ବେଙ୍ଗାଲୁର: ବସ୍‌ରେ ଥିବା ୫୦ ଜଣ ଯାତ୍ରୀଙ୍କୁ ଛାଡ଼ି ଦେଇ ଉଡ଼ାଣ କରିବାର ଦିନକ ପରେ ଗୋ ଫାଷ୍ଟ୍‌ ବିମାନ ପରିବହନ ସଂସ୍ଥାକୁ କୈଫିୟତ୍ ମାଗିଛି ବେସାମରିକ ବିମ‌ାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)। ବସ୍‌ଟି ବିମାନ ପାଖରେ ଥାଇ ମଧ୍ୟ ବିମାନଟି ୫୦ ଯାତ୍ରୀଙ୍କୁ ଛାଡ଼ି ଦେଇ ଉଡ଼ାଣ କରିବା ପରେ ଟ୍ବିଟର୍‌ରେ ଅନେକ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିବା ପରେ ଡିଜିସିଏ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଯାତ୍ରୀମାନେ ବିମାନରେ ଯାଇ ନପାରିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Advertisment

ବେଙ୍ଗାଲୁରରୁ ଦିଲ୍ଲୀ ଯାଉଥିବା ବିମାନ ଜି୮ ୧୧୧ କେମ୍ପେଗୋଡ଼ା ଅନ୍ତର୍ଜୀତୀୟ ବିମାନ ବନ୍ଦରରୁ ସୋମବାର ସକାଳ ୬.୩୦ରେ ଉଡ଼ାଣ କରିଥିଲା। ବିମାନରେ ଚଢ଼ାଇବା ପାଇଁ ଯାତ୍ରୀମାନଙ୍କୁ ୪ଟି ବସ୍‌ରେ ଅଣା ଯାଇଥିଲା। ଗୋଟାଏ ବସ୍‌ରେ ଥିବା ୫୫ ଜଣ ଯାତ୍ରୀଙ୍କୁ ଗୋ ଫାଷ୍ଟ୍‌ ବିମାନରେ ଚଢ଼ାଇବାକୁ ଅପେକ୍ଷା କରାଯାଇଥିଲା।

ମାତ୍ର ବିମାନଟି ଯାତ୍ରୀମାନଙ୍କୁ ଛାଡ଼ି ଦେଇ ଉଡ଼ାଣ କରିବା ପରେ କିଛି ଯାତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟ୍ୟାଗ୍‌ କରି ଟ୍ବିଟ୍‌ କରିଥିଲେ। ଯାତ୍ରୀମାନଙ୍କର ବୋର୍ଡିଂ ପାସ୍‌ ଓ ବ୍ୟାଗ୍‌ ଚେକ୍‌ କରିବା ପରେ ବି ସେମାନଙ୍କୁ ନିଆ ଯାଇ ନଥିଲା। ଯାତ୍ରୀମାନେ ନିଜର ଖରାପ ଅଭିଜ୍ଞତାକୁ ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ ସେୟାର୍‌ କରିବା ପରେ ଏୟାର୍‌ଲାଇନ୍‌ ପକ୍ଷରୁ ‘ଉପୁଜିଥିବା ଅସୁବିଧା ହେତୁ ଆମେ ଦୁଃଖିତ’ ବୋଲି ଏକ ଜବାବ ଟ୍ବିଟ୍‌ ଜରିଆରେ ମିଳିଛି।