ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ ୨୫୦ କୋଟି ନିବେଶ କରିବ

ଭୁବନେଶ୍ବର: ଦେଶର ଅଗ୍ରଣୀ ଆପ୍ଲାଏନ୍‌ସେସ୍ କଂପାନି ଗୋଦରେଜ୍ ଆପ୍ଲାଏନ୍‌ସେସ୍ ଚଳିତ ଆର୍ଥିକ ବର୍ଷରେ ୨୫୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। କ୍ଷମତା ସମ୍ପ୍ରସାରଣ, ଉତ୍ପାଦ ବର୍ଗମାଳାରେ ବିସ୍ତାର ଆଦି କାର୍ଯ୍ୟରେ ଏହି ଅର୍ଥ ବିନିଯୋଗ ହେବ ବୋଲି କଂପାନିର ବ୍ୟବସାୟ ମୁଖ୍ୟ ଓ ଇଭିପି କମଳ ନନ୍ଦୀ କହିଛନ୍ତି। ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ଏକ ଆଲୋଚନାରେ ସେ କହିଛନ୍ତି ଯେ କଂପାନିର ଉତ୍ପାଦଗୁଡ଼ିକ ମଧ୍ୟରୁ ଶୀତଳତା ପ୍ରଦାନକାରୀ ଉତ୍ପାଦ ବିକ୍ରି ଅଧିକ ରହୁଛି। ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାରୁ ଏସି ବିକ୍ରି ବଢ଼ିଛି। ‌ଲୋକମାନେ ଉଚ୍ଚତର ଷ୍ଟାର ରେଟିଂ ଥିବା ଏସି କିଣିବାକୁ ଅଧିକ ପସନ୍ଦ କରୁଥିବା ଜଣାପଡ଼ିଛି। ଆଉ କିଛି ଦିନ ପରେ ବର୍ଷା ଋତୁ ଆସିବାକୁ ଥିବା ବେଳେ ଏହି ସମୟରେ ଅଧିକ ୱାସିଂ ମେସିନ ବିକ୍ରି ହେବାର ସମ୍ଭାବନା ରହିଛି। ତେଣୁ ନିଜର ୱାସିଂ ମେସିନ୍‌ ବର୍ଗମାଳାରେ ଉତ୍ପାଦ ସଂଖ୍ୟା ବଢ଼ାଇବାକୁ କଂପାନି ଯୋଜନା ରଖିଛି।

ବିଭିନ୍ନ କଞ୍ଚାମାଲର ଦରବୃଦ୍ଧି ପ୍ରଭାବ ସମ୍ପର୍କରେ ସେ କହିଛନ୍ତି ଯେ କିଛି ପର୍ଯ୍ୟାୟର ଦରବୃଦ୍ଧି ସତ୍ତ୍ବେ ଏବେବି ୧୩-୧୫% ଦରବୃଦ୍ଧିର ସୁଯୋଗ ରହିଛି। କଂପାନି କିନ୍ତୁ ଏକକାଳୀନ ଦରରେ ଏତେ ଅଧିକ ବୃଦ୍ଧି କରିବ ନାହିଁ। ପ୍ରତି ତ୍ରୈମାସିକରେ ୨-୩ ପ୍ରତିଶତ ଲେଖାଏଁ ଦରବୃଦ୍ଧି କରାଯାଇପାରେ। କେନ୍ଦ୍ର ସରକାର କେତେକ ପ୍ରମୁଖ କଞ୍ଚାମାଲର ଆମଦାନି ଉପରୁ ଟିକସ ହ୍ରାସ କରିଛନ୍ତି ଯାହାର ପ୍ରଭାବ ଆଗାମୀ ଦିନରେ ଜଣାପଡ଼ିବ। କିନ୍ତୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୭ ଟଙ୍କା ୫୦ ପଇସା ଭଳି ସ୍ତରରେ ଥିବାରୁ ଟିକସ ହ୍ରାସ ବିଶେଷ ଲାଭ ମିଳିବ ନାହିଁ ବୋଲି ସେ କହିଛନ୍ତି। କଂପାନି ୨୦୨୨-୨୩ରେ ସାମଗ୍ରିକ ଭାବେ ୨୦% ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି। କେତେକ ନିର୍ଦିଷ୍ଟ ପ୍ରକାର ଉତ୍ପାଦରେ ଅଭିବୃଦ୍ଧି ଅଧିକ ରହିବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି। ଦେଶର ମୋଟ୍‌ ବ୍ୟବସାୟରେ ଓଡ଼ିଶାର ଯୋଗଦାନ ୬% ରହିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର