ଭୁବନେଶ୍ବର: ଗତ ସପ୍ତାହରେ ୩୫୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଥିବା ସୁନା ଦର ଗତକାଲିଠାରୁ ହ୍ରାସ ପାଉଛି। ସୋମବାର ୨୨ କ୍ୟାରେଟ୍ ସୁନା ଦାମ୍ ୧୫୦ ଟଙ୍କା କମିଥିଲା। ଆଜି ସେଥିରେ ୧୦୫୦ ଟଙ୍କାର ହ୍ରାସ ଘଟିଛି। ଫଳରେ ଏହାର ୧୦ ଗ୍ରାମ ପିଛା ଦାମ୍ ୯୨,୦୦୦ ଟଙ୍କାକୁ ହ୍ରାସ ପାଇଛି। ସେହିପରି, ୨୪ କ୍ୟାରେଟ୍ ସୁନା ଦାମ୍ ମଙ୍ଗଳବାର ୧୧୪୦ ଟଙ୍କା କମ୍ ହେବାରୁ ତାହାର ମୂଲ୍ୟ ୧,୦୦,୩୭୦ ଟଙ୍କାକୁ ହ୍ରାସ ପାଇଛି। ଜାତୀୟ ସ୍ତରରେ ଚଳିତ ବର୍ଷ ଜାନୁଆରି ପରଠାରୁ ୨୪ କ୍ୟାରେଟ୍ ସୁନା ୨୨,୬୪୮ ଟଙ୍କା ମହଙ୍ଗା ହୋଇସାରିଲାଣି।
ରୁପା ଦାମ୍ ମଧ୍ୟ ୨୩ ହଜାର ଟଙ୍କାରୁ ଅଧିକ ବଢ଼ିଛି। ଦିଲ୍ଲୀରେ ରୁପା କେଜି ୧,୦୯,୧୦୦ ଟଙ୍କା ରହିଛି। କିନ୍ତୁ, ଭୁବନେଶ୍ବରରେ ସେହି ଦର ତା’ଠାରୁ ଯଥେଷ୍ଟ ଅଧିକ ୧,୨୦,୦୦୦ ଟଙ୍କା ରହିଛି। ମଙ୍ଗଳବାର ରୁପା ଦାମ୍ରେ ୧୦୦୦ ଟଙ୍କାର ବୃଦ୍ଧି ହୋଇଛି। କେଡିଆ ଆଡ୍ଭାଇଜରିର ଏକ ଆକଳନ ଅନୁସାରେ ଚଳିତ ବର୍ଷ ସୁନା ଦାମ୍ ୧ ଲକ୍ଷ ୩୦ ହଜାର ଟଙ୍କା ସ୍ତର ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ସୁନା ଦରକୁ ଆହୁରି ବଢ଼ାଇବାର ଆଶଙ୍କା ରହିଛି।