ନୂଆଦିଲ୍ଲୀ:ୱାଜିରଏକ୍ସ ନାମକ କ୍ରିପ୍ଟୋକରେନ୍ସି ସେବା ପ୍ରଦାନକାରୀ ସଂସ୍ଥାରେ ବହୁମାତ୍ରାରେ ଜିଏସଟି ଠକେଇ ହୋଇଥିବା ଜଣାପଡ଼ିବା ପରେ ଜିଏସଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟ ପକ୍ଷରୁ ଦେଶବ୍ୟାପୀ ବଡ଼ଧରଣର ଚଢ଼ଉ କରାଯାଇଛି। କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜଗୁଡ଼ିକର ପାଖାପାଖି ଅଧ ଡଜନ କାର୍ଯ୍ୟାଳୟରେ ଚଢ଼ଉ କରାଯିବା ସମୟରେ ବ୍ୟାପକ ପରିମାଣର ଜିଏସ୍‌ଟି ଠକେଇ ହୋଇଥିବା ଜଣାପଡ଼ିଛି। ପାୟ ୭୦ କୋଟି ଟଙ୍କାର ଜିଏସଟି ଠକେଇକୁ ମୁମ୍ବାଇ ସିଜିଏସଟି ଏବଂ ଜିଏସଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟଙ୍କ କାର୍ଯ୍ୟାଳୟ ଧରିଛି। ଜିଏସଟି ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ୱାଜିରଏକ୍ସ ‌ସମେତ ଅନ୍ୟ କ୍ରିପ୍ଟୋକରେନ୍ସି ସେବା ପ୍ରଦାନକାରୀଙ୍କ ଠାରୁ ଏହି ରାଶି ଆଦାୟ କରାଯାଇଛି। ଏଥିସହିତ ଜିଏସଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟ ପକ୍ଷରୁ ମେସର୍ସ ବିଟ୍‌ସିଫର ଲାବ୍‌ର କଏନସ୍ବିଚ କୁବେର, ମେସର୍ସ ନେଲିଓ ଟେକ୍ନୋଲୋଜିଜ୍‌ର କଏନଡିସିଏକ୍ସ, ମେସର୍ସ ଆଇ ବ୍ଲକ ଟେକ୍ନୋଲୋଜିଜ୍‌ର ବାଏୟୁକଏନ, ୟୁନିକଏନ ଟେକ୍ନୋଲୋଜିଜ୍‌ର ୟୁନୋକଏନରେ ତଦନ୍ତ ଚାଲିଛି। ୱାଜିରଏକ୍ସରେ ଶୁକ୍ରବାର ଜିଏସଟି ମୁମ୍ବାଇ ଇଷ୍ଟ କମିସନରେଟ୍ କାର୍ଯ୍ୟାଳୟ ପକ୍ଷରୁ ୪୦.୫ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଠାବ କରାଯାଇଥିଲା। ଏହି ସଂସ୍ଥାଠାରୁ ଜିଏସଟି ଠକେଇ, ସୁଧ ଏବଂ ଜରିମାନା ବାବଦରେ ୪୯.୨୦ କୋଟି ଟଙ୍କା ଆଦାୟ କରାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, କଏନଡିସିଏକ୍ସର ଦାବି ମୁତାବକ ଭାରତରେ ଏହାର କ୍ରିପ୍ଟୋ ଆପ୍‌ରେ ଗ୍ରାହକମାନେ ବିଟକଏନ ଓ ଅନ୍ୟ କ୍ରିପ୍ଟୋକରେନ୍ସି କିଣିପାରୁଛନ୍ତି। ୭୫ ଲକ୍ଷରୁ ଅଧିକ ଲୋକ ୭ ବିଲିଅନ ଡଲାରର କ୍ରିପ୍ଟୋ କ୍ରୟ କରିଛନ୍ତି। କଏନସ୍ବିଚ କୁବେର ଟ୍ରେଡିଂ ପ୍ଲାଟଫର୍ମରେ ୫ ବିଲିଅନ ଡଲାରରୁ ଅଧିକ କ୍ରିପ୍ଟୋକରେନ୍ସ କାରବାର ହେଉଛି। ଦିଲ୍ଲୀଭିତ୍ତିକ ବାଏୟୁକଏନର ୧୦ ଲକ୍ଷରୁ ଅଧିକ ବ୍ୟବହାରକାରୀ ଥିବାବେଳେ ଏହି ସଂସ୍ଥା ମାଧ୍ୟମରେ ୮୦୦ ନିୟୁତ ଡଲାରରୁ ଅଧିକ କାରବାର ହୋଇଛି। ୟୁନୋକଏନ ପ୍ଲାଟଫର୍ମରେ ବିଟକଏନ, ଇଥର, ଟିଥର ଆଦିର କିଣାବିକା ହେଉଛି। ଏହାର କାର୍ଯ୍ୟାଳୟ ବେଙ୍ଗାଲୁରୁରେ ରହିଛି।