ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆକୁ ପ୍ରତ୍ୟାହାର କରିବ ବୋଲି ଘୋଷଣା କରିବା ପରେ ଯେଉଁମାନେ ସେହି ନୋଟ୍ ବେଆଇନ ଭାବେ ମହଜୁଦ ରଖିଥିଲେ ସେମାନେ ତାହାକୁ ସୁନା କିଣିବାରେ ବ୍ୟବହାର କରୁଛନ୍ତି। ସେଥିପାଇଁ ଦିଲ୍ଲୀ, ମୁମ୍ବାଇ, ସୁରଟ ଭଳି ବିଭିନ୍ନ ସହରରେ ସୁନାର ଚାହିଦା ବଢ଼ିଯାଇଛି। ସମୟର ଗମ୍ଭୀରତାକୁ ଭଲ ଭାବେ ବୁଝିଥିବା ସୁନା ଦୋକାନିମାନେ ମଧ୍ୟ ୨୦୦୦ ଟଙ୍କିଆ ଦେଇ କିଣିବାକୁ ଚାହୁଥିବା ଗ୍ରାହକମାନଙ୍କ ଲାଗି ସୁନା ଦାମ୍ ବଢ଼ାଇ ଦେଇଛନ୍ତି। ସେଭଳି ଗ୍ରାହକମାନଙ୍କ ଲାଗି ଗୁଜରାଟରେ ୧୦ ଗ୍ରାମ ସୁନା ମୂଲ୍ୟ ୭୦ ହଜାର ଟଙ୍କା କରିଦିଆଯାଇଛି ଯାହା ସୁନାର ସ୍ବାଭାବିକ ଦାମ୍ଠାରୁ ପ୍ରାୟ ୧୦ ହଜାର ଟଙ୍କା ଅଧିକ। ସେହିପରି, ରୁପା କେଜିକୁ ୮୦ ହଜାର ଟଙ୍କାରେ ବିକ୍ରି କରାଯାଉଛି।
ପେଟ୍ରୋଲ ପମ୍ପରେ ଖର୍ଚ୍ଚ କରୁଛନ୍ତି
ଗାଡ଼ିର ଇଏମ୍ଆଇ ଦେଉଛନ୍ତି
ଦାମୀ ଜିନିଷ କିଣୁଛନ୍ତି
କିଛି ସ୍ଥାନରେ ନୋଟ୍ ନେବାକୁ ବେପାରି ଅମଙ୍ଗ
ଗୁଜରାଟରେ ପେଟ୍ରୋଲ୍ ପମ୍ପ୍କୁ ଅଧିକ ୨୦୦୦ ଟଙ୍କିଆ ଆସୁଛି। ଲୋକମାନେ ୨୦୦୦ ଟଙ୍କିଆ ଦେଇ ନିଜ ଗାଡ଼ିରେ ତେଲ ଭର୍ତ୍ତି କରୁଛନ୍ତି। ବିଭିନ୍ନ ପେଟ୍ରୋଲ୍ ପମ୍ପ୍କୁ ତିନି ଗୁଣା ଅଧିକ ୨୦୦୦ ଟଙ୍କିଆ ନୋଟ୍ ଆସିଥିବା କୁହାଯାଉଛି। ଗୁଜରାଟରେ ଥିବା ୧୯୦ଟି ପେଟ୍ରୋଲ୍ ପମ୍ପ୍କୁ ଗୋଟିଏ ଦିନରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁଇ ହଜାର ଟଙ୍କିଆ ନୋଟ୍ ଆସିଛି। ପୁରୁଣା ଟିକସ ପଇଠ କରିବା, ଗାଡ଼ି ଓ ଘର କିଣିଥିବା ଲୋକମାନେ ମାସିକ କିସ୍ତି ଦେବା ଆଦି କାମରେ ୨୦୦୦ ଟଙ୍କିଆକୁ ବ୍ୟବହାର କରୁଛନ୍ତି। ଟିକସ ଅଧିକାରୀଙ୍କ ନଜରକୁ ନଆସିବା ଲାଗି ମହଜୁଦକାରୀମାନେ ବିଭିନ୍ନ ପ୍ରକାର ଉପାୟରେ ଏହି ବଡ଼ ନୋଟ୍ ଚଳାଇବାକୁ ପ୍ରୟାସ କରୁଛନ୍ତି। ଡଲାର କଳାବଜାରି ହେଉଥିବା ବଜାରରେ ମଧ୍ୟ ୨୦୦୦ ଟଙ୍କିଆ ପହଞ୍ଚିଛି। ଏହି ନୋଟ୍ ଦେଇ ଡଲାର ବି କିଣା ହେଉଛି। କିଛି ମହଜୁଦକାରୀ ନାମୀଦାମୀ ଦୋକାନରେ ପହଞ୍ଚି ବିଳାସପୂର୍ଣ୍ଣ ସାମଗ୍ରୀ କିଣିବାରେ ମଧ୍ୟ ୨୦୦୦ ଟଙ୍କିଆ ଖର୍ଚ୍ଚ କରୁଛନ୍ତି। ୨୦୦୦ ଟଙ୍କିଆ ପ୍ରତ୍ୟାହାର ହୋଇଥିବା ଘୋଷଣା ହେବା ପରେ ଦେଶର କିଛି ସ୍ଥାନରେ ସେହି ନୋଟ୍ରେ କାରବାର କରିବାକୁ ବ୍ୟବସାୟୀମାନେ ଅମଙ୍ଗ ହେଉଥିବା ଖବର ମଧ୍ୟ ଆସିଛି। ବିଶେଷ କରି ଛୋଟ ଦୋକାନୀ ଓ ଖୁଚୁରା ବ୍ୟବସାୟୀମାନେ ୨୦୦୦ ଟଙ୍କିଆ ନେବାକୁ ଚାହୁନାହାନ୍ତି।
ଜୁଏଲାରି ସଂଘ ଜିଜେସି ପକ୍ଷରୁ କୁହାଯାଇଛି ଯେ ବହୁ ସୁନା ଦୋକାନକୁ ୨୦୦୦ ଟଙ୍କିଆ ସମ୍ପର୍କିତ କଲ୍ ସବୁ ଆସୁଛି। କିନ୍ତୁ ୨୦୧୬ ବିମୁଦ୍ରୀକରଣ ବେଳେ ଲୋକମାନେ ଯେଉଁଭଳି ତରବରିଆ ଭାବେ ସୁନା କିଣୁଥିଲେ ଏବେ ସେଭଳି ସ୍ଥିତି ନାହିଁ। କେୱାଇସି ନିୟମ କଡ଼ାକଡ଼ି କରାଯାଇଥିବାରୁ ଗତ ଦୁଇ ଦିନରେ ୨୦୦୦ ଟଙ୍କିଆରେ ସୁନା କିଣା ହ୍ରାସ ପାଇଛି। ଜିଜେସିର ଅଧ୍ୟକ୍ଷ ସୟମ ମେହରା କହିଛନ୍ତି ଯେ ଦୁଇ ହଜାର ଟଙ୍କିଆ ବଦଳରେ ସୁନା କିଣିବା ଲାଗି ବହୁ ଲୋକ ଦୋକାନରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି। କିନ୍ତୁ କେୱାଇସି ନିୟମ କଡ଼ାକଡ଼ି ଥିବାରୁ ଅଧିକାଂଶ ଗ୍ରାହକ ସୁନା ନକିଣି ଫେରିଯାଇଛନ୍ତି।
େନାଟ୍ ବଦଳାଇବା ପାଇଁ ଫର୍ମ, ପରିଚୟପତ୍ର ଦରକାର ନାହିଁ: ଷ୍ଟେଟ୍ ବ୍ୟାଙ୍କ
ନୂଆଦିଲ୍ଲୀ: ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ସମ୍ପର୍କିତ ଗାଇଡ୍ଲାଇନ୍କୁ ଜାରି କରି ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ୧୦ ଖଣ୍ଡ ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍କୁ ବଦଳାଇବା ଲାଗି କୌଣସି ପରିଚୟପତ୍ର ଦେଖାଇବାକୁ ପଡ଼ିବ ନାହିଁ। କୌଣସି ଫର୍ମ ବି ପୂରଣ କରିବାକୁ ପଡ଼ିବନି। ଜଣେ ବ୍ୟକ୍ତି ଥରକେ ସହଜରେ ୧୦ ଖଣ୍ଡ ୨୦୦୦ ଟଙ୍କିଆ ବଦଳାଇ ଅନ୍ୟ ନୋଟ୍ ନେଇପାରିବେ। ସାଧାଣର ଜନତା ଯେଭଳି ସୁବିଧାରେ ନିଜର ୨୦୦୦ ଟଙ୍କିଆକୁ ବଦଳାଇପାରିବେ ସେହି ସୁବିଧା ସୁନିଶ୍ଚିତ କରିବା ଲାଗି ବ୍ୟାଙ୍କ ଏହାର ଶାଖାଗୁଡ଼ିକୁ ଜଣାଇଛି। ୨୦୦୦ ଟଙ୍କିଆ ବଦଳାଇବାକୁ ନେଇ ସୋସିଆଲ ମିଡିଆରେ ହେଉଥିବା ଭିନ୍ନ ଭିନ୍ନ ଆଲୋଚନାକୁ ଦୃଷ୍ଟିରେ ରଖି ଷ୍ଟେଟ୍ ବ୍ୟାଙ୍କ ଏହି ଗାଇଡ୍ଲାଇନ୍ ଜାରି କରିଛି। ୨୦୦୦ ଟଙ୍କିଆ ବଦଳାଇବା ଲାଗି ପରିଚୟପତ୍ର ଦେଖାଇବାକୁ ପଡ଼ିବ ଏବଂ ଫର୍ମ ପୂରଣ କରିବାକୁ ହେବ ବୋଲି କିଛି ପକ୍ଷ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରଥିଲେ।