ଭୁବନେଶ୍ବର: ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ପ୍ରଥମ ଥର ପାଇଁ ୩୧୦୦ ଡଲାରରୁ ଅଧିକ ହୋଇଛି। ତାହାର ପ୍ରଭାବରେ ସାରା ଭାରତରେ ସୁନା ମହଙ୍ଗା ହୋଇଛି। ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୪,୨୫୦ ଟଙ୍କା ହୋଇଛି। ଏଥିରେ ସୋମବାର ୬୫୦ ଟଙ୍କାର ବୃଦ୍ଧି ଘଟିଛି। ସେହିପରି, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୧୦ ଟଙ୍କା ବୃଦ୍ଧି ପାଇ ୯୧,୯୧୦ ଟଙ୍କାରେ ପହଞ୍ଚିଛି। ସୁନା ଦାମ୍ରେ ହୋଇଥିବା ବୃଦ୍ଧି ବିବାହ ଲାଗି ଗହଣା କିଣିବାକୁ ଚାହୁଥିବା ଗ୍ରାହକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। କିନ୍ତୁ ନିବେଶ ଉଦ୍ଦେଶ୍ୟରେ କଏନ୍ ଓ ବାର୍ କିଣୁଥିବା ଗ୍ରାହକମାନେ ଅଧିକ ରିଟର୍ଣ୍ଣ ପାଇବା ଲାଗି ଆଶାବାଦୀ ହୋଇପଡ଼ିଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ୍ ୨ରୁ ଭାରତ ସମେତ ସାରା ବିଶ୍ବ ଉପରେ ଶୁଳ୍କ ଲଗାଇବେ ବୋଲି ଘୋଷଣା କରିଛନ୍ତି। ସେହି ସମୟ ଯେତିକି ପାଖେଇ ଆସୁଛି, ସୁନା ଦାମ୍ ସେତିକି ବଢ଼ୁଛି। ରୁଷ୍ ତେଲ ଉପରେ ୨୦-୫୦ ପ୍ରତିଶତ ଶୁଳ୍କ ଲଗାଇବାକୁ ମଧ୍ୟ ଟ୍ରମ୍ପ ଘୋଷଣା କରିଛନ୍ତି। ଆଣବିକ ଚୁକ୍ତି ନ କଲେ ଇରାନ ଉପରେ ବୋମା ମାଡ଼ କରିବେ ବୋଲି ସେ କହିଛନ୍ତି। ତାଙ୍କର ସେହି ସବୁ ମନ୍ତବ୍ୟ ବିଶ୍ବ ଅର୍ଥନୀତିରେ ଏକ ଅନିଶ୍ଚିତତାର ସ୍ଥିତି ସୃଷ୍ଟି କରିଛି। ସେଥିପାଇଁ ସୁନାର ଆଉନ୍ସ ପିଛା ଦାମ୍ ୩,୧୧୧ ଡଲାରକୁ ବୃଦ୍ଧି ପାଇଛି।
ଭୁବନେଶ୍ବରରେ ଚଳିତ ମାସ ୨୬ଠାରୁ ଲଗାତାର ଭାବେ ସୁନା ଦାମ୍ ବଢ଼ୁଛି। ଗତ ୬ ଦିନ ଭିତରେ ୨୨ କ୍ୟାରେଟ୍ ସୁନା ୩୦୫୫ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ୨୫୧୦ ଟଙ୍କା ମହଙ୍ଗା ହୋଇଛି। ଏହି ସମୟରେ ରୁପା ଦାମ୍ ମଧ୍ୟ ବଢ଼ିଛି। ଏକ କିଲୋ ରୁପାର ଦାମ୍ ଏବେ ୧,୧୩,୦୦୦ ଟଙ୍କା ରହିଛି। କିଛି ଦିନ ପୂର୍ବେ ତାହା ୧,୧୪,୦୦୦ ଟଙ୍କା ଥିଲା। ସେଥିରେ ୧୦୦୦ ଟଙ୍କାର ସୁଧାର ଘଟିଛି। ଅନିଶ୍ଚିତତାର ସ୍ଥିତିରେ ବଡ଼ ବଡ଼ ନିବେଶ ସଂସ୍ଥା ଓ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣା ବଢ଼ାଇ ଦେଇଥିବାରୁ, ଏହି ମୂଲ୍ୟବାନ ଧାତୁର ଦାମ୍ ବଢ଼ୁଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଭାରତରେ ସୁନା ଦାମ୍ ୩୮ ପ୍ରତିଶତ ଓ ରୁପା ୩୬ ପ୍ରତିଶତ ବଢ଼ିଛି।