ଜାତୀୟ ସ୍ତରରେ ଓଡ଼ିଶାର ଗୋ-ସ୍ବିଫ୍ଟକୁ ପ୍ରଶଂସା

ଭୁବନେଶ୍ବର: ନିବେଶକଙ୍କ ଲାଗି ରାଜ୍ୟ ସରକାର ଖୋଲିଥିବା ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ଗୋ-ସ୍ବିଫ୍ଟକୁ ଶ୍ରେଷ୍ଠ ବ୍ୟବସ୍ଥା ରୂପେ ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି। ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବା ଦିଗରେ ଏହା ବେଶ ତାତ୍ପର୍ଯ୍ୟପୂର୍ଣ୍ଣ ଓ ସର୍ବୋତ୍ତମ ବୋଲି କୁହାଯାଇଛି। ଓଡ଼ିଶାର ଏହି ବ୍ୟବସ୍ଥାକୁ ଲାଗୁ କରିବା ଦିଗରେ ବିଚାର କରିବା ଲାଗି କେନ୍ଦ୍ର ସରକାରଙ୍କ ଶିଳ୍ପ ବିକାଶ ଓ ଆଭ୍ୟନ୍ତରୀଣ ବ୍ୟବସାୟ ବିଭାଗ (ଡିପିଆଇଆଇଟି) ତରଫରୁ ସବୁ ରାଜ୍ୟର ଶିଳ୍ପ ବିଭାଗକୁ ଇ-ମେଲ୍ ଜରିଆରେ ପରାମର୍ଶ ଦିଆଯାଇଛି। ସାରା ଦେଶରେ ସହଜ ବ୍ୟବସାୟ ବାତାବରଣରେ ଉନ୍ନତି ଆଣିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରଯୁକ୍ତି ଭିତ୍ତିକ ବ୍ୟବସ୍ଥାକୁ ଅଧିକ ମାତ୍ରାରେ ଗ୍ରହଣ କରିବା ଲାଗି ଆହ୍ବାନ ଦିଆଯାଇଛି।

ଗୋ-ସ୍ବିଫ୍ଟ ହେଉଛି ଦେଶର ଏଭଳି ଏକ ପ୍ରଥମ ଧରଣର ପୋର୍ଟାଲ୍ ଯାହା ଜରିଆରେ ନିବେଶକମାନେ ବିଭିନ୍ନ ପ୍ରକଳ୍ପର ସୂଚନା ଠାରୁ ଆରମ୍ଭ କରି ପ୍ରୋତ୍ସାହନ ପ୍ୟାକେଜ ଓ ମଞ୍ଜୁରିଗୁଡ଼ିକ ବିଷୟରେ ଜାଣିପାରୁଛନ୍ତି। ଏହା ଜରିଆରେ ନିବେଶକମାନେ ଆବେଦନ, ପେମେଣ୍ଟ୍‌, ଆବେଦନର ସ୍ଥିତି ଜାଣିବା ଏବଂ ୧୫ଟି ସରକାରୀ ବିଭାଗ ସହିତ ୩୨ ପ୍ରକାର ସରକାରୀ-ବ୍ୟବସାୟ ସେବା ଆଦି ହାସଲ କରିପାରୁଛନ୍ତି। ରାଜ୍ୟରେ ସ୍ଥାପନ ହୋଇଥିବା ଶିଳ୍ପ ସଂସ୍ଥାଗୁଡ଼ିକ ଲାଇସେନ୍ସ ନବୀକରଣ ଆବେଦନ କରିପାରୁଛନ୍ତି। ରାଜ୍ୟ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ, ନିବେଶକମାନେ ଜମି ଆବଣ୍ଟନ, ବଦ୍ୟୁତ ଓ ଜଳ ସଂଯୋଗ ପାଇଁ ଅନଲାଇନ୍‌ରେ ଆବେଦନ କରିପାରୁଛନ୍ତି। ବିଲ୍‌ଡିଂ ପ୍ଲାନ୍‌କୁ ଅନ୍‌ଲାଇନ୍ ମଞ୍ଜୁରି ପ୍ରଦାନ କରାଯାଉଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମୋଦନ ମଧ୍ୟ ହାସଲ କରାଯାଇପାରୁଛି। ଗୋ-ସ୍ବିଫ୍ଟ ଦ୍ବାରା ୬୫୦୦ରୁ ଅଧିକ ଶିଳ୍ପ ସଂସ୍ଥା ଲାଭାନ୍ବିତ ହୋଇଛନ୍ତି। ଗୋ-ସ୍ବିଫ୍ଟ ଜରିଆରେ ଆହୁରି ଅଧିକ ଗୁରୁତ୍ବପୂର୍ଣ୍ଣ ସେବା ଉପଲବ୍ଧ କରାଇବା ଲାଗି ଉଦ୍ୟମ ଜାରି ରହିଛି ବୋଲି ଶ୍ରୀ ଚୋପ୍ରା କହିଛନ୍ତି।

ସମ୍ବନ୍ଧିତ ଖବର