ନୂଆଦିଲ୍ଲୀ: ଦୀର୍ଘଦିନର ପ୍ରତୀକ୍ଷା ପରେ କେନ୍ଦ୍ର ସରକାର ଆଜି ସଭରେନ ଗୋଲ୍ଡ ବଣ୍ଡ୍ ଜାରି ପାଇଁ ଘୋଷଣା କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଥମ ଥର ଲାଗି ଏହି ଘୋଷଣା କରାଯାଇଛି। ଷ୍ଟକ୍ ମାର୍କେଟ ଏବେ ନିମ୍ନମୁଖୀ ରହିଛି। ତେଣୁ ଚିନ୍ତାରେ ଥିବା ଇକ୍ବିଟି ନିବେଶକମାନଙ୍କ ପାଇଁ ନିବେଶର ଏକ ବିକଳ୍ପ ସୁଯୋଗ ମିଳିଯାଇଛି। ଗୋଲ୍ଡ ବଣ୍ଡ୍ରେ ନିବେଶ ପାଇଁ ଆଗ୍ରହୀ ଥିବା ବ୍ୟକ୍ତିମାନେ ଚଳିତମାସ ୨୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଏଥିରେ ନିବେଶ କରିପାରିବେ। ନିବେଶକଙ୍କ ପାଇଁ ସୁନା ବଣ୍ଡ୍ରେ ନିବେଶ ପାଇଁ ପ୍ରତି ଗ୍ରାମ ପିଛା ମୂଲ୍ୟ ୫୦୯୧ ଟଙ୍କା ରହିଛି। ତେବେ ଯଦି ଜଣେ ଡିଜିଟାଲ କିମ୍ବା ଅନଲାଇନ୍ ମୋଡ୍ରେ ନିବେଶ ବାବଦ ଅର୍ଥ ପୈଠ କରିବେ ତାହେଲେ ସେମାନଙ୍କୁ ପ୍ରତି ଗ୍ରାମ ପିଛା ୫୦ ଟଙ୍କାର ରିହାତି ମିଳିବ। ଅର୍ଥାତ୍ ପ୍ରତି ଗ୍ରାମ ସୁନାର ଇସ୍ୟୁ ପ୍ରାଇସ୍ ୫୦୪୧ ଟଙ୍କା ରହିବ।
୨୦ରେ ଆରମ୍ଭ, ୨୪ରେ ଶେଷ
ଗ୍ରାମ ପିଛା ୫୦୯୧ ଟଙ୍କା
ଡିଜିଟାଲ ପେମେଣ୍ଟରେ ରିହାତି
ସର୍ବନିମ୍ନ ୧ ଗ୍ରାମ୍ ନିବେଶ
ବାର୍ଷିକ ସୁଧ ୨.୫ ପ୍ରତିଶତ
ପରିପକ୍ବ ଅବଧି ୮ ବର୍ଷ
ଦେଶର ସୁନା ଆମଦାନି ହ୍ରାସ କରିବା ପାଇଁ ରିଜର୍ଭ ବ୍ୟାଙ୍କ ୨୦୧୫ ନଭେମ୍ବର ମାସରେ ସଭରେନ୍ ଗୋଲ୍ଡ ବଣ୍ଡ୍ ସ୍କିମ୍ ଘୋଷଣା କରିଥିଲା। ପ୍ରତିବର୍ଷ ଉକ୍ତ ବଣ୍ଡ୍ର କିଛି ସିରିଜ୍ ଆସୁଥିଲା। ପ୍ରତି ସିରିଜ୍ ଜାରି ସମୟରେ ସୁନାର ମୂଲ୍ୟ ଅନୁସାରେ ଗୋଲ୍ଡ ବଣ୍ଡ୍ର ମୂଲ୍ୟ ନିର୍ଦ୍ଧାରଣ କରାଯାଉଥିଲା। କୌଣସି ବ୍ୟକ୍ତିଙ୍କୁ ସର୍ବନିମ୍ନ ୧ ଗ୍ରାମରୁ ନିବେଶ ଆରମ୍ଭ କରିବାକୁ ହେବ। ଜଣେ ବ୍ୟକ୍ତି ଚାହିଲେ ୪ କିଲୋଗ୍ରାମ ପର୍ଯ୍ୟନ୍ତ ନିବେଶ କରିପାରିବେ। ହିନ୍ଦୁ ଅବିଭକ୍ତ ପରିବାର ପାଇଁ ଉକ୍ତ ନିବେଶ ସୀମା ୪ କିଲୋଗ୍ରାମ ହୋଇଥିବାବେଳେ ଟ୍ରଷ୍ଟ ଆଦି ପାଇଁ ୨୦ କିଲୋଗ୍ରାମ ସୁନା ପର୍ଯ୍ୟନ୍ତ ନିବେଶ ସୁଯୋଗ ରହିଛି। ସଭରେନ୍ ଗୋଲ୍ଡ ବଣ୍ଡ୍ର ପରିପକ୍ବ ଅବଧି ୮ ବର୍ଷ। କିନ୍ତୁ ୫ ବର୍ଷ ପାଇଁ ଏହାର ଲକ୍-ଇନ୍ ଅବଧି ରଖାଯାଇଛି। ଉକ୍ତ ବଣ୍ଡ୍ ଉପରେ ବାର୍ଷିକ ୨.୫ ପ୍ରତିଶତ ହାରରେ ସୁଧ ମିଳିବ। ଏଥିସହିତ ବଣ୍ଡ୍କୁ ହସ୍ତାନ୍ତର କରିବା ସମୟରେ ସୁନାର ମୂଲ୍ୟ ଯାହା ରହିଥିବା ସେହି ହିସାବରେ ଅର୍ଥ ନିବେଶକଙ୍କୁ ପ୍ରଦାନ କରାଯିବ। ସ୍ମଲ ଫାଇନାନ୍ସ ବ୍ୟାଙ୍କ ଓ ପେମେଣ୍ଟ୍ସ ବ୍ୟାଙ୍କକୁ ବାଦ୍ ଦେଲେ ଅନ୍ୟ ସବୁ ବ୍ୟାଙ୍କରୁ ସଭରେନ୍ ଗୋଲ୍ଡ ବଣ୍ଡ୍ କିଣାଯାଇ ପାରିବ। ଏହାବ୍ୟତୀତ ଷ୍ଟକ ହୋଲଡିଂ କର୍ପୋରେସନ ଅଫ୍ ଇଣ୍ଡିଆ, କେତେକ ଡାକଘର ଶାଖା, ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜରୁ ମଧ୍ୟ ଏହି ବଣ୍ଡ୍ କିଣାଯାଇପାରିବ।