ଡବ୍ଲୁଟିଓ ଡିଜିଙ୍କୁ ଭେଟିଲେ ଗୋୟଲ, ଏକତ୍ରିତ ହେବାକୁ ଜି-୩୩କୁ ଭାରତର ଆହ୍ବାନ

ନୂଆଦିଲ୍ଲୀ: ଆଜିଠାରୁ ସ୍ବିଜରଲ୍ୟାଣ୍ଡ୍‌ର ଜେନେଭାରେ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ର ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହୋଇଛି। ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ବ ନେଇଥିବା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଡବ୍ଲୁଟିଓ ଡିଜି ନୋଜି-ଓକୋଞ୍ଜୋ ଇୱେଲାଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ଖାଦ୍ୟ ନିରାପତ୍ତାର ସ୍ଥାୟୀ ସମାଧାନ ଲାଗି ସେ ଦାବି ଉପସ୍ଥାପନ କରିଛନ୍ତି। ନିଜ ଦେଶର ଗରିବ ‌ଲୋକମାନଙ୍କ ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ଲାଗି ନିୟମରେ ପରିବର୍ତ୍ତନ ହେଉ ବୋଲି ଭାରତ ଚାହୁଛି। ଏହା ବ୍ୟତୀତ ମତ୍ସ୍ୟଚାଷୀଙ୍କୁ ସବ୍‌ସିଡି ଦେବା ସମ୍ପର୍କିତ ପ୍ରସଙ୍ଗରେ ମଧ୍ୟ ଏହା ସ୍ଥାୟୀ ସମାଧାନ ଦାବି କରିଛି।

ପାଞ୍ଚ ବର୍ଷ ବ୍ୟବଧାନ ପରେ ଆରମ୍ଭ ହୋଇଥିବା ଡବ୍ଲୁଟିଓ ବୈଠକର ପ୍ରଥମ ଦିନରେ ବିକାଶଶୀଳ ଦେଶଗୁଡ଼ିକର ସମୂହ ଜି୩୩ ମନ୍ତ୍ରୀସ୍ତରୀୟ ବୈଠକରେ ଗୋୟଲ ଯୋଗ ଦେଇଥିଲେ। ଏହି ବୈଠକକୁ ଇଣ୍ଡୋନେସିଆ ପକ୍ଷରୁ ଆୟୋଜନ କରାଯାଇଥିଲା। ସେଥିରେ ଉଦବୋଧନ ଦେଇ ଜି-୩୩ ରାଷ୍ଟ୍ରଙ୍କୁ ଏକତ୍ରିତ ‌ହୋଇ ନିର୍ଦିଷ୍ଟ ଲକ୍ଷ୍ୟ ପାଇଁ କାମ କରିବାକୁ ଗୋୟଲ ଆହ୍ବାନ ଦେଇଛନ୍ତି। ଆଜିର ଆତ୍ମନିର୍ଭର ଭାରତ ଉପରେ କେହି ଚାପ ପକାଇପାରିବେନି ବୋଲି ସେ କହିଛନ୍ତି। ସେ ଆମେରିକାର ବାଣିଜ୍ୟ ପ୍ରତିନିଧି କାଥେରିନ୍ ତାଇଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ବୈଠକରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ବିଷୟରେ ମେ’ ମାସରେ ଯେଉଁ ଚିଠାକୁ ଡବ୍ଲୁଟିଓ ଡିଜି ଜାରି କରିଥିଲା ସେଥିରେ କୃଷି, ବାଣିଜ୍ୟ ଓ ଖାଦ୍ୟ ନିରାପତ୍ତା ପ୍ରସଙ୍ଗ ରହିଥିଲା। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ଶସ୍ୟ ସଂଗ୍ରହର ଯେଉଁ ଧାରା ଜାରି ରହିଛି ତାହା ବଜାୟ ରଖିବାକୁ ଭାରତ ଚାହୁଛି। ଜି-୩୩ ରାଷ୍ଟ୍ର ସମୂହ ମଧ୍ୟ ଖାଦ୍ୟ ନିରାପତ୍ତାର ସ୍ଥାୟୀ ସମାଧାନ ଦାବି କରିଛି।

ସମ୍ବନ୍ଧିତ ଖବର