ଭୁବନେଶ୍ବର: ଚଢ଼ା ସୁନା ଦରରୁ ସୋମବାର କିଛିଟା ଆଶ୍ବସ୍ତି ମିଳିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହେବା ପରେ ‌ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୮୦୦ ଟଙ୍କା ହ୍ରାସ ପାଇ ୯୬,୮୮୦ ଟଙ୍କା ହୋଇଛି। ସେହି ସମୟରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ଦାମ୍ ୧୬୫୦ ଟଙ୍କା ହ୍ରାସ ପାଇ ୮୮,୮୦୦ ଟଙ୍କାରେ ପହଞ୍ଚିଛି। ରୁପା କେଜି ମଧ୍ୟ ୨୦୦୦ ଟଙ୍କା ଶସ୍ତା ହୋଇ ୧,୦୯,୦୦୦ ଟଙ୍କା ହୋଇଛି।

Advertisment

ଭୁବନେଶ୍ବର ତୁଳନାରେ ଦିଲ୍ଲୀରେ ସୁନା ମୂଲ୍ୟ ଦୁଇ ଗୁଣା ଅଧିକ ହ୍ରାସ ପାଇଛି। ସୂଚନା ଅନୁସାରେ ଦିଲ୍ଲୀରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୩୪୦୦ ଟଙ୍କା ହ୍ରାସ ପାଇ ୯୬,୫୫୦ ଟଙ୍କା ହୋଇଛି। ଆମେରିକା ଓ ଚୀନ୍ ମଧ୍ୟରେ ଟିକସକୁ ନେଇ ସହମତି ହେବା ପରେ ସମ୍ଭାବ୍ୟ ଟିକସ ଲଢ଼େଇ ଏକପ୍ରକାର ବନ୍ଦ ହୋଇଗଲା ବୋଲି ସାରା ବିଶ୍ବକୁ ବାର୍ତ୍ତା ଯାଇଛି। ତେଣୁ ଅନିଶ୍ଚିତତାର ଯେଉଁ ସ୍ଥିତି ଥିଲା, ତାହା ଖୁବ୍‌ଶୀଘ୍ର ଅପସରିଯିବ ବୋଲି ସମ୍ଭାବନା ଦେଖାଦେଇଛି। ସେଥିପାଇଁ ସୁନା ମୂଲ୍ୟରେ ହ୍ରାସ ଘଟୁଛି। ଗତ କିଛି ମାସ ମଧ୍ୟରେ ସୁନା ଦରରେ ଏହା ହେଉଛି ‌ସର୍ବୋଚ୍ଚ ‌ଦୈନିକ ହ୍ରାସ। ଏହା ପୂର୍ବରୁ ୨୦୨୪ ଜୁଲାଇରେ ୨୩ରେ ସୁନା ଦାମ୍ ଗୋଟିଏ ଦିନରେ ୩,୩୫୦ ଟଙ୍କା କମ୍ ହୋଇଥିଲା। 

ମେହେଟ୍ଟା ଇକ୍ବିଟିଜ୍ ଲିମିଟେଡ୍‌ର ଭିପି (କମୋଡିଟିଜ୍) ରାହୁଲ କାଲାନ୍ତ୍ରି କହିଛନ୍ତି ଯେ ସୁନା ଦରରେ ହୋଇଥିବା ହ୍ରାସରୁ ଏହି ସଙ୍କେତ ମିଳୁଛି ଯେ ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଆଲୋଚନାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ସ୍ବିଜରଲ୍ୟାଣ୍ଡ୍‌ର ଜେନେଭା ସହରରେ ଆଲୋଚନା ବେଳେ ୯୦ ଦିନ ପାଇଁ ପରସ୍ପର ଉପରୁ ଶୁଳ୍କ କମ୍ କରିବାକୁ ଆମେରିକା ଓ ଚୀନ୍ ନିଷ୍ପତ୍ତି ନେଇଛନ୍ତି। ଚୀନ୍ ସାମଗ୍ରୀ ଉପରେ ଆମେରିକା ଏହାର ଶୁଳ୍କକୁ ୩୦ ପ୍ରତିଶତ ଏବଂ ଆମେରିକା ଉପରେ ଚୀନ୍ ଏହାର ଶୁଳ୍କକୁ ୧୦ ପ୍ରତିଶତକୁ ହ୍ରାସ କରିଛି। ବିଶ୍ବ ସ୍ତରରେ ଲାଗିରହିଥିବା ଭୂରାଜନୈତିକ ସଙ୍କଟଗୁଡ଼ିକ ମଧ୍ୟ ସମାଧାନ ଆଡ଼କୁ ଗତି କରିବା ସୁନା ଦର ହ୍ରାସର ଅନ୍ୟତମ କାରଣ। ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା, ୟୁକ୍ରେନ୍ ଓ ରୁଷ୍‌ ମଧ୍ୟରେ ସମାଧାନ ବାଟ ଫିଟିବା ଭଳି ଗୁରୁତ୍ବପୂର୍ଣ୍ଣ ଘଟଣା ନିକଟରେ ଘଟିଛି ଯାହା ସୁନା ଦର କମ୍ କରିବାରେ ସହାୟକ ହୋଇଛି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଗକୁ ସୁନା ଦର ଆହୁରି କମ୍ ହେବାର ଆଶଙ୍କା ଥିବାରୁ କିଛି ବର୍ଗ  ଯଥା ସମ୍ଭବ ଅଧିକ ଲାଭ ପାଇବା ଲାଗି ସୁନା ବିକ୍ରି କରିବା ଆରମ୍ଭ କରିଛନ୍ତି, ଯାହା ଫଳରେ ବଜାରରେ ସୁନା ଯୋଗାଣ ବଢ଼ିବା ସହ ଚାହିଦା କମ୍ ହୋଇଛି।