ଗବେଷଣାକୁ ଗୁରୁତ୍ବ ଦେବ ଜିଆଇଇଟି ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ଜିଆଇଇଟି ବିଶ୍ବବିଦ୍ୟାଳୟ ଗୁଣାତ୍ମକ ଶିକ୍ଷାଦାନ ଓ ବିଭିନ୍ନ ବିଷୟରେ ଗବେଷଣା କରିବା ଉପରେ ଗୁରୁତ୍ବ ପ୍ରଦାନ କରିବ ବୋଲି ଗାନ୍ଧୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟସନ୍ସର ଅଧ୍ୟକ୍ଷ ଡକ୍ଟର ସତ୍ୟ ପ୍ରକାଶ ପଣ୍ଡା କହିଛନ୍ତି। ସେ କହିଲେ, ବିଶ୍ବବିଦ୍ୟାଳୟରେ ବିଜ୍ଞାନ, ପ୍ରଯୁକ୍ତି ଓ ମ୍ୟାନେଜମେଣ୍ଟ୍ ଆଦି ବିଷୟ ଉପରେ ଆନ୍ତର୍ଜାତିକ ସ୍ତରର ଗବେଷଣା କରାଯିବ। ଗବେଷଣା ଜରିଆରେ ସମାଜରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ ପନ୍ଥା ବାହାର କରାଯିବ। ଗବେଷଣା ପାଇଁ ଆଗାମୀ ଦିନରେ ଏହି ବିଶ୍ବବିଦ୍ୟାଳୟ ବିଶ୍ବ ଦରବାରରେ ପରିଚିତ ହେବ ବୋଲି ସେ କହିଛନ୍ତି। ବିଶ୍ବବିଦ୍ୟାଳୟର ଭବିଷ୍ୟତ ଯୋଜନା ବିଷୟରେ ସେ କହିଛନ୍ତି ଯେ, ଏମ୍‌ଏସ୍‌ଡବ୍‌ଲ୍ୟୁ, ଟ୍ରାଭେଲ୍ ମ୍ୟାନେଜମେଣ୍ଟ୍, ଡେଭେଲପ୍‌ମେଣ୍ଟାଲ୍ ଷ୍ଟ୍ରାଟେଜି ଭଳି ଅନେକ ଅଣ ପାରମ୍ପରିକ ବିଷୟକୁ ‌ନେଇ ନୂତନ ପାଠ୍ୟକ୍ରମ ଆରମ୍ଭ କରାଯିବ। ପୂର୍ବରୁ ଯେଉଁ ସବୁ ପାଠ୍ୟକ୍ରମ ରହିଛି ତାହା ଜାରି ରହିବ। ବିଶ୍ବବିଦ୍ୟାଳୟ ପକ୍ଷରୁ ବି.ଟେକ୍ ସିଟ୍ ବୃଦ୍ଧି କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଶିକ୍ଷାଦାନର ମାନଦଣ୍ଡକୁ ଏହା ବଢ଼ାଇବ। ବି.ଟେକ୍ ବିଭାଗଗୁଡ଼ିକରେ କେବଳ ଅଦଳବଦଳ କରାଯିବ। ଭାରତର ୧୨ଟି ରାଜ୍ୟ ଓ ଏସିଆର ୭ଟି ଦେଶର ୨୦୧୦ ଛାତ୍ରଛାତ୍ରୀ ଜିଆଇଇଟି ଗୁଣୁପୁରରେ ପାଠ ପଢ଼ୁଛନ୍ତି। ଉଲ୍ଲେଖଯୋଗ୍ୟ, ଜିଆଇଇଟି ଗୁଣପୁରକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି। ଏ ସଂକ୍ରାନ୍ତରେ ଓଡ଼ିଶା ସରକାର ବିଜ୍ଞପ୍ତି ଜାରି କରିଛନ୍ତି।

ସମ୍ବନ୍ଧିତ ଖବର