କରୋନା ପ୍ରଭାବରେ ଡିଲ୍‌ ବାତିଲ : ଜିଏମ୍‌ଆର୍‌ କମଳାଙ୍ଗକୁ କିଣିବନି ଜିନ୍ଦଲ୍‌

ଗତବର୍ଷ ଅକ୍ଟୋବରରେ ହୋଇଥିଲା ଘୋଷଣା
ଚଳିତ ବର୍ଷ ଫେବ୍ରୁଆରିରେ ବୁଝାମଣା
ମେ’ରେ ସ୍ଥଗିତ ଓ ଜୁଲାଇରେ ବାତିଲ

ନୂଆଦିଲ୍ଲୀ : କରୋନା ସଙ୍କଟ କର୍ପୋରେଟ୍ ଜଗତର ଅଧିଗ୍ର୍ରହଣ ଓ ମିଶ୍ରଣ ଯୋଜନାକୁ ପ୍ରଭାବିତ କରିଛି। ସଜ୍ଜନ ଜିନ୍ଦଲଙ୍କ କଂପାନି ଜେଏସ୍‌ଡବ୍ଲୁ ଏହାର ଏକ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟିକ ବୁଝାମଣାକୁ ବାତିଲ କରିଦେଇଛି। ଓଡ଼ିଶାର ‌ଢେଙ୍କାନାଳ ଜିଲ୍ଲାରେ ଥିବା ବିଦ୍ୟୁତ ଉତ୍ପାଦନକାରୀ କଂପାନି ଜିଏମ୍‌ଆର୍‌‌ କମଳାଙ୍ଗ୍‌ ଏନର୍ଜି ଲିମିଟେଡ୍‌କୁ କିଣିବା ଲାଗି ଏହା ଗତବର୍ଷ ଅକ୍ଟୋବରରେ ଘୋଷଣା କରିିଥିଲା। ଆଜି ଜେଏସ୍‌ଡବ୍ଲୁ ଏନର୍ଜି ସେହି ବୁଝାମଣାକୁ ସମ୍ପୂର୍ଣ୍ଣ ବାତିଲ କରିଦେଇଛି। କରୋନା ସଙ୍କଟକୁ ନେଇ ଲାଗି ରହିଥିବା ଅନିଶ୍ଚିତତାକୁ ନଜରରେ ରଖି କଂପାନି ଏଭଳି ନିଷ୍ପତ୍ତି ନେଇଥିବା କହିଛି। ଚୁକ୍ତି ବାତିଲ କରିବାକୁ ଉଭୟ ସଂସ୍ଥା ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି ବୋଲି ଜେଏସ୍‌ଡବ୍ଲୁ ପକ୍ଷରୁ ଷ୍ଟକ ବଜାରକୁ ଅବଗତ କରାଯାଇଛି। ଗତବର୍ଷ ଅକ୍ଟୋବରରେ ଦୁଇ କଂପାନି ଏହି ବୁଝାମଣା ବିଷୟରେ ଘୋଷଣା କରିଥିଲେ। ଏହାକୁ ନେଇ ଚଳିତ ବର୍ଷ ଫେବ୍ରୁଆରିରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଢେଙ୍କାନାଳରେ ଜିଏମ୍‌ଆର୍‌ କମଳାଙ୍ଗର ଥିବା ୧୦୫୦ ମେଗାୱାଟର ପ୍ଲାଣ୍ଟ୍‌କୁ ୫୩୨୧ କୋଟି ଟଙ୍କାରେ ଜେଏସ୍‌ଡବ୍ଲୁ କିଣିବ ବୋଲି ନିଷ୍ପତ୍ତି ହୋଇଥିଲା। ମାତ୍ର ମାର୍ଚ୍ଚରୁ ଦେଶରେ କରୋନା ସଙ୍କଟର ପ୍ରଭାବ ଅନୁଭୂତ ଆରମ୍ଭ ହୋଇଥିଲା ଓ ସେହି ମାସର ଶେଷ ସପ୍ତାହରେ ଲକ୍‌ଡାଉନ୍ ଘୋଷଣା କରାଗଲା। ଆଜି ପର୍ଯ୍ୟନ୍ତ ସ୍ଥିତିରେ କୌଣସି ସୁଧାର ଦେଖିବାକୁ ମିଳୁନାହିଁ। ସେଥିପାଇଁ ଏହି ବୁଝାମଣାକୁ ନେଇ ଜେଏସ୍‌ଡବ୍ଲୁ ଏନର୍ଜି ଆଗକୁ ବଢ଼ିବାକୁ ଚାହୁନାହିଁ। ଜିଏମଆର୍‌ କମଳାଙ୍ଗ ପ୍ରକଳ୍ପ ହେଉଛି ଜିଏମ୍‌ଆର୍‌ ଏନର୍ଜିର ଏକ ସହଯୋଗୀ ସଂସ୍ଥା। ଓଡ଼ିଶା ପ୍ରକଳ୍ପରେ କଂପାନିର ୩୫୦ ମେଗାୱାଟ୍ ବିଶିଷ୍ଟ ୩ଟି ୟୁନିଟ୍ ରହିଛି।

ଜିଏମ୍‌ଆର୍‌ ଗ୍ରୁପ୍‌ର ବିପୁଳ ପରିମାଣର ଋଣ ବକେୟା ରହିଛି। ସେହି ବୋଝ ହାଲୁକା କରିବା ଲାଗି କଂପାନି ଏହାର ଓଡ଼ିଶା ପ୍ରକଳ୍ପ ବିକ୍ର୍ରି କରିବାକୁ ଉଦ୍ୟମ କରୁଛି। ଜିଏମ୍ଆର୍‌ କମଳାଙ୍ଗକୁ କିଣିବ ନାହିଁ ବୋଲି ଜେଏସ୍‌ଡବ୍ଲୁ ଘୋଷଣା କରିବା ପରେ ଷ୍ଟକ ବଜାରରେ ଉଭୟ ସଂସ୍ଥାର ସେୟାର ଦାମ୍ ହ୍ରାସ ପାଇଛି। ଜେଏସ୍‌ଡବ୍ଲୁ ଏନର୍ଜିର ସେୟାର ଦାମ୍ ୪୫ ଟଙ୍କା ୮୦ ପଇସାକୁ ହ୍ରାସ ପାଇଥିବା ବେଳେ ଜିଏମ୍‌ଆର୍‌ ଇନଫ୍ରାଷ୍ଟ୍ରକ୍‌ଚରର ସେୟାର ମୂଲ୍ୟ ୨୧ ଟଙ୍କା ୬୦ ପଇସାକୁ ଖସିଆସିଛି। ଶକ୍ତି କ୍ଷେତ୍ରରେ ନିଜ ସ୍ଥିତି ମଜଭୁତ କରିବାକୁ ଚାହୁଥିବା ଜେଏସଡବ୍ଲୁ ଏନର୍ଜି ପାଇଁ ଏହି ଅଧିଗ୍ରହଣ ଗୁରୁତ୍ବପୂର୍ଣ୍ଣ ଥିଲା। ଏହା କଂପାନିର ବିଦ୍ୟୁତ ଉତ୍ପାଦନ କ୍ଷମତା ବଢ଼ାଇବାରେ ସହାୟକ ହୋଇଥାନ୍ତା। ସେହିପରି, ଏହି ବୁଝାମଣା ସଫଳ ହୋଇଥିଲେ ଜିଏମ୍‌ଆର୍‌ ଏନର୍ଜି ନିଜ ମୁଣ୍ଡରେ ଥିବା ଋଣକୁ ପରିଶୋଧ ମଧ୍ୟ କରିପାରିଥାନ୍ତା। ଋଣ ସଙ୍କଟରେ ଦେଶର ଅନେକ ଶକ୍ତି ପ୍ରକଳ୍ପ ଫସି ରହିଛି। ତେଣୁ କଂପାନିଗୁଡ଼ିକ ନିଜ ପ୍ରକଳ୍ପ ବିକ୍ରି କରିବା ଲାଗି ଉଦ୍ୟମ କରୁଛନ୍ତି। ଗତବର୍ଷ ଏପ୍ରିଲ୍‌ରେ ଇନସଲଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି)କୁ କୋହଳ କରାଯିବା ପରେ ‌ଅନେକ ସଂସ୍ଥା ଗ୍ରାହକ ସନ୍ଧାନରେ ରହିଛନ୍ତି। ଆଇବିସି ବାହାରେ ମଧ୍ୟ ବୁଝାମଣା କରିବା ଲାଗି କିଛି କଂପାନି ଉଦ୍ୟମ କରୁଛନ୍ତି। ମାତ୍ର କରୋନା ସଂକ୍ରମଣ ବ୍ୟାପିବା ପରେ ସବୁ କିଛି ଠପ୍ ହୋଇଯାଇଛି।

ସମ୍ବନ୍ଧିତ ଖବର