ଗୋ ଫାଷ୍ଟ୍‌ର ପୁଣି ବିମାନ ଉଡ଼ାଣ ଯୋଜନା: ଡିଜିସିଏ ନିକଟରେ ପୁନରୁଦ୍ଧାର ଯୋଜନା ଦାଖଲ

ନୂଆଦିଲ୍ଲୀ: ଆର୍ଥିକ ସଂକଟ ଦେଇ ଗତି କରୁଥିବା ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନି ଗୋ ଫାଷ୍ଟ୍‌ ପୁଣି ଥରେ ଏହାର ବିମାନ ଉଡ଼ାଣ ଆରମ୍ଭ ଯୋଜନା ଚଳାଇଛି। ୨୬ଟି ବିମାନ ଜରିଆରେ ଦିନକୁ ୧୫୨ଟି ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଛି। କମ୍ପାନି ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ନିୟନ୍ତ୍ରକ ଡିଜିସିଏ ନିକଟରେ ଏକ ପୁନରୁଦ୍ଧାର ଯୋଜନା ଦାଖଲ କରିଛି। ଏଥିସହିତ ବିମାନ ଚଳାଚଳ ପାଇଁ ଆବଶ୍ୟକ ପୁଞ୍ଜି (ୱାର୍କିଂ କ୍ୟାପିଟାଲ) ଯୋଗାଇ ଦେବାଲାଗି ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ସହିତ ଆଲୋଚନା ଚଳାଇଛି। କମ୍ପାନି ସ୍ବେଚ୍ଛାକୃତ ଭାବେ ନିଜକୁ ଦେବାଳିଆ ଘୋଷଣା ପାଇଁ ଆବେଦନ କରିବା ସହିତ ମେ’ ମାସ ୩ ତାରିଖରେ ଏହାର ବିମାନ ସେବାକୁ ବନ୍ଦ କରିଥିଲା। ସେହି ସମୟ ପୂର୍ବରୁ କମ୍ପାନିର ଦିନକୁ ପ୍ରାୟ ୨୦୦ ବିମାନ ଉଡ଼ାଣ କରୁଥିଲା। ଏକ ସୂତ୍ରରୁ ଜଣାଯାଇଛି ଯେ, ଗୋ ଫାଷ୍ଟ୍‌ରେ ବର୍ତ୍ତମାନ ପ୍ରାୟ ୪୭୦୦ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଗତ ମାସକ ମଧ୍ୟରେ ଅନେକ କର୍ମଚାରୀ କମ୍ପାନି ଛାଡ଼ିଛନ୍ତି। ବେତନ ବାବଦରେ କମ୍ପାନିକୁ ମାସିକ ପ୍ରାୟ ୩୦ କୋଟି ଟଙ୍କା ଦରକାର ପଡ଼ୁଛି।

ଗୋ ଫାଷ୍ଟ୍‌ର ମ୍ୟାନେଜମେଣ୍ଟ୍ ଏହାରା ପୁନରୁଦ୍ଧାର ଯୋଜନାକୁ ଡିଜିସିଏର ମଞ୍ଜୁରିକୁ ଅପେକ୍ଷା କରିଛି। ମଞ୍ଜୁରି ମିଳିବା ପରେ କମ୍ପାନି ଏହାର ବିମାନ ଉଡ଼ାଣ ଆରମ୍ଭ କରିବ। ପୁନରୁଦ୍ଧାର ଯୋଜନା ସଂପର୍କରେ କମ୍ପାନିର ବରିଷ୍ଠ ଅଧିକାରୀମାନେ ଡିଜିସିଏର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର