ଭୁବନେଶ୍ବର: ଲଗାତାର ଭାବେ ବୃଦ୍ଧି ପାଉଥିବା ସୁନା ଦର ବୁଧବାର ୮୦ ହଜାର ଟଙ୍କା ସ୍ତର ଅତିକ୍ରମ କରିଛି। ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ୍ ଆଜି ୬୫୦ ଟଙ୍କା ବୃଦ୍ଧି ପାଇ ୮୦,୩୫୦ ଟଙ୍କା ହୋଇଛି। ସେହିପରି, ୨୪ କ୍ୟାରେଟ୍ ସୁନା ଦାମ୍ ୭୦୦ ଟଙ୍କା ବୃଦ୍ଧି ପାଇ ୮୭,୬୫୦ ଟଙ୍କା ହୋଇଛି। ଚଳିତ ମାସରେ ବର୍ତ୍ତମାନ ସୁଦ୍ଧା ୨୨ କ୍ୟାରେଟ୍ ସୁନା ୨୯୦୦ ଟଙ୍କା ଓ ୨୪ କ୍ୟାରେଟ୍ ୩୧୬୦ ଟଙ୍କା ମହଙ୍ଗା ହୋଇଛି। ଫେବ୍ରୁଆରି ୧ ତାରିଖରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ୍ ୭୭,୪୫୦ ଟଙ୍କା ଓ ୨୪ କ୍ୟାରେଟ୍ ଦାମ୍ ୮୪,୪୯୦ ଟଙ୍କା ଥିଲା।
କେବଳ ଭୁବନେଶ୍ବର କିମ୍ବା ଓଡ଼ିଶା ନୁହେଁ, ସାରା ଭାରତରେ ସୁନା ମହଙ୍ଗା ହେଉଛି। ଜାତୀୟ ବଜାରରେ ସୁନା ଦାମ୍ ଏହାର ସର୍ବକାଳୀନ ରେକର୍ଡ ସ୍ତର ୮୬,୭୩୩ ଟଙ୍କାରେ ପହଞ୍ଚିଛି। କେବଳ ବୁଧବାର ଦିନ ଏହାର ଦାମ୍ରେ ୧୦୪୩ ଟଙ୍କାର ବୃଦ୍ଧି ଘଟିଛି। ୨୦୨୫ରେ ଏପର୍ଯ୍ୟନ୍ତ ସୁନା ଦାମ୍ରେ ୧୦,୫୭୧ ଟଙ୍କାର ବୃଦ୍ଧି ହୋଇସାରିଲାଣି। ରୁପା ଦାମ୍ ୧୫୪୩ ଟଙ୍କା ବୃଦ୍ଧି ପାଇ ୯୭,୫୬୬ ଟଙ୍କା ହୋଇଛି। ଜାତୀୟ ବଜାର ତୁଳନାରେ ଭୁବନେଶ୍ବରରେ ରୁପା ଦାମ୍ ଅଧିକ ରହୁଛି। ଏଠାରେ ରୁପା ଦାମ୍ ଆଜି ୧୦୮୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୮ହଜାର ଟଙ୍କା ହୋଇଛି।
ସୁନା ଦରରେ ହେଉଥିବା ବୃଦ୍ଧି ସମ୍ପର୍କରେ ଲାଲଚନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି ଯେ ସୁନା ବଜାରରେ ଦରବୃଦ୍ଧି ହେବା ସହ କିଛି ଦିନ ପରେ ସେଥିରେ ହ୍ରାସ ଘଟିଥାଏ। ଏଥର ଦରବୃଦ୍ଧି କିନ୍ତୁ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଛି। ସେଥିରେ ହେବାକୁ ଥିବା ହ୍ରାସକୁ ଆମେ ସମସ୍ତେ ଅପେକ୍ଷା କରିଛୁ। ନିଶ୍ଚିତ ସେହି ହ୍ରାସ ଘଟିବ। ଯେତେବେଳେ ସେହି ସମୟ ଆସିବ, ସୁନା ଦରରେ ୨ହଜାର ଟଙ୍କାରୁ ୫ହଜାର ଟଙ୍କା ପର୍ଯ୍ୟନ୍ତର ହ୍ରାସ ହେବ ବୋଲି ସେ କହିଛନ୍ତି। ଦରବୃଦ୍ଧିକୁ ନେଇ ଚିନ୍ତିତ ଗ୍ରାହକମାନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ ଯେତେବେଳେ ଦାମ୍ କମୁଛି, ସେହି ସମୟରେ ଅଳ୍ପ ଅଳ୍ପ ସୁନା କିଣିବା ଦରକାର। ସେହି ରଣନୀତିରେ କିଣାକିଣି କଲେ ଦରବୃଦ୍ଧି ଏତେଟା ବାଧିକ ନାହିଁ। ଏହା ବ୍ୟତୀତ ଗ୍ରାହକମାନେ ‘ଗୋଲ୍ଡ ପ୍ରାଇସ୍ ବ୍ଲକ୍’ ଯୋଜନାର ମଧ୍ୟ ଲାଭ ଉଠାଇପାରିବେ। ସେଥିରେ ଯେକୌଣସି ଦିନର ସୁନା ଦାମ୍କୁ ବ୍ଲକ୍ କରାଯାଇପାରିବ। ଗ୍ରାହକ ଯେତେବେଳେ ସୁନା କିଣିବେ, ଯଦି ସେହି ସମୟରେ ଦାମ୍ ବଢ଼ିଥିବ ତେବେ ସେ ପୁରୁଣା ମୂଲ୍ୟରେ କମ୍ ଦାମ୍ରେ ସୁନା କିଣିପାରିବେ। ଯଦି ସୁନା ଦାମ୍ କମିଥିବ ତେବେ ସେହି କମ୍ ଦାମ୍ରେ ତାଙ୍କୁ ସୁନା ଦିଆଯିବ ବୋଲି ସେ କହିଛନ୍ତି।
ସୁନା ଦରରେ ହୋଇଥିବା ବୃଦ୍ଧିର ଦୁଇ ପ୍ରକାର ପ୍ରଭାବ ରହିଛି। ରାଜ୍ୟରେ ବିବାହ ଋତୁ ଚାଲିଥିବାରୁ ଗହଣା କିଣିବାକୁ ଚାହୁଥିବା ଗ୍ରାହକମାନଙ୍କ ଚିନ୍ତା ବଢ଼ିଯାଇଛି। ଯେହେତୁ ବିବାହ କାର୍ଯ୍ୟରେ ଗହଣା କିଣା ଖର୍ଚ୍ଚର ଭାଗ ସବୁଠୁ ବଡ଼, ତେଣୁ ଲୋକମାନେ ବେଶ୍ ଚିନ୍ତିତ ହୋଇପଡ଼ିଛନ୍ତି। ସେମାନଙ୍କୁ ବାହାଘର ଲାଗି ଅଧିକ ଟଙ୍କା ଯୋଗାଡ଼ କରିବାକୁ ପଡ଼ୁଛି। ଅନ୍ୟ ପକ୍ଷରେ, ନିବେଶ ଉଦ୍ଦେଶ୍ୟରେ ଯେଉଁମାନେ କଏନ୍ କିମ୍ବା ବାର୍ କିଣିଥିଲେ, ସେମାନେ ଏବେ ଲାଭରେ ଅଛନ୍ତି। ଦାମ୍ରେ ଯେତିକି ବୃଦ୍ଧି ଘଟିବ, ସେଥିରୁ ସେମାନେ ସେହି ଅନୁସାରେ ଲାଭବାନ ହେବେ।
ବିଭିନ୍ନ କାରଣ ଲାଗି ସୁନା ଦାମ୍ ବଢ଼ୁଛି। ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ଗ୍ରହଣ କରିବା ପରେ ଶୁଳ୍କ ଲଗାଇବା ଆରମ୍ଭ କରିଛନ୍ତି। ଏହାର ପ୍ରଭାବରେ ବିଶ୍ବରେ ଏକ ନୂଆ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିଥିବାରୁ ସୁନା ଆମଦାନି କରିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ଦରଦାମ୍ରେ ଘଟିଥିବା ବୃଦ୍ଧି ମଧ୍ୟ ସୁନା ଦରକୁ ପ୍ରଭାବିତ କରିଛି। ଅନ୍ୟ ପକ୍ଷରେ ଷ୍ଟକ୍ ବଜାରରୁ ବିଦେଶୀ ନିବେଶକମାନେ ଲଗାତାର ଭାବେ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ, ଘରୋଇ ନିବେଶକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଷ୍ଟକ୍ ବଜାର କାରବାର ଅସ୍ଥିର ରହୁଥିବାରୁ ନିବେଶକମାନେ ନିଜ ପାଣ୍ଠିକୁ ସୁରକ୍ଷିତ ରଖିବା ଲାଗି ସୁନାରେ ନିବେଶ କରୁଥିବା କୁହାଯାଉଛି। ଚଳିତ ବର୍ଷ ସୁନା ଦାମ୍ ୯୦ ହଜାର ଟଙ୍କାରୁ ଅଧିକ ହୋଇଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।