ଅତୀତକୁ ବି ଛାଡ଼ିଲେନି, ଉପା ଅମଳର ଅଭିବୃଦ୍ଧିକୁ କମାଇଦେଲେ

ନୂଆ ପଦ୍ଧତିରେ ହିସାବ କଲେ

ନୂଆଦିଲ୍ଲୀ:‌ ଅତୀତର ଜିଡିପି ତଥ୍ୟକୁ ବଦଳାଇ ଦେଇଛନ୍ତି ମୋଦୀ ସରକାର। ଉପା ସରକାରଙ୍କ ଅମଳକୁ ଟାର୍ଗେଟ୍‌ କରାଯାଇଛି। ଉପା ଅମଳରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଯେତିକି ଦର୍ଶାଯାଇଥିଲା ବାସ୍ତବ ଅଭିବୃଦ୍ଧି ତା’ଠାରୁ କମ୍ ଥିଲା ବୋଲି କୁହାଯାଇଛି। ଏକ ନୂତନ ରିପୋର୍ଟ ଜାରି କରି ଏହା ପ୍ରମାଣ କରିବାକୁ ଉଦ୍ୟମ କରାଯାଇଛି। ନୂଆ ପଦ୍ଧତିରେ ହିସାବ କରି ସରକାର ଅତୀତର ଜିଡିପି ତଥ୍ୟଗୁଡ଼ିକୁ ବଦଳାଇ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳକୁ ଟାର୍ଗେଟ୍ କରାଯାଇଥିବା ସନ୍ଦେହ କରାଯାଉଛି।

ଆଜି କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସ୍‌ଓ) ଜଣାଇଛି ଯେ, ୨୦୧୦-୧୧ରେ ଦେଶର ଜିଡିପି ଅଭିବୃଦ୍ଧି ୧୦.୦୩% ହୋଇନଥିଲା। ପ୍ରକୃତରେ ସେହିବର୍ଷ ଅଭିବୃଦ୍ଧି ହାର ୮.୫% ଥିଲା। ୨୦୦୫-୦୬ ଓ ୨୦୦୬-୦୭ରେ ୯.୩% ଅଭିବୃଦ୍ଧି ହୋଇଥିବା କୁହାଯାଇଥିଲା। କିନ୍ତୁ ଆଜିର ରିପୋର୍ଟରେ କୁହାଯାଇଛି ଯେ, ୨୦୦୫-୦୬ରେ ଅଭିବୃଦ୍ଧି ହାର ୭.୯% ଓ ୨୦୦୬-୦୭ରେ ୯.୧% ରହିଥିଲା। ୨୦୦୭-୦୮ରେ ଅଭିବୃଦ୍ଧି ହାର ୯.୮% ହୋଇନଥିଲା।‌ ସେହିବର୍ଷ ଅର୍ଥନୀତିର ଅଭିବୃଦ୍ଧି ହାର ୭.୭% ଥିଲା ବୋଲି ସିଏସ୍‌ଓ ରିପୋର୍ଟରେ କୁହାଯାଇଛି। ୨୦୦୮-୦୯ର ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ବର୍ଷରେ ୩.୯% ଅଭିବୃଦ୍ଧି ହୋଇଥିଲା। କିନ୍ତୁ ନୂଆ ହିସାବ କରି ସରକାର ଜଣାଇଛନ୍ତି ଯେ ସେହି ବର୍ଷ ଅଭିବୃଦ୍ଧି ହାର ୩.୧% ଥିଲା। ୨୦୦୪-୦୫ ବର୍ଷର ମୂଲ୍ୟ ପରିବର୍ତ୍ତେ ୨୦୧୧-୧୨ର ମୂଲ୍ୟ ବିଚାରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଆଜି ଦେଶର ମୁଖ୍ୟ ପରିସଂଖ୍ୟାନବିତ୍ ପ୍ରବୀଣ ଶ୍ରୀବାସ୍ତବ ଓ ନିତି ଆୟୋଗ ଉପା‌ଧ୍ୟକ୍ଷ ରାଜୀବ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ଏକ ଜଟିଳ ହିସାବ ପଦ୍ଧତିରେ ଏହି ତଥ୍ୟ ବାହାର କରାଯାଇଥିବା ରାଜୀବ କହିଛନ୍ତି। ଆମେ ଯେଉଁ ପଦ୍ଧତିରେ ହିସାବ କରିଛୁ ତାହା ଜାତିସଂଘର ମାନକ ଅନୁଯାୟୀ ଏବଂ ଆନ୍ତର୍ଜାତିକ ସ୍ତରରେ ଗ୍ରହଣଯୋଗ୍ୟ ହିସାବ ବୋଲି ସେ କହିଛନ୍ତି। ଜାଣିଶୁଣି ଉପା ସରକାର ଅମଳର ବର୍ଷଗୁଡ଼ିକୁ ଏହି ରିପୋର୍ଟରେ ଟାର୍ଗେଟ୍‌ କରାଯାଇନାହିଁ କି ବୋଲି ପ୍ରଶ୍ନ ହେବାରୁ ରାଜୀବ କହିଛନ୍ତି ଯେ, ସରକାର ଉଦ୍ଦେଶ୍ୟମୂଳକ ଭାବେ କିଛି କରିନାହାନ୍ତି କିମ୍ବା ବିଭ୍ରାନ୍ତୀ ସୃଷ୍ଟି କରିବାକୁ ଚାହୁଁନାହାନ୍ତି। ଉ‌ଲ୍ଲେଖଯୋଗ୍ୟ, ସ୍ବାଧୀନ ଭାରତରେ ସର୍ବାଧିକ ଜିଡିପି ଅଭିବୃଦ୍ଧି (୧୦.୨%) ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅମଳରେ ୧୯୮୮-୮୯ରେ ହୋଇଥିଲା ।

ସମ୍ବନ୍ଧିତ ଖବର