ଜର୍ମାନୀର ବଡ଼ ବ୍ୟାଙ୍କ ବୁଡ଼ିବ! ଡ୍ୟୁସ୍ ବ୍ୟାଙ୍କ ସେୟାର ମୂଲ୍ୟ ଖସୁଛି
ନୂଆଦିଲ୍ଲୀ : ଆମେରିକାରୁ ଆରମ୍ଭ ହୋଇଥିବା ବ୍ୟାଙ୍କ ସଙ୍କଟ ସ୍ବିଜରଲ୍ୟାଣ୍ଡ୍ ଦେଇ ଏବେ ଜର୍ମାନୀରେ ପହଞ୍ଚିଛି। ଜର୍ମାନିର ସବୁଠୁ ବଡ଼ ବ୍ୟାଙ୍କ ଡ୍ୟୁସ୍ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ନେଇ ବିଶେଷଜ୍ଞମାନେ ସନ୍ଦେହ ପ୍ରକଟ କରିଛନ୍ତି। ଏହି ବ୍ୟାଙ୍କ ବୁଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ନିବେଶକମାନେ ବ୍ୟାଙ୍କ ସେୟାର ବିପୁଳ ମାତ୍ରାରେ ବିକ୍ରି କରିବାରୁ ତାହାର ମୂଲ୍ୟରେ ୧୫ ପ୍ରତିଶତ ହ୍ରାସ ଘଟିଛି। ଆର୍ଥିକ ମାନ୍ଦାବସ୍ଥା ଦେଖାଦେବାର ଆଶଙ୍କା ଥିବାରୁ ନିବେଶକମାନେ ଦୁର୍ବଳ ବ୍ୟାଙ୍କଗୁଡ଼ିକର ସେୟାର ବିକୁଛନ୍ତି। ସେହି କ୍ରମରେ ନିବେଶକମାନେ ଡ୍ୟୁସ୍ ବ୍ୟାଙ୍କ ସେୟାର ବିକିଛନ୍ତି। ସେଥିପାଇଁ ଲଗାତାର ତିନି ଦିନ ହେଲାଣି ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଉଛି। ୨୦୨୩ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଡ୍ୟୁସ୍ ବ୍ୟାଙ୍କ ସେୟାର ମୂଲ୍ୟ ପ୍ରାୟ ୨୨ ପ୍ରତିଶତ ହ୍ରାସ ପାଇଛି। ଜର୍ମାନୀ ଅର୍ଥନୀତି ପ୍ରତି ଏହି ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ବହୁ ବର୍ଷ ପର୍ଯ୍ୟନ୍ତ ଏହାର କାରବାରକୁ ସୀମିତ ରଖିବା ସତ୍ତ୍ବେ ଏହା ବିଶ୍ବର ବିଭିନ୍ନ ଦେଶରେ ଉପସ୍ଥିତି ଜାହିର କରିପାରିଛି। ବିଶେଷ କରି କର୍ପୋରେଟ୍ ଜଗତକୁ ଏହା ଋଣ ପ୍ରଦାନ କରୁଥିବା ଏକ ବ୍ୟାଙ୍କ।
Sambad is now on WhatsApp
Join and get latest news updates delivered to you via WhatsApp
ଡ୍ୟୁସ୍ ବ୍ୟାଙ୍କକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ବ୍ରୁସେଲ୍ସଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜର୍ମାନୀର ଚାନ୍ସେଲର ଓଲାଫ୍ ସ୍କୋଲ୍ଜ କହିଛନ୍ତି। ସେ କହିଛନ୍ତି ତାହା ଏକ ଆଧୁନିକ ବ୍ୟାଙ୍କ ଏବଂ ବହୁତ ଭଲ ଲାଭ କରୁଛି। ବ୍ୟାଙ୍କକୁ ନେଇ ଚିନ୍ତାର କରିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।
ଚଳିତ ବର୍ଷ ଆମେରିକାରେ ତିନିଟି ବ୍ୟାଙ୍କ ବୁଡ଼ିଛି। ତାହା ହେଉଛି ସିଲିକନ୍ ଭାଲି ବ୍ୟାଙ୍କ, ସିଗ୍ନେଚର ବ୍ୟାଙ୍କ ଓ ଫାଷ୍ଟ୍ ରିପବ୍ଲିକ୍ ବ୍ୟାଙ୍କ। ସ୍ବିଜରଲ୍ୟାଣ୍ଡ୍ର ଦ୍ବିତୀୟ ବଡ଼ ବ୍ୟାଙ୍କ କ୍ରେଡିଟ୍ ସୁଇସ୍ ବୁଡ଼ିବାକୁ ଯାଉଥିବା ବେଳେ ସେଠାକାର ସବୁଠୁ ବଡ଼ ବ୍ୟାଙ୍କ ୟୁବିଏସ୍ ଜରିଆରେ ସ୍ବିଜରଲ୍ୟାଣ୍ଡ୍ ସରକାର ତାହାକୁ ଉଦ୍ଧାର କରିଛନ୍ତି। ଏବେ ଜର୍ମାନୀରେ ବ୍ୟାଙ୍କ ସଙ୍କଟ ଆରମ୍ଭ ହେବାକୁ ଯାଉଥିବାରୁ ସେଠାକାର ସରକାର କିଭଳି ପଦକ୍ଷେପ ନେବେ ତାହା ଦେଖିବା ବାକି ରହିଛି।
୧୯୮୦ରୁ ଭାରତରେ କାରବାର କରୁଛି
ଡ୍ୟୁସ୍ ବ୍ୟାଙ୍କ ୧୯୮୦ରେ ଭାରତରେ ଏହାର ପ୍ରଥମ ଶାଖା ଖୋଲିଥିଲା। ବର୍ତ୍ତମାନ ଦେଶର ୧୭ଟି ସହରରେ ଏହାର ଶାଖା ରହିଛି। ୨୦୨୨ରେ ଗୁଜରାଟର ଗିଫ୍ଟ ସିଟିରେ ବ୍ୟାଙ୍କ ଏହାର ଆଇଏଫ୍ଏସ୍ସି ବ୍ୟାଙ୍କିଙ୍ଗ୍ ୟୁନିଟ୍ ଆରମ୍ଭ କରିଥିଲା। ଭାରତରେ ଏହାର କର୍ପୋରେଟ୍ ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇରେ ରହିଛି। ୨୦୨୦-୨୧ ଆର୍ଥିକ ବ୍ୟାଙ୍କରେ ବ୍ୟାଙ୍କ ୧୫୨୭ କୋଟି ଟଙ୍କାର ନିଟ୍ ଲାଭ କରିଥିଲା। ଏହାର ରାଜସ୍ବ ୫୫୩୭ କୋଟି ଟଙ୍କା ଥିଲା। ଭାରତରେ କାରବାରରେ ତିଷ୍ଠି ରହିବା ଲାଗି ବହୁ ବିଦେଶୀ ବ୍ୟାଙ୍କ ସଂଘର୍ଷ କରୁଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ସେମାନେ ପ୍ରତିଦ୍ବନ୍ଦ୍ବିତା କରିପାରୁନାହାନ୍ତି।