ନୂଆଦିଲ୍ଲୀ: ଲୋକମାନେ ଘରେ ଭୋଜନଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ପହଞ୍ଚାଉଥିବା ଡେଲିଭରି କରୁଥିବା ଏଜେଣ୍ଟମାନଙ୍କ (ଗିଗ୍‌ କର୍ମଚାରୀ)ନିମନ୍ତେ ଏକ ପେନ୍‌ସନ୍ ଯୋଜନା ଆରମ୍ଭ କରିବା ଉପରେ ସରକାର ବିଚାର କରୁଛନ୍ତି। ଏହାର ଚିଠା ପ୍ରସ୍ତୁତ ହୋଇଯାଇଛି, ଯାହାକୁ କ୍ୟାବିନେଟ୍‌ ବୈଠକରେ ଉପସ୍ଥାପନ କରାଯିବ। ପ୍ରସ୍ତାବକୁ ମଞ୍ଜୁରି ମିଳିଲେ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଏହି କର୍ମଚାରୀମାନଙ୍କୁ ପେନ୍‌ସନ୍ ମିଳିପାରିବ।

Advertisment

ବର୍ତ୍ତମାନ ସେମାନଙ୍କ ଲାଗି କୌଣସି ସାମାଜିକ କଲ୍ୟାଣମୂଳକ ଯୋଜନା ନାହିଁ। ଯେହେତୁ ଏହି କ୍ଷେତ୍ରରେ ବହୁ ସଂଖ୍ୟାରେ ଲୋକ ନିୟୋଜିତ ହୋଇଛନ୍ତି, ତେଣୁ ସେମାନଙ୍କ ଭବିଷ୍ୟତ ଆବଶ୍ୟକତା ବୁଝିବା ସରକାରଙ୍କ ଦାୟିତ୍ବ ହୋଇପଡ଼ିଛି। ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମଗୁଡ଼ିକ ପାଇଁ ଗିଗ୍‌ କର୍ମଚାରୀମାନେ ଭାବେ କାମ କରୁଥିବା ଏକ କୋଟି ଲୋକଙ୍କ ପାଇଁ ଏକ ସାମାଜିକ ସୁରକ୍ଷା ସ୍କିମ୍ ଆସିବ ବୋଲି ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ। ଅର୍ଥମନ୍ତ୍ରୀଙ୍କ ବଜେଟ୍‌ ଘୋଷଣା ଅନୁଯାୟୀ ଗିଗ୍‌ କର୍ମଚାରୀମାନଙ୍କୁ ପରିଚୟପତ୍ର ଦିଆଯିବ ଏବଂ ଇ-ଶ୍ରମ ପୋର୍ଟାଲ୍‌ରେ ସେମାନେ ଯେଭଳି ପଞ୍ଜୀକରଣ କରିପାରିବେ, ସେଥିପାଇଁ ବ୍ୟବସ୍ଥା କରାଯିବ। ସେମାନଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସ୍ବାସ୍ଥ୍ୟ ସୁବିଧା ପ୍ରଦାନ କରାଯିବ। 

ଗିଗ୍‌ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ଯୋଜନା ଲାଗି ଲାଗି ଓଲା ଓ ଉବର୍‌ ଭଳି ଅନ୍‌ଲାଇନ୍ ସଂସ୍ଥାର ଆୟରୁ ଏକ ନିର୍ଦ୍ଦିଷ୍ଟ ଅଂଶକୁ କେଉଁ ଆଧାରରେ କଟାଯିବ ତାହା ଉପରେ ଶ୍ରମ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଯେତିକି ଟଙ୍କା କଟିବ ସେହି ଆଧାରରେ ପେନ୍‌ସନ୍ ଧାର୍ଯ୍ୟ କରାଯିବ। ଅବସର ସମୟ ବେଳେ ସେମାନଙ୍କୁ ଦୁଇ ପ୍ରକାର ବିକଳ୍ପ ପ୍ରଦାନ କରାଯିବ। ସଦସ୍ୟମାନେ ଚାହିଲେ ଏକକାଳୀନ ଟଙ୍କା ନେଇପାରିବେ କିମ୍ବା ଏକ ନିର୍ଦ୍ଦିଷ୍ଟ ଅବଧିରେ ତାହାକୁ କିସ୍ତି ଆକାରରେ ପାଇପାରିବେ।