ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରୁ ଆର୍ଥିକ ଜଗତ ପରିଚାଳନା କ୍ଷେତ୍ରକୁ ଆସିଥିବା ଆଉ ଜଣେ ବିଦୂଷୀ ପୁଣି ଥରେ ପାଠପଢ଼ା କ୍ଷେତ୍ରକୁ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ହେଉଛନ୍ତି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ। ଆସନ୍ତା ଜାନୁଆରିରେ ସେ ଆଇଏମ୍ଏଫ୍ରୁ ଇସ୍ତଫା ଦେଇ ପୁଣି ଥରେ ହାର୍ଭାର୍ଡ ବିଶ୍ବବିଦ୍ୟାଳୟକୁ ଫେରିଯିବେ ବୋଲି କହିଛନ୍ତି। ସେ ଇସ୍ତଫା ଘୋଷଣା କରିଥିବାରୁ ଯେଉଁ ଖାଲି ସ୍ଥାନ ସୃଷ୍ଟି ହେବ ତାହା ପୂରଣ କରିବା ଲାଗି ଖୁବଖୀଘ୍ର ଆଇଏମ୍ଏଫ୍ ଉପଯୁକ୍ତ ପ୍ରାର୍ଥୀ ସନ୍ଧାନ କରିବ।
୨୦୧୮ ଅକ୍ଟୋବରରେ ତାଙ୍କୁ ଆଇଏମ୍ଏଫ୍ର ମୁଖ୍ୟ ଅର୍ଥନୀତିଜ୍ଞ ଭାବେ ନିଯୁକ୍ତି ମିଳିଥିଲା। ଏହି ଦାୟିତ୍ବ ନିର୍ବାହ କରିବା ଲାଗି ହାର୍ଭାର୍ଡ ବିଶ୍ବବିଦ୍ୟାଳୟ ତାଙ୍କୁ ଛୁଟି ଦେଇଛି। ଆଇଏମ୍ଏଫ୍ରେ ନିଜ ତିନି ବର୍ଷ କାର୍ଯ୍ୟକାଳ ଶେଷ କରିବା ଲାଗି ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କ ଛୁଟିକୁ ବୃଦ୍ଧି ମଧ୍ୟ କରାଯାଇଥିଲା। ଆଇଏମ୍ଏଫ୍ର ମୁଖ୍ୟ ଅର୍ଥନୀତିଜ୍ଞ ପଦରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ପ୍ରଥମ ମହିଳା। ସେ ଆଇଏମ୍ଏଫ୍ର ଗବେଷଣା ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଯାହା ପ୍ରତି ତିନି ମାସରେ ଦୁନିଆ ଆର୍ଥିକ ସମ୍ଭାବନା ରିପୋର୍ଟ ଜାରି କରୁଛି। ସେହି ଆକଳନ ରିପୋର୍ଟକୁ ସମଗ୍ର ବିଶ୍ବରେ ଗୁରୁତ୍ବ ଦିଆଯାଏ। ମହାମାରୀ ଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ଦୁନିଆର ବିଭିନ୍ନ ଅର୍ଥନୀତିର ସଠିକ୍ ଆକଳନ କରିବା ଭଳି ସଫଳତା ଗୀତା ହାସଲ କରିଛନ୍ତି। ସେଥିପାଇଁ ତାଙ୍କୁ ଆଇଏମ୍ଏଫ୍ର ଏମ୍ଡି କ୍ରିଷ୍ଟାଲିନା ଜୋର୍ଜିଭା ବେଶ ପ୍ରଶଂସା କରିଛନ୍ତି। ଆନ୍ତର୍ଜାତିକ ଫାଇନାନ୍ସ ଓ ଅର୍ଥନୀତି ଉପରେ ତାଙ୍କର ଥିବା ଗଭୀର ଜ୍ଞାନ ଯୋଗୁଁ ଆଇଏମ୍ଏଫ୍ ବିଶେଷ ଭାବେ ଉପକୃତ ହୋଇଥିବା ଜୋର୍ଜିଭା କହିଛନ୍ତି। କିଛି ଦିନ ତଳେ ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣିଅନ୍ ନିଜର ଇସ୍ତଫା ଘୋଷଣା କରିଥିଲେ। ସେ ମଧ୍ୟ ପାଠପଢ଼ା ଜଗତକୁ ଫେରିଯିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/65f464sf65hsfsfhsfhsfhsfhsfhsfhsfhsfhsfhsfhsfhsfhsfhsfh.jpg)