ସୁନା, ରୁପ‌ା ଶସ୍ତା ହେଲା: ସୁନା ୫୦ ହଜାର, ରୁପା ଦାମ୍ ୬୧ ହଜାର ଟଙ୍କା ପର୍ଯ୍ୟନ୍ତ ଖସିଲା

ନୂଆଦିଲ୍ଲୀ: କରୋନା ଭୂତାଣୁ ପାଇଁ ଟିକା ବିକଶିତ ହେବା ଖବର ପ୍ରଚାରିତ ହେବା ପରେ ସୁନା ଦାମ୍‌ରେ ବଡ଼ ଧରଣର ହ୍ରାସ ଘଟିଛି। କେବଳ ସୁନା ନୁହେଁ ରୁପା ଦାମ୍ ମଧ୍ୟ ହ୍ରାସ ପାଇଛି। ସୁନାର ୧୦ ଗ୍ରାମ ଦାମ୍ ୫୦ ହଜାର ଟଙ୍କା ଭଳି ସ୍ତରକୁ ଖସିଆସିଛି। କିଛି ଦିନ ତଳେ ଏହି ଦର ୫୫ ହଜାର ଟଙ୍କାରୁ ଉପର ସ୍ତରକୁ ଚାଲିଯାଇଥିଲା। ତେବେ ରୁଷି‌ଆରେ କରୋନା ଟିକା ବିକଶିତ ହେବା ଖବର ପ୍ରଚାରିତ ହେବା ପରେ ଆନ୍ତର୍ଜାତିକ ବଜାରରେ ସୁନା ଦାମ୍ ହ୍ରାସ ପାଇଛି। ସୁନାରେ ନିବେଶ କରିିଥିବା ନିବେଶକମାନେ ଲାଭ ପାଇବା ଆଶାରେ ତାହାକୁ ବିକ୍ରି କରିଦେବାରୁ ସୁନାର ମୂଲ୍ୟ ବହୁତ କମିଯାଇଛି। ଗତ ମଙ୍ଗଳବାର ଏହି ମୂଲ୍ୟବାନ ହଳଦିଆ ଧାତୁର ଦାମ୍ ୧୩୧୭ ଟଙ୍କା ଓ ରୁପାର କିଲୋ ପିଛା ଦାମ୍ ୨୯୪୩ ଟଙ୍କା ହ୍ରାସ ପାଇଥିଲା। ଆଜି ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ)ରେ କାରବାର ବେଳେ ସୁନା ଦାମ୍ ଆଉ ୧୬୦୮ ଟଙ୍କା ହ୍ରାସ ପାଇବାରୁ ଏହାର ମୂଲ୍ୟ ୫୦ ହଜାର ଟଙ୍କା ସ୍ତରକୁ ଖସିଆସିଛି।

ସେହିପରି ରୁପାର କିଲୋ ପିଛା ମୂଲ୍ୟରେ ଆଜି ୫୧୭୮ ଟଙ୍କାର ହ୍ରାସ ଘଟିଛି। ତେଣୁ ଏକ କେଜି ରୁପା ଆଜି ୬୧,୭୫୬ ଟଙ୍କାରେ ବିକ୍ରି ହୋଇଛି। ସୁନା ଦାମ୍ ହ୍ରାସ ପାଇବାର କାରଣ ସମ୍ପର୍କରେ ବଜାର ଉପରେ ନଜର ରଖୁଥିବା ବିଶେଷଜ୍ଞମାନେ କହିଛନ୍ତି ଯେ କରୋନା ଟିକା ଆସିବା ଖବର ପ୍ରଚାରିତ ହେବା ପରେ ଦାମ୍ ହ୍ରାସ ପାଇବାରେ ଲାଗିଛି। ଏହା ବ୍ୟତୀତ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଡଲାର ଦାମ୍ ପୁଣି ବଢ଼ୁଥିବାରୁ ସେୟାର ବଜାର ଓ ଅନ୍ୟାନ୍ୟ ସ୍ଥାନରେ‌ ନିବେଶକମାନେ ଯେଉଁ ପାଣ୍ଠି ନିବେଶ କରିଛନ୍ତି ସେଥିରୁ ଅଧିକ ଲାଭ ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ସେଥିପାଇଁ ନିବେଶକମାନେ ସୁନାରେ ଅଧିକ ନିବେଶ କରିବା ବଦଳରେ ‌ଯେତିକି ନିବେଶ କରିଥିଲେ ତାହାର ଲାଭ ପାଇବା ପାଇଁ ସୁନାକୁ ବିକ୍ରି କରିବା ଆରମ୍ଭ କରିଛନ୍ତି। ସେମାନେ ଦାମ୍ କମ୍ ଥିବା ବେଳେ ସୁନା କିଣିଥିଲେ। ବର୍ତ୍ତମାନର ଦର ତା’ଠାରୁ ଯଥେଷ୍ଟ ଅଧିକ ହୋଇଯାଇଛି। ତେଣୁ ଲାଭ ପାଇବା ଆଶାରେ ଅନେକ ନିବେଶକ ସୁନା ବିକ୍ରି କରିଦେଉଛନ୍ତି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦର ୧୯୨୦ ଡଲାରକୁ ହ୍ରାସ ପାଇଛି। ଆଜି ସୁନା ଦାମ୍‌ରେ ୦.୫ ପ୍ରତିଶତ ହ୍ରାସ ଘଟିଛି।

ସମ୍ବନ୍ଧିତ ଖବର