୨୮ ତାରିଖ ପର୍ଯ୍ୟନ୍ତ ଫ୍ଲାଇଟ୍ ରଦ୍ଦ କଲା ଗୋ ଫାଷ୍ଟ୍

ନୂଆଦିଲ୍ଲୀ : ଆର୍ଥିକ ସଙ୍କଟରେ ଥିବା ଗୋ ଫାଷ୍ଟ ମେ ୨୮ ପର୍ଯ୍ୟନ୍ତ ବିମାନ ଉଡ଼ାଣ ବାତିଲ କରିଛି। ପୂର୍ବରୁ ପରିଚାଳନାଗତ କାରଣ ଦର୍ଶାଇ ମେ ୨୬ ତାରିଖ ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରଖିବାକୁ ଘୋଷଣା କରାଯାଇଥିଲା । ଏହି ସମୟ ସୁଦ୍ଧା ବୁକିଂ ଆରମ୍ଭ କରିବାରେ ସକ୍ଷମ ହେବ ବୋଲି ଏୟାରଲାଇନ୍ସ ଆଶା ରଖିଥିଲା। କିନ୍ତୁ ଆଶା ନିରାଶାରେ ପରିଣତ ହୋଇଛି ।

ସ୍ୱେଚ୍ଛାକୃତ ଦେବାଳିଆ ପ୍ରକ୍ରିୟାର ସମ୍ମୁଖୀନ ହେଉଥିବା ଗୋ ଫାଷ୍ଟର ବିମାନ ମେ ୩ ତାରିଖରୁ ବନ୍ଦ ରହିଛି । ଏୟାରଲାଇନ୍ସ ଏହାର ଦେବାଳିଆ ଆବେଦନରେ କହିଥିଲା ଯେ, ସେ ଏକ ବଡ଼ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି । ଏହି ଆବେଦନ ପରେ ଡିଜିସିଏ ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ ଜାରି କରି ବିମାନ ଚଳାଚଳରେ ବିଫଳ ହେବା   ପରେ ଏହାର ଲାଇସେନ୍ସ କାହିଁକି ବାତିଲ କରାଯିବ ନାହିଁ ବୋଲି ପଚାରିଥିଲା। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ତୁରନ୍ତ ଅଧିକ ବିମାନ ଟିକେଟ୍ ବିକ୍ରି ବନ୍ଦ କରିବାକୁ ଗୋ ଫାଷ୍ଟକୁ କୁହାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଗୋ ଫାଷ୍ଟ ହେଉଛି ୱାଡିଆ ଗ୍ରୁପର ବଜେଟ ଏୟାରଲାଇନ୍ସ । ଗୋଫାର୍ଷ୍ଟ ନଭେମ୍ବର ୨୦୦୫ରେ ମୁମ୍ବାଇରୁ ଅହମ୍ମଦାବାଦକୁ ଏହାର ପ୍ରଥମ ବିମାନ ଚଳାଚଳ କରିଥିଲା । ଏୟାରଲାଇନ୍ସ ୨୭ଟି ଘରୋଇ ଏବଂ ୮ଟି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳ ଅର୍ଥାତ୍ ମୋଟ ୩୫ଟି ଗନ୍ତବ୍ୟସ୍ଥଳକୁ ବିମାନ ଚଳାଚଳ କରୁଛି ।

ସମ୍ବନ୍ଧିତ ଖବର