ଗୁଗୁଲ୍‌ ସିଇଓଙ୍କ ଘରେ କମ୍ପ୍ୟୁଟର ନ ଥିଲା

ୱାସିଂଟନ: ବିଶ୍ବର ପ୍ରମୁଖ ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ ଗୁଗୁଲ୍‌ର ସିଇଓ ଭାବେ ଏବେ କାର୍ଯ୍ୟ କରୁଛନ୍ତି ଭାରତରେ ଜନ୍ମିତ ସୁନ୍ଦର ପିଚାଇ। ଦକ୍ଷିଣ ଭାରତୀୟ ସହର‌ରେ ସେ ଜନ୍ମ ହୋଇଛନ୍ତି। ପିଲାଦିନ ମଧ୍ୟ ସେଠାରେ କଟିଛି। ତେବେ ଗୁଗୁଲ୍ ଭଳି ଏକ କମ୍ପାନିର ସିଇଓ ହୋଇଥିବା ପିଚାଇଙ୍କ ଘରେ ପିଲାଦିନେ ଇଣ୍ଟରନେଟ୍ ବା କମ୍ପ୍ୟୁଟର କଥା ଛାଡ଼ନ୍ତୁ ଫୋନ୍‌ଟିଏ ମଧ୍ୟ ନଥିଲା। ଘରକୁ ଫୋନ୍ ସଂଯୋଗ ଆଣିବା ଲାଗି ପିଚାଇଙ୍କ ପରିବାରକୁ ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ଘରକୁ ଫୋନ୍ ଆସିବା ପରେ ସାଇ ପଡ଼ି‌ଶା ଲୋକେ ସେମାନଙ୍କ ପରିବାରର ପିଲାମାନଙ୍କୁ ଫୋନ୍ କରିବା ଲାଗି ତାଙ୍କ ଘରକୁ ଆସୁଥିଲେ। ସେହି ସମୟରେ ତାଙ୍କ ନିକଟରେ କମ୍ପ୍ୟୁଟର ନଥିଲେ ବି ସେ ପ୍ରଯୁକ୍ତିର ଶକ୍ତି ବିଷୟରେ ବୁଝିଯାଇଥିଲେ। ମେଧାବୃତ୍ତି ପାଇଁ ଆମେରିକାର ‌ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟକୁ ଯିବା ପର୍ଯ୍ୟନ୍ତ ତାଙ୍କର ନିଜସ୍ବ କମ୍ପ୍ୟୁଟର ନଥିଲା ବୋଲି ପିଚାଇ ଏକ ସାକ୍ଷାତକାରରେ କହିଛନ୍ତି।ପିଚାଇ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରୁ ଇଞ୍ଜିନିୟରିଂରେ ସ୍ନା‌ତକୋତ୍ତର ଏବଂ ପେନସିଲଭାନିଆ ବିଶ୍ବବିଦ୍ୟାଳୟର ହ୍ବାର୍ଟନ ସ୍କୁଲରୁ ଏମବିଏ ଡିଗ୍ରି ହାସଲ କରିଛନ୍ତି। ୨୦୦୪ରେ ପଚାଇ ଗୁଗୁଲ୍‌ରେ ଯୋଗଦେବା ପୂର୍ବରୁ ଆପ୍ଲାଏଡ୍ ମ୍ୟାଟେରିଆଲ୍ସ ଏବଂ ମ୍ୟାକନ୍‌ଜି ଭଳି କମ୍ପାନିରେ କାର୍ଯ୍ୟ କରୁଥିଲେ। ଗୁଗୁଲ୍‌ରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳିବା ପରେ ୨୦୧୫ ମସିହାରେ ସେ ସିଇଓ ହୋଇଛନ୍ତି। ଆମେରିକାକୁ ପିଚାଇର ଏକ ସୁଯୋଗର ଭୂମି ଭାବେ ଦର୍ଶାଇଛନ୍ତି। ତେବେ ଏହି କଥାକୁ ସତ ସାବ୍ୟସ୍ତ କରିବା ପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଯେଉଁ‌ମାନେ ସ୍ବପ୍ନ ଦେଖୁଛନ୍ତି ସେମାନଙ୍କ ସ୍ବପ୍ନକୁ ସାକାର କରିବା ଦିଗରେ କଂଗ୍ରେସର ଗୁରୁଦାୟିତ୍ବ ରହିଛି। ଉଚ୍ଚ ଦକ୍ଷତା ସମ୍ପନ୍ନ ମାନବ ସମ୍ବଳ ଆମେରିକାକୁ ଯେଭଳି ଆସିବା ଅବ୍ୟାହତ ରହିବ ତାହାକୁ କଂଗ୍ରେସ ନିଶ୍ଚିତ କରିବା ଉଚିତ ବୋଲି ସେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର