ଭ ହୋଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ଦ୍ୱିତୀୟ ତ୍ରୈମାସିକ ଅର୍ଥନୈତିକ ଫଳାଫଳ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଏହି ତ୍ରୈମାସିକରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୩% ହୋଇଛି। ଜୁନ୍‌ ତ୍ରୈମାସିକରେ ଅଭିବୃଦ୍ଧି ହାର ୫.୭% ଥିଲା। ପୂର୍ବ ପାଞ୍ଚଟି ତ୍ରୈମାସିକ (୧୫ ମାସ)ରେ ଜିଡିପି ଅଭିବୃଦ୍ଧି ହାର କ୍ରମାଗତ ଭାବେ ହ୍ରାସ ପାଉଥିଲା। ବିମୁଦ୍ରାକରଣ ଏବଂ ଜିଏସ୍‌ଟି ଯୋଗୁଁ ଅର୍ଥନୀତିର ଦୁର୍ଗତି ହୋଇଛି ବୋଲି ଆପେକ୍ଷ କରି ବିଭିନ୍ନ ମହଲରେ ସରକାରଙ୍କୁ ସମାଲୋଚନା କରାଯାଉଥିଲା। ସେପ୍ଟେମ୍ବର ଅଭିବୃଦ୍ଧି ତଥ୍ୟ ସରକାରଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି। ବର୍ଷକ ପୂର୍ବରୁ ସେପ୍ଟେମ୍ବର ତ୍ରୈମାସିକରେ ଭାରତର ଅଭିବୃଦ୍ଧି ହାର ୭.୫% ଭଳି ଉଚ୍ଚ ସ୍ତରରେ ଥିଲା।ଜିଡିପିର ଗତି ବଢ଼ିଥିଲେ ମଧ୍ୟ ଚୀନ୍‌ଠାରୁ ଭାରତ ପଛରେ ରହିଛି। ଆଲୋଚ୍ୟ ସମୟରେ ଚୀନ୍‌ର ଅଭିବୃଦ୍ଧି ହାର ୬.୮% ହୋଇଥିବା ବେଳେ ଫିଲିପାଇନ୍‌ସର ୬.୯% ହୋଇଛି। କେନ୍ଦ୍ରୀୟ ପରିସଖ୍ୟାଂନ ସଂଗଠନ (ସିଏସ୍‌ଓ) ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ଜୁଲାଇରୁ ସେପ୍ଟେମ୍ବର ଭିତରେ ମାନୁଫାକ୍‌ଚରିଂ, ବିଦ୍ୟୁତ, ଗ୍ୟାସ୍‌, ପାନୀୟ ଜଳ, ବାଣିଜ୍ୟ, ହୋଟେଲ୍‌, ପରିବହନ ଏବଂ ଯୋଗାଯୋଗ କ୍ଷେତ୍ରର ଅଭିବୃଦ୍ଧି ହାର ୬%ରୁ ଅଧିକ ରହିଛି। ତେବେ କୃଷି, ଜଙ୍ଗଲ ଏବଂ ମତ୍ସ୍ୟ କ୍ଷେତ୍ରର ଅଭିବୃଦ୍ଧି ହାର ୧.୭%କୁ ଖସିଯାଇଛି। ପୂର୍ବ ତ୍ରୈମାସିକ ତୁଳନାରେ ସେବା କ୍ଷେତ୍ରର ଅଭିବୃଦ୍ଧି ହାର କମ ହୋଇଛି। ଜୁନ୍‌ ତ୍ରୈମାସିକରେ ବାଣିଜ୍ୟ, ହୋଟେଲ୍‌, ପରିବହନ ଏବଂ ଯୋଗାଯୋଗ କ୍ଷେତ୍ରର ଅଭିବୃଦ୍ଧି ୧୧.୧% ଥିଲା। ସେପ୍ଟେମ୍ବର ତ୍ରୈମାସିକରେ ଏହି କ୍ଷେତ୍ରର ଅଭିବୃଦ୍ଧି ୯.୯%କୁ ଖସିଛି। ଆଜି ଦେଶର ଆଠଟି ପ୍ରମୁଖ କ୍ଷେତ୍ରର ଅଭିବୃଦ୍ଧି ହାର ମଧ୍ୟ ଘୋଷଣା କରାଯାଇଛି ଯାହା ଅକ୍ଟୋବର ମାସରେ ୪.୭% ରହିଛି।

ବିତ୍ତିୟ ନିଅଣ୍ଟ ବେଲଗାମ

ନୂଆଦିଲ୍ଲୀ: ଅକ୍ଟୋବର ମାସରେ ବିତ୍ତିୟ ନିଅଣ୍ଟ ପରିମାଣ ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ୯୬%ରେ ପହଞ୍ଚିଯାଇଛି। ଆର୍ଥିକ ବର୍ଷ ଶେଷ ହେବାର ପାଞ୍ଚ ମାସ ପୂର୍ବରୁ ବିତ୍ତିଅ ନିଅଣ୍ଟ ଏଭଳି ସ୍ତରରେ ପହଞ୍ଚିଯାଇଥିବାରୁ ଅର୍ଥନୈତିଜ୍ଞମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପୂର୍ବ ଆର୍ଥିକ ବର୍ଷରେ ଅକ୍ଟୋବର ବେଳକୁ ବିତ୍ତିଅ ନିଅଣ୍ଟ ପରିମାଣ ବଜେଟ୍‌ ଲକ୍ଷ୍ୟର ୮୦% ପାଖାପାଖି ସ୍ତରରେ ପହଞ୍ଚିଥିଲା।

ବିତ୍ତିଅ ନିଅଣ୍ଟକୁ ଜିଡିପିର ୩.୨%କୁ ହ୍ରାସ କରିବାକୁ ୨୦୧୭-୧୮ ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସରକାରଙ୍କ ଖର୍ଚ ଏବଂ ରାଜସ୍ୱ ଆଦାୟ ମଧ୍ୟରେ ରହିଥିବା ଅନ୍ତରକୁ ବିତ୍ତିୟ ନିଅଣ୍ଟ କୁହାଯାଏ। ଏପ୍ରିଲ୍‌-ଅକ୍ଟୋବର ଭିତରେ ବିତ୍ତିୟ ନିଅଣ୍ଟ ପରିମାଣ ୫ ଲକ୍ଷ କୋଟି ଟଙ୍କା ହୋଇଛି। ଚଳିତ ଆର୍ଥିକ ବର୍ଷରେ ସରକାର ୧୫.୧୫ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ସାତ ମାସ ଭିତରେ କିନ୍ତୁ ୭.୨୯ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇପାରିଛି।

ଏଥିରୁ ଏହା ଜଣାପଡୁଛି ଯେ ଆମର ଦୁଇ ପ୍ରମୁଖ ସଂସ୍କାର-ବିମୁଦ୍ରାକରଣ ଏବଂ ଜିଏସ୍‌ଟି ଆମ ପଛରେ ରହିଛି। ଆଶା କରୁଛୁ ଆଗାମୀ ତ୍ରେମାସିକଗୁଡ଼ିକରେ ଅଭିବୃଦ୍ଧି ଆହୁରି ଅଧିକ ହେବ।

ଅରୁଣ ଜେଟ୍‌ଲି, ଅର୍ଥମନ୍ତ୍ରୀ

 

ମୁଁ ଖୁସି ଯେ ଅଭିବୃଦ୍ଧି ୬.୩%କୁ ବଢ଼ିଛି। ହ୍ରାସର ଧାରାରେ ବ୍ରେକ୍‌ ଲାଗିଛି। କିନ୍ତୁ କେହି କହିପାରିବେ ନାହିଁ ଯେ ଅଭିବୃଦ୍ଧିରେ ବଢ଼ିଚାଲିବ। ଆଉ ୩-୪ ମାସ ଅପେକ୍ଷା କର।

ପି ଚିଦମ୍ବରମ, ପୂର୍ବତନ ଅର୍ଥମନ୍ତ୍ରୀ

ଗତବର୍ଷ ଏହି ସମୟରେ ଅଭିବୃଦ୍ଧି ଥିଲା ୭.୫%। ଏବର୍ଷ ତାହା ୬.୩%। ଏ ସରକାର କେବଳ ଭାଷଣ, କିଛି ପ୍ରଦର୍ଶନ ନାହିଁ।
ମମତା ବାନାର୍ଜୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧିତ ଖବର