ନୂଆଦିଲ୍ଲୀ: ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଥିବା ୨୦୨୪-୨୫ ଆର୍ଥିକ ବର୍ଷ ବଜେଟ୍‌ରେ ଲିଙ୍ଗଗତ ବଜେଟ୍‌କୁ ୪.୪୯ ଲକ୍ଷ କୋଟି ଟଙ୍କା ଦିଆଯାଇଛି। ମହିଳା ଓ ବାଳିକା କଲ୍ୟାଣ କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ ହେବ। ୨୦୨୪-୨୫ରେ ଏବାବଦକୁ ୩.୨୭ ଲକ୍ଷ କୋଟି ଟଙ୍କା ଦିଆଯାଇଥିଲା। ତାହା ତୁଳନାରେ ଏହା ୩୭.୨୫ ପ୍ରତିଶତ ଅଧିକ। ମୋଟ ବଜେଟ୍‌ରେ ଲିଙ୍ଗଗତ ବଜେଟ୍‌ର ଭାଗ ୮.୮୬ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥର ବଜେଟ୍‌ରେ ୪୯ଟି ମନ୍ତ୍ରଣାଳୟ, ବିଭାଗ ଓ ୫ଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଅର୍ଥ ଆବଣ୍ଟନ କରାଯାଇଛି।

Advertisment

ଲିଙ୍ଗଗତ ବଜେଟ୍‌ ଆରମ୍ଭ ହେବା ପରଠାରୁ କୌଣସି ବର୍ଷ ଏତେ ସଂଖ୍ୟକ ମନ୍ତ୍ରଣାଳୟ ଓ ବିଭାଗକୁ ପାଣ୍ଠି ଦିଆଯାଇନଥିଲା। ଏଥର ପଶୁ ସମ୍ପଦ ଓ ଦୁଗ୍ଧ, ବାୟୋଟେକ୍ନୋଲୋଜି, ଖାଦ୍ୟ ଓ ସାଧାରଣ ବଣ୍ଟନ, ଆର୍ଥିକ ସେବା, ମତ୍ସ୍ୟ, ଜମି ସମ୍ବଳ, ଫାର୍ମାସ୍ୟୁଟିକାଲ୍‌, ଜଳ ସମ୍ପଦ, ଗ୍ରାମୀଣ ବିକାଶ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ପଞ୍ଚାୟତିରାଜ ମନ୍ତ୍ରଣାଳୟ, ଜାହାଜ ଓ ଜଳପଥ ଏବଂ ରେଳ ମନ୍ତ୍ରଣାଳୟକୁ ଲିଙ୍ଗଗତ ବଜେଟ୍‌ ଅଧୀନରେ ପାଣ୍ଠି ଦିଆଯାଇଛି। ବଜେଟ୍‌ର ଅଂଶ-କରେ ୧୭ଟି ମନ୍ତ୍ରଣାଳୟ ଓ ବିଭାଗକୁ ୧,୦୫,୫୩୫ କୋଟି ଟଙ୍କା ଦିଆଯାଇଛି। ଏହି ଅର୍ଥ ସମ୍ପୂର୍ଣ୍ଣ ରୂପେ ମହିଳା କଲ୍ୟାଣ ପାଇଁ ବିନିଯୋଗ କରାଯିବ। ଅନ୍ୟ ୩୭ଟି ମନ୍ତ୍ରଣାଳୟକୁ ୩,୨୬,୬୭୨ କୋଟି ଟଙ୍କା ଦିଆଯାଇଛି ଯାହା ୩୦-୯୯ ପ୍ରତିଶତ ରାଶି ମହିଳାଙ୍କ ପାଇଁ ଖର୍ଚ୍ଚ କରାଯିବ। ୨୨ଟି ମନ୍ତ୍ରଣାଳୟ ଓ ବିଭାଗକୁ ଦିଆଯାଇଥିବା ୧୬,୮୨୧ କୋଟି ଟଙ୍କା ମଧ୍ୟରୁ ୩୦ ପ୍ରତିଶତ ପାଣ୍ଠି ମହିଳାଙ୍କ ପାଇଁ ଖର୍ଚ୍ଚ ହେବ।

ଲିଙ୍ଗଗତ ବଜେଟ୍‌ରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ଏହାର ୮୧.୭୯ ପ୍ରତିଶତ, ଗ୍ରାମୀଣ ବିକାଶ ବିଭାଗ ୬୫.୭୬ ପ୍ରତିଣତ, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ୫୦.୯୨ ପ୍ରତିଶତ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ୪୧.୧୦ ପ୍ରତିଶତ, ଅକ୍ଷୟ ଶକ୍ତି ୪୦.୮୯ ପ୍ରତିଶତ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ୩୯.୦୧ ପ୍ରତିଶତ, ଉଚ୍ଚ ଶିକ୍ଷା ବିଭାଗ ୩୩.୯୪ ପ୍ରତିଶତ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ୩୩.୬୭ ପ୍ରତିଶତ, ଗୃହ ବ୍ୟାପାର ୩୩.୪୭ ପ୍ରତିଶତ ଏବଂ ପାନୀୟ ଜଳ ଓ ପରିମଳ ବିଭାଗ ଏହାର ୩୧.୦୫ ପ୍ରତିଶତ ଅର୍ଥକୁ ଲିଙ୍ଗଗତ ବଜେଟ୍‌ ଅଧୀନରେ ଅନ୍ତର୍ଭୁକ୍ତ କରିଛନ୍ତି।