ନୂଆଦିଲ୍ଲୀ: ସୁନା ଦରବୃଦ୍ଧିକୁ ନେଇ ସାଧାରଣ ଜନତା ଓ ଗହଣା ବ୍ୟବସାୟୀ ଯେତିକି ଚିନ୍ତିତ, ତା’ଠାରୁ ଅଧିକ ଚିନ୍ତିତ ଅଛନ୍ତି ସରକାର। କାରଣ ଧାତବ ସୁନାଠାରୁ ଲୋକଙ୍କ ଧ୍ୟାନ ହଟାଇ ସୋଭରେନ୍ ଗୋଲ୍ଡ ବଣ୍ଡ୍‌ (ଏସ୍‌ଜିବି)ରେ ନିବେଶ ଜରିଆରେ ଆମଦାନୀରେ ହେଉଥିବା ବିଦେଶୀ ମୁଦ୍ରା ଅପଚୟ ରୋକିବା ଲାଗି ସରକାର ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା କ୍ଷତିକାରକ ସାବ୍ୟସ୍ତ ହୋଇଛି। ସୁନା ଦରରେ ହଠାତ୍‌ ବୃଦ୍ଧି ପାଇଁ ସରକାରଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ସୋଭରେନ୍ ଗୋଲ୍ଡ ବଣ୍ଡ୍‌ରେ ୬୫,୮୮୫ କୋଟି ଟଙ୍କା ନିବେଶ ହୋଇଥିଲା। କିନ୍ତୁ ଦରବୃଦ୍ଧି ପରେ ତାହାକୁ ନିବେଶକମାନେ ୧.୫୯ ଲକ୍ଷ କୋଟି ଟଙ୍କାରେ ରିଡିମ୍ କରିଥିଲେ। ଫଳରେ ସରକାରଙ୍କୁ ରାଜକୋଷରୁ ୯୩,୨୮୪ କୋଟି ଟଙ୍କା ବାହାର କରିବାକୁ ପଡ଼ିଥିଲା। ୨୦୨୫ରେ ବର୍ତ୍ତମାନ ସୁଦ୍ଧା ସୁନା ମୂଲ୍ୟରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ସୁନା ଚାହିଦା ୧୬ ପ୍ରତିଶତ କମ୍ ହୋଇଥିବା ବେଳେ ଗହଣା ବିକ୍ରି ୩୧ ପ୍ରତିଶତ ହ୍ରାସ ପାଇଛି। ଭାରତ ନିଜ ସୁନା ଆବଶ୍ୟକତା ପୂରଣ କରିବାକୁ ଆମଦାନୀ ଉପରେ ଅତ୍ୟଧିକ ନିର୍ଭରଶୀଳ ରହିଛି। ଚଳିତ ବର୍ଷର ଏପ୍ରିଲ୍‌ରୁ ସେପ୍ଟେମ୍ବର ମଧ୍ୟରେ୨.୨ ଲକ୍ଷ କୋଟି ଟଙ୍କାର ସୁନା ଆମଦାନୀ କରାଯାଇଛି ଯାହା ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ସୃଷ୍ଟି କରିଛି। ଓଡ଼ିଶା, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ସୁନାର ସନ୍ଧାନ ମିଳିଥ‌ିଲେ ସୁଦ୍ଧା ସେଗୁଡ଼ିକର ଖନନ ପାଇଁ ଏପର୍ଯ୍ୟନ୍ତ କୌଣସି ‌ଠୋସ୍‌ ପଦକ୍ଷେପ ନିଆଯାଇନାହିଁ। 

Advertisment

ଗୋଟିଏ ପଟେ ଲୋକମାନେ ଗହଣା କିଣିବା କମ୍ କରିଥିବା ବେଳେ ସୁନା ଏକ୍ସଚେଞ୍ଜ ଟ୍ରେଟେଡ୍‌ ଫଣ୍ଡ୍‌ (ଇଟିଏଫ୍‌)ରେ ନିବେଶ ବଢ଼ାଇଛନ୍ତି। ସେଥିପାଇଁ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ସୁନା ଇଟିଏଫ୍‌ରେ ନିବେଶ ଗତବର୍ଷ ତୁଳନାରେ ୨.୬ ଗୁଣା ବୃଦ୍ଧି ପାଇ ୯୦,୧୩୬ କୋଟି ଟଙ୍କାରେ ପହଞ୍ଚିଛି। ସୁନା ବନ୍ଧକ ରଖି ମଧ୍ୟ ଲୋକମାନେ ବିପୁଳ ଋଣ ନେଉଛନ୍ତି। ୨୦୨୫ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କଗୁଡ଼ିକ ୩.୦୬ ଲକ୍ଷ କୋଟି ଟଙ୍କାର ସୁନା ଋଣ ନେଇଥିଲେ। 

ସୁନାର ସଠିକ୍ ପରିଚାଳନା ପାଇଁ ଭାରତକୁ ଏକ ଦୀର୍ଘକାଳୀନ ସ୍ବତନ୍ତ୍ର ନୀତିର ଆବଶ୍ୟକତା ଥିବା ଏସ୍‌ବିଆଇ ରିସର୍ଚ୍ଚ ଏହାର ରିପୋର୍ଟରେ କହିଛି। ଚୀନ୍‌ଠାରୁ ଭାରତ ଅନେକ କିଛି ଶିଖିବାର ଅଛି। ଚୀନ୍‌ର କେନ୍ଦ୍ରୀୟ ବ୍ୟାଙ୍କରେ ଏକ ବିଶାଳ ସୁନା ଭଣ୍ଡାର ଥିବା ବେଳେ ସେଠାରେ ଆମଦାନୀ ନିୟମ କୋହଳ କରାଯାଇଛି। ସାଂଘାଇ ଗୋଲ୍ଡ ଏକ୍ସଚେଞ୍ଜ ଜରିଆରେ ଚୀନ୍ ନିଜକୁ ସୁନା ଟ୍ରେଡିଂର ଏକ ହବ୍‌ରେ ପରିଣତ କରିଛି। କିନ୍ତୁ ଭାରତ କେବଳ ସୁନା ଆମଦାନୀ ଉପରେ ହିଁ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିଛି। ଭାରତୀୟ ‌ରିଜର୍ଭ ବ୍ୟାଙ୍କ ପାଖରେ ୮୮୦ ଟନ୍‌ରୁ ଅଧିକ ସୁନା ରହିଛି। ଦେଶର ମହିଳାମାନଙ୍କ ପାଖରେ ମଧ୍ୟ ବିପୁଳ ସୁନା ରହିଛି। ଦର ବଢ଼ିଲେ ସେଗୁଡ଼ିକର ମୂଲ୍ୟ କେବଳ କାଗଜପତ୍ରରେ ବଢ଼ୁଛି। କିନ୍ତୁ ଅର୍ଥନୀତିକୁ ତାହାର ବାସ୍ତବ ଲାଭ ମିଳୁନାହିଁ।