ଭୁବନେଶ୍ବର: ସୁନା ଗହଣା କିଣିବାକୁ ଚାହୁଥିବା ଗ୍ରାହକମାନଙ୍କ ଲାଗି ଖୁସି ଖବର। ରାଜଧାନୀରେ ଗୋଟିଏ ଦିନରେ ସୁନା ଦାମ୍‌ରେ ୧୬୫୦ ଟଙ୍କା ଭଳି ବଡ଼ ଧରଣର ହ୍ରାସ ଘଟିଛି। ଏହାର ପ୍ରଭାବରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୨ ହଜାର ଟଙ୍କାକୁ ଖସିଆସିଛି। ଗତକାଲି ଏହି ଦର ୭୩ ହଜାର ୬୫୦ ଟଙ୍କା। ସେହିପରି ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୭୯୦ ଟଙ୍କା ହ୍ରାସ ପାଇ ୭୮,୫୬୦ ଟଙ୍କା ହୋଇଛି। ଦିନକ ପୂର୍ବରୁ ଏହାର ଦାମ୍ ୮୦ ହଜାର ଟଙ୍କାରୁ ଅଧିକ ଥିଲା। ଚଳିତ ମାସ ୧ ତାରିଖରେ ୨୨ କ୍ୟାରେଟ୍ ସୁନା ଦାମ୍ ୭୩ ହଜାର ୮୫୦ ଟଙ୍କା ଥିଲା। ଗୋଟିଏ ସପ୍ତାହ ମଧ୍ୟରେ ସେଥିରେ ଚାରି ଦିନ ହ୍ରାସ ଘଟିଥିବା ବେଳେ ଦୁଇ ଦିନ ଦାମ୍ ଅପରିବର୍ତ୍ତିତ ରହିଥିଲା। କେବଳ ସୁନା ନୁହେଁ, ରୁପା ମଧ୍ୟ ଶସ୍ତା ହୋଇଛି। ରୁପାର କେଜି ପିଛା ଦାମ୍ ୩୦୦୦ ଟଙ୍କା ହ୍ରାସ ପାଇ ୧,୦୨,୦୦୦ ଟଙ୍କାକୁ ଖସିଆସିଛି। ଗତକାଲି ରୁପା କେଜି ୧,୦୫,୦୦୦ ଟଙ୍କା ଥିଲା। ଗତ ଅକ୍ଟୋବର ୩୧ରେ ରୁପା କେଜି ୧,୦୯,୦୦୦ ଟଙ୍କା ଥିଲା। ସପ୍ତାହକ ଭିତରେ ସେଥିରେ ୭୦୦୦ ଟଙ୍କାର ହ୍ରାସ ଘଟିଛି। 

Advertisment

ସୁନା ଓ ରୁପା ଦାମ୍‌ରେ ଦେଖାଦେଇଥିବା ଏହି ବଡ଼ଧରଣର ହ୍ରାସ ଗ୍ରାହକଙ୍କ ପାଇଁ ଉକ୍ତ ମୂଲ୍ୟବାନ୍‌ ଧାତୁ କିଣିବା ଲାଗି ଭଲ ସୁଯୋଗ ଆଣିଛି। ତେବେ ଦାମ୍‌ରେ ଦେଖାଦେଇଥିବା ହ୍ରାସର କାରଣ ସଂପର୍କରେ ବ୍ୟବସାୟୀମାନେ କିଛି କହିପାରୁନାହାନ୍ତି। ସାଧାରଣତଃ ସେୟାର ବଜାର ଓ ସୁନା ଦର ମଧ୍ୟରେ ବିପରୀତ ସଂପର୍କ ରହିଥାଏ। ସେୟାର ବଜାର କମିଲେ ସୁନା ରୁପା ଦର ବୃଦ୍ଧି ପାଇଥାଏ କିମ୍ବା ସେୟାର ବଜାର ବଢ଼ିଲେ ସୁନା ରୁପା ଦର କମିବା ଦେଖିବାକୁ ମିଳିଥାଏ। କିନ୍ତୁ ବର୍ତ୍ତମାନ ଉଭୟ ଷ୍ଟକ ବଜାର ସମେତ ସୁନା ଓ ରୁପା ଦର କମିବାରେ ଲାଗିଛି। ବିଶ୍ବର ଭୂରାଜନୈତିକ ପରିସ୍ଥିତିରେ ହେଉଥିବା ପରିବର୍ତ୍ତନ ଫଳରେ ଏଭଳି ଧାରା ଦେଖିବାକୁ ମିଳିଛି ବୋଲି କିଛି ବଜାର ବିଶେଷଜ୍ଞ ମତ ଦେଇଛନ୍ତି।