ଭୁବନେଶ୍ବର: ରାଜଧାନୀରେ ସୁନା ଓ ରୁପା ଦାମ୍ରେ ବଡ଼ ଧରଣର ହ୍ରାସ ଘଟିଛି। ମଙ୍ଗଳବାର ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୩୫୦ ଟଙ୍କା ହ୍ରାସ ପାଇ ୭୦,୮୫୦ ଟଙ୍କାକୁ ଖସିଆସିଛି। ସେହି ସମୟରେ ୨୪ କ୍ୟାରେଟ ସୁନା ଦର ୧୪୭୦ ଟଙ୍କା ହ୍ରାସ ପାଇ ୭୭,୨୯୦ ଟଙ୍କା ହୋଇଛି। ବିବାହ ଋତୁ ଆସୁଥିବା ବେଳେ ସୁନା ଦରରେ ଏଭଳି ହ୍ରାସ ନିଶ୍ଚିତ ରୂପେ ଗ୍ରାହକମାନଙ୍କୁ ସୁହାଇବ ବୋଲି କୁହାଯାଉଛି। ଚଳିତ ମାସ ୧ ତାରିଖରେ ୨୨ କ୍ୟାରେଟ୍ ସୁନା ୭୩,୮୫୦ ଟଙ୍କା ଓ ୨୪ କ୍ୟାରେଟ୍ ଦାମ୍ ୮୦,୫୬୦ ଟଙ୍କା ଥିଲା। ଗତ ୧୧ ଦିନ ମଧ୍ୟରେ ୨୨ କ୍ୟାରେଟ୍ ସୁନା ଦାମ୍ ୩୦୦୦ ଟଙ୍କା କମିଥିବା ବେଳେ ୨୪ କ୍ୟାରେଟ୍ ୩୨୭୦ ଟଙ୍କା ଶସ୍ତା ହୋଇଛି। ଅନ୍ୟ ପକ୍ଷରେ ରୁପା କେଜି ମଧ୍ୟ ୨୦୦୦ ଟଙ୍କା ଶସ୍ତା ହୋଇଛି। ଚଳିତ ମାସ ପ୍ରାରମ୍ଭରେ ରୁପା କେଜି ପ୍ରାୟ ଏକ ଲକ୍ଷ ୯ ହଜାର ଟଙ୍କା ସ୍ତରରେ ଥିଲା। ମଙ୍ଗଳବାର ତାହା ଏକ ଲକ୍ଷ ଟଙ୍କା ସ୍ତରକୁ ଖସିଆସିଛି। ଓଡ଼ିଶାରେ ରୁପା ଦାମ୍ ଜାତୀୟ ଦରଠାରୁ ଅଧିକ ରହୁଛି।
ସୁନା ଦର ସମ୍ପର୍କରେ ଲାଲ୍ଚନ୍ଦ୍ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି ଯେ ଦୀପାବଳି ପୂର୍ବରୁ ଅନୁମାନ କରାଯାଉଥିଲା ଯେ ଆଗକୁ ଦାମ୍ କମିପାରେ। ସେହି ଅନୁସାରେ ଏବେ ଦାମ୍ କମୁଛି। ସାଧାରଣତଃ ସୁନା କ୍ଷେତ୍ରରେ ଗୋଟିଏ ସମୟରେ ଦର ବଢ଼ିବା ପରେ ତାହାର ପରବର୍ତ୍ତୀ ସମୟରେ କମିଥାଏ ଏବଂ ପୁଣି ସେହି ଧାରା ବଜାୟ ରହିଥାଏ। ଯେହେତୁ ଆଗକୁ ବହୁତ ବିବାହ ହେବାର ଅଛି ଓ ସୁନା ଦର କମିଛି, ତେଣୁ ଗ୍ରାହକମାନଙ୍କ ଲାଗି କିଣାକିଣି କରିବା ଲାଗି ଏହା ହେଉଛି ଉପଯୁକ୍ତ ସମୟ ବୋଲି ଶ୍ରୀ ହଂସ କହିଛନ୍ତି। ରୁପା ଦର ସମ୍ପର୍କରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି ଯେ ବିଶ୍ବରେ ଘଟୁଥିବା ବିଭିନ୍ନ କାରଣ ଲାଗି ରୁପା ମୂଲ୍ୟ ତଳ ଉପର ହୋଇଥାଏ। ଗ୍ରାହକମାନେ ସର୍ବଦା ଡିଜାଇନ୍ ଓ ଉପଲବ୍ଧତା ଉପରେ ଗୁରୁତ୍ବ ଦେବା ଉଚିତ। ଦୀର୍ଘକାଳୀନ ଭିତ୍ତିରେ ଦାମ୍ ବଢ଼ିବା ଏକ ସ୍ବାଭାବିକ ଘଟଣା। ତେଣୁ ଗ୍ରାହକମାନେ ରୁପା ଜିନିଷ କିଣିବା ନିଷ୍ପତ୍ତିକୁ ବିଳମ୍ବ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/22/pQoe37R67WWAfsGDwIMZ.jpg)